ସୌଭାଗ୍ୟ ମହାନ୍ତି (ରାଜା ) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିବା ସହ ଏହି ଅବସରରେ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା”ରୁ ଶଭାରମ୍ଭ କରିଥିଲେ । ନିର୍ଦ୍ଧାରିତ ସମୟ ସୁଦ୍ଧା ଦେଶର ୨୦ ନିୟୁତ ଅର୍ଥାତ ୨କୋଟି ଗରିବଙ୍କୁ ପକ୍କା ଘର ପାଇଁ ଏବେ ଆର୍ଥୀକ ସହାୟତା ଯୋଗାଇ ଦେଇଛନ୍ତି । ସହରାଚଂଳରେ ଗୃହ ପାଇଁ ୧ ଲକ୍ଷ ୮୦ ହଜାର ଏବଂ ଗ୍ରାମାଚଂଳରେ ୧ଲକ୍ଷ ୩୦ ହଜାର ଦିଆଯାଉଛି । ଅବଶ୍ୟ ଏହି ଯୋଜନା ଦେଶରେ ନୂଆ ନୁହେଁ । ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାରଙ୍କ ଅମଳରେ ଇନ୍ଦିରା ଆବାସ ଯୋଜନାରେ ଗରିବଙ୍କୁ ପକ୍କା ବାସ ଗୃହ ଦିଆଯାଉଥିଲା ।
ପରବର୍ତୀ କାଳରେ ଏହି ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମରେ ନାମିତ ହୋଇଛି । ଓଡିଶା ସରକାର ମଧ୍ୟ ରାଜ୍ୟରେ ଗରିବଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ “ମୋ କୁଡିଆ”, “ବିଜୁ ପକ୍କା ଘର” ଯୋଜନା କରିଛନ୍ତି । ସରକାରୀ ରିପୋର୍ଟରୁ ଜଣାଯାଇଛି ଯେ, ଗତ ୨୦୧୪-୧୫ ଆର୍ଥୀକ ବର୍ଷରୁ ବର୍ତମାନ ସୁଦ୍ଧା ରାଜ୍ୟରେ ୨୬ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ହୋଇସାରିଛି । ଚଳିତ ବର୍ଷ ଆଉ ୨ଲକ୍ଷ ଲୋକଙ୍କୁ ପକ୍କାଘର ଯୋଗାଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଚଳିତ ଆର୍ଥୀକ ବର୍ଷରେ କରୋନା ମହାମାରୀ ଯୋଗୁଁ ସବୁ ଠପ୍ ହୋଇଯାଇଥିବା ସତ୍ୱେ ଚାରି ମାସରେ ୧ ଲକ୍ଷ ୧୪ ହଜାର ୬୪୪ ପକ୍କାଘର ନିର୍ମାଣ ହୋଇଥିବା ସରକାର ଦାବି କରିଛନ୍ତି । ଅବଶ୍ୟ ରାଜ୍ୟ ସରକାର ଗୃହ ନିର୍ମାଣକୁ ସକ୍ରୀୟ ଏବଂ ତ୍ୱରାନିତ କରିବା ପାଇଁ ୪ମାସ ମଧ୍ୟରେ ନିର୍ମାଣ ଶେଷ ଲାଗି ୨୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ରୋସôାହନ ରାଶି ପ୍ରଦାନ କରୁଛନ୍ତି । ଏ ବାବଦରେ ବର୍ତମାନ ସୁଦ୍ଧା ରାଜ୍ୟ ସରକାର ୫ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ୮୨୮ କୋଟି ଟଙ୍କାର ପ୍ରୋସାହନ ରାଶି ପ୍ରଦାନ କରିଥିବା କୁହାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଅର୍ଥ ସହାୟତା ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ସହାୟତା ଯୋଗାଇ ଦେଇଛନ୍ତି ।
