Odisha news

ବିରୂପା ନଦୀବନ୍ଧରେ ଘାଇ : ଜଳବନ୍ଦୀରେ ବେଣୀପୁର ଲୋକେ , ଗ୍ରାମ ଭିତରେ ୧୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ

0

ଡେରାବିଶ : ବିରୂପା ନଦୀରେ ବନ୍ୟାର ତାଣ୍ଡବ ଶନିବାର ଦ୍ୱିତୀୟ ଦିନରେ ଲାଗି ରହିଛି । ଶୁକ୍ରବାର ସନ୍ଧ୍ୟାରେ ଡେରାବିଶ ବ୍ଲକ ବେଣୀପୁର ନଦୀବନ୍ଧରେ ୧୦୦ଫୁଟରୁ ଉଦ୍ଧ୍ୱର୍ ସୃଷ୍ଟି ହୋଇଥିବା ଘାଇ ପାଇଁ ଗାଁ ଦାଣ୍ଡରେ ୧୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି । ତେବେ ଏହି ଗ୍ରାମରେ ଥିବା ୫ଟି ୱାର୍ଡ଼ର ୫୦୦ରୁ ଉଦ୍ଧ୍ୱର୍ ପରିବାର ଏବଂ ୩୦୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଜଳବନ୍ଦୀ ଭିତରେ ଏବେବି ଫସି ରହିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ଏହି ନଦୀରେ ୭୦ ଇଂଚର ବନ୍ୟାଜଳ ହ୍ରାହସ ପାଇବା ଯୋଗୁ ପ୍ରଶାସନ ଓ ସାଧାରଣ ଲୋକ ଟିକିଏ ଆଶ୍ୱସ୍ତି ହୋଇଛନ୍ତି । ତେବେ ଘାଇ ଯୋଗୁ ବନ୍ୟାଜଳର ପ୍ରଭାବ ଏଭଳି ରହିଛି ଗ୍ରାମନିକଟରେ ଯାିଥିବା ପଟ୍ଟାମୁଣ୍ଡାଇ କେନାଲ୍ ବନ୍ଧ ବୁଡ଼ି ୧ ଫୁଟର ପାଣି ପ୍ରବାହିତ ହେଉଛି ।

ଶୁକ୍ରବାର ବିଳମ୍ବିତ ରାତିଯାଏ ଜିଲ୍ଲାପାଳ ସମର୍ଥ ବର୍ମା, ବିଡ଼ିଓ ଗୋପବନ୍ଧୁ ଭୋସାଗର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥି, ଅତିରିକ୍ତ ବିଡ଼ିଓ ଭଞ୍ଜ କିଶୋର ନାୟକ, କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କ ସମେତ ଜଳସମ୍ପଦ ବିଭାଗର ବହୁ ଯନ୍ତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ରହି ବନ୍ୟା ପ୍ରପିଡ଼ିତଙ୍କୁ ସହାୟତା ପାଇଁ ପଦକ୍ଷେପ ନେଇଥିଲେ । ପ୍ରପିଡ଼ିତମାନଙ୍କୁ ଶୁଖିଲା ଖାଦ୍ୟ ସହ ଆଜି ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି । ତେବେ ବନ୍ୟାରେ ଫସିରହିଥିବା ପରିବାରଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେମାନଙ୍କର ଉଦ୍ୟମ ଜାରିରଖିଛନ୍ତି । ଆଜି ମଧ୍ୟାହ୍ନ ସୁଦ୍ଧା ୨୦୦ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିବା ପ୍ରଶାସନ ସୂତ୍ରରୁ ଜଣାଯାଇଛି । ତେବେ ଘଟଣାସ୍ଥଳରେ ଆଜିବି ଜିଲ୍ଲାପାଳ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାକୁ ତଦାରଖ କରୁଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଏକ ଘରୋଇ ମୋବାଇଲ୍ କମ୍ପାନୀର ୧୦ ଜଣ କର୍ମଚାରୀ ଯାଜପୁରରୁ କଟକ ଏକ ଟାଟା ଏସି ଗାଡ଼ିଯୋଗେ ଫେରୁଥିବା ସମୟରେ ହଠାତ୍ ଘାଇଟି ହୋଇଥିଲା ।

ତେବେ ବନ୍ୟାଜଳର ସ୍ରୋତ ଏତେ ପ୍ରଖର ଥିଲାଯେ, ଗାଡ଼ିଟିକୁ ସମ୍ପୂର୍ଣ୍ଣ ଭସାଇ ନେଇଯାଇଥିଲା । ଗାଡ଼ି ମଧ୍ୟରେ ଥିବା ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୯ ଜଣ ନିଜ ଜୀବନକୁ ସୁରକ୍ଷିତ ରଖିଥିବା ବେଳେ ଜଣେ କର୍ମଚାରୀଙ୍କ ସମେତ ଗାଡ଼ିର କୌଣସି ପତା ମିଳୁନାହିଁ । ଆଜି ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ନିଖୋଜ କର୍ମଚାରୀଙ୍କୁ ଖୋଜାଖୋଜି ଅବ୍ୟାହତ ରଖିଛନ୍ତି । ସେହିପରି ଦାସରଥି ସାହୁ (୭୦) ନାମକ ଜରେ ଗ୍ରାମବାସୀଙ୍କୁ ଏକ ବିଷଧର ସାପ କାମୁଡ଼ିଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି । ଗୃହପାଳିତ ଗାଈଗୋରୁ, ଛେଳିମେଣ୍ଢାମାନେ ପଟ୍ଟାମୁଣ୍ଡାଇ କେନାଲ୍ ବନ୍ଧରେ ଆଶ୍ରୟ ନେଇଥିବା ବେଳେ ପାୱାର ବୋଟ୍ ଓ ଡଙ୍ଗା ଯୋଗେ ବହୁ ବ୍ୟକ୍ତି ବନ୍ୟାଜଳଘେର ରୁ ବାହାରକୁ ଆସିକେନାଲ୍ ବନ୍ଧରେ ଆଶ୍ରୟ ନେଇଥିବା ଦେଖାଯାଇଥିଲା । ତେବେ ପ୍ରଶାସନିକ ଅଧିକାରୀଙ୍କ ସହ ସାମାଜିକ କର୍ମୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ, ପଂଚାୟତ ସମିତି ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ବେଣୀପୁର ପଂଚାୟତ ସମିତିସଭ୍ୟ ଦେବାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ବନ୍ୟା ପ୍ରପିଡ଼ିତଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି ।

Leave A Reply