ଡେଲାଙ୍ଗ,୨୯/୧୨—ଡେଲାଙ୍ଗ ରାମଚନ୍ଦ୍ରପୁରସ୍ଥିତ ହିରୋ ମଟର ସାଇକେଲ ସୋ ରୁମର ସଟର ଭାଙ୍ଗି ଦୁର୍ବୁତ୍ତମାନେ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି କରି ଚମ୍ପଟ ମାରିଥିବା ନେଇ ସୋ ରୁମ ମାଲିକ ବିପ୍ଳବ ନରେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ,ସୁଜନପୁର ପଞ୍ଚାୟତ ଅନ୍ତର୍ଗତ ଗୌରାଦେଇପୁର ଗ୍ରାମର ବିପ୍ଳବ ନରେନ୍ଦ୍ରଙ୍କ ଡେଲାଙ୍ଗ ରାମଚନ୍ଦ୍ରପୁରଠାରେ ‘ଡେଲାଙ୍ଗ ମୋଟର୍ସ’ ନାମରେ ଏକ ହିରୋ ବାଇକ ସୋ ରୁମ ରହିଛି।ଅଭିଯୋଗର ବିବରଣୀ ଅନୁଯାୟୀ ବିପ୍ଳବ ମଙ୍ଗଳବାର ରାତି ପ୍ରାୟ ୮ ଟାରେ ସୋ ରୁମ ବନ୍ଦ କରି ଘରକୁ ଆସିଥିଲେ।ବୁଧବାର ସକାଳୁ ସୋ ରୁମ ସଟର ତାଲା ଭାଙ୍ଗି କେହି ଦୁର୍ବୁତ୍ତ ଗତ କାଲି ରାତିରେ ଚୋରି କରିଥିବା ଖବର ପାଇ ସେ ସୋ ରୁମ ଠାରେ ପହଞ୍ଚି ଦେଖିଲା ବେଳକୁ ସଟର ଭଙ୍ଗା ହୋଇ ଗୋଟିଏ ନୂଆ ହିରୋ ଗ୍ଲାମର ବାଇକ,ନଗଦ ୬୫ ହଜାର ଟଙ୍କା, କେତେକ ନୂଆ ଗାଡିର ଚାବି,ଗାଡି କାଗଜପତ୍ର,ସ୍ପେୟାର ପାର୍ଟସ ସହ ସିସିଟିଭି କ୍ୟାମେରା ଭାଙ୍ଗି ଦୁର୍ବୁତ୍ତମାନେ ମଧ୍ୟ ଏହାର ହାର୍ଡଡିସ୍କକୁ ଚୋରି କରି ନେଇଛନ୍ତି ବୋଲି ସୋ ରୁମ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।ଖବର ପାଇ ଡେଲାଙ୍ଗ ଥାନାଧିକାରୀ ଅନିଲ କୁମାର ମହାନ୍ତି ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବାବେଳେ ପୁରୀରୁ ସାଇଣ୍ଟିଫିକ ଟିମ ଆସି ଘଟଣାର ଛାନଭିନ କରି ଫେରିଯାଇଛନ୍ତି।ଏ ସଂକ୍ରାନ୍ତରେ ଡେଲାଙ୍ଗ ଥାନାରେ ୨୯୫/୨୧ ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଏବେ ତଦନ୍ତ ଜାରି ରହିଛି, ଖୁବ ଶୀଘ୍ର ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବ ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।