ଭାରତ ପରି ଏକ ଗରିବ ରାଷ୍ଟ୍ରରେ ଗରିବଙ୍କୁ ପକ୍କା ବାସଗୃହ ଯୋଜନା ଏକ କଲ୍ୟାଣକାରୀ ଜନହିତକର ଯୋଜନା ହୋଇଥିବା ବେଳେ ଏହି ଯୋଜନାରେ ଅନିୟମିତତା ମୁକ୍ତ ନୁହେଁ ବୋଲି କୁହାଯାଇପାରିବ ନାହିଁ । ଏହି ଯୋଜନା ନେଇ ବିରୋଧି ଦଳଗୁଡିକ ବିଧାନସଭା ଭିତରେ ବାହାରେ ସରକାରଙ୍କୁ ଘେରିବାର ବହୁ ନଜୀର ରହିଛି । ପ୍ରଥମତଃ ଦଳୀୟ ଭିତିରେ ହିତାଧିକାରୀ ଚୟନ କରାଯାଉଥିବା ହୁଏ । ସେହିପରି ଥିଲା ଥିଲା ବାଲା ଘରୁ ପାଉଥିବା ବେଳେ ନଥିଲା ବାଲା ଘର ପାଉନାହାଁନ୍ତି । ଏପରିକି ଗୋଟିଏ ପରିବାର ଦୁଇ ତିନୋଟି ଘର ପାଇଥିବା ମଧ୍ୟ ଜଣାଯାଏ । ତେବେ ସବୁଠୁ ବଡ କଥା ହେଉଛି ପିସି କାରବାର । ଘରଟିଏ ପାଇବାକୁ ହେଲେ ୧୦ରୁ ୨୦ ହଜାର ଟଙ୍କା ଦେବାକୁ ପଡିଥିବା ଅଭିଯୋଗ ହେଉଛି । ଦେଲା ବାଲା ଘର ପାଏ, ନଦେଲା ବାଲା ପାଏ ନାହିଁ ।
ତାଲିକାରେ ବର୍ଷ ବର୍ଷ ଧରି ନାଁ ଗଡୁଥିବା ସତ୍ୱେ ନଦେଲା ବାଲା ଘର ପାଉନାହିଁ । ଏହି ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମନେରଗା ଯୋଜନାରେ ଶ୍ରମିକଙ୍କୁ କାମ କରିବାକୁ ପ୍ରୋସôାହନ ଦେଉଥିବା ବେଳେ ବାସ୍ତବରେ ଯେଉଁ ସମୟରେ ହିତାଧିକାରୀକୁ କାର୍ଯ୍ୟାଦେଶ ଦିଆଯାଉଛି, ତାହା ନିଶ୍ଚିତ ଭାବେ ଉଦବେଗଜନକ ବୋଲି କୁହାଯାଇପାରେ । ଆମ ଦେଶରେ ଜୁନ୍ ମାସରୁ ବର୍ଷ ଦିନ ଆରମ୍ଭ ହେଉଥିବା ବେଳେ ଜୁନ-ଜୁଲାଇ ମାସରେ କାର୍ଯ୍ୟଦେଶ ଦିଆଯାଉଛି । ଯେଉଁ ସମୟରେ କି ବାଲି, ପଥର, ଇଟା ମିଳିବା ସହଜସାଧ୍ୟ ନୁହେଁ । ଯଦି ମିଳେ, ତେବେ ଚଢା ଦରରେ । କେବଳ ଏତିକି ନୁହେଁ, ଚାଷ କାର୍ଯ୍ୟ ଲାଗି ଯାଇଥିବାରୁ ଶ୍ରମିକ ମଧ୍ୟ ମିଳନ୍ତି ନାହିଁ । ଆହୁରି ମଧ୍ୟ ବର୍ଷା ଯୋଗୁ କାମ ବାରମ୍ବାର ସ୍ଥଗିତ ରଖିବାକୁ ପଡିଥାଏ ।
ଏହି ଯୋଜନାରେ ହିତାଧିକାରୀ କାର୍ଯ୍ୟାଦେଶ ପାଇଥିବା ସତ୍ୱେ ବର୍ଷ ବର୍ଷ ଧରି କାମ ଶେଷ କରିପାରୁନାହିଁ । ନିକଟରେ ବ୍ଲକ ଅଧିକାରୀମାନେ ହିତାଧିକାରୀଙ୍କ ଘର ସମ୍ମୁଖରେ ଧାରଣା ଦେବା ଏହାର ହେଉଛି ଜ୍ୱଳନ୍ତ ଉଦାହରଣ । ଏବେ କିନ୍ତୁ ପରିସ୍ଥିତି ଭିନ୍ନ । ଆଗେ କାମ କଲେ ଟଙ୍କା ମିଳିବା ନିୟମ ରହିଛି । କରୋନା ଭୂତାଣୁ ସଂକ୍ରମଣ ସମୟରେ ହିତାଧିକାରୀ ନିଜ ହାତରୁ ହେଉ ବା ଧାର ଉଧାର କରିହେଉ ଅର୍ଥ ଖର୍ଚ୍ଚ କରି କାମ ଆଗେଇ ନେଉଥିବା ସରକାରୀ ଟଙ୍କା ଠିକ୍ ମିଳୁ ନାହିଁ । ଯାହାକି କାମ ଶେଷ କରିବାରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି ବୋଲି କୁହାଯାଇପାରେ । ଗରିବଙ୍କୁ ଘର ଏକ ମହତକାଂକ୍ଷି ଯୋଜନା । ମାତ୍ର ଏହା ଅନିୟମିତତା ଏବଂ ଅବ୍ୟବସ୍ଥା ମୁକ୍ତ ନୁହେଁ । ଏଥିପ୍ରତି ସରକାର ଓ କର୍ତୁପକ୍ଷ ଧ୍ୟାନ ଦେବା ଜରୁରୀ ।
