ଦଶପଲ୍ଲା୨୦/୧ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ତତ୍ପରତା ଲାଗି ରହିଛି। ନିର୍ବାଚନ ରେ ପ୍ରତିଦ୍ବନ୍ଦିତା ପାଇଁ ସ୍ଥିର କରିଥିବା ପ୍ରାର୍ଥୀ ମାନେ ବି ନିର୍ବାଚନ ରେ ବିଜୟ ପାଇଁ ତତ୍ପର ହୋଇ ଉଠିଛନ୍ତି । ମାତ୍ର ପ୍ରଶାସନିକ ଅବହେଳା ପାଇଁ ଜଣେ ପୂର୍ବତନ ମହିଳା ସରପଞ୍ଚ ଙ୍କ ନାଁ ଭୋଟର ତାଲିକାରୁ ଉଭାନ ହୋଇଯାଇଥିବାରୁ ସେ ପ୍ରାର୍ଥୀପତ୍ର ଦାଖଲ କରି ନ ପାରିବା ଆଲୋଚ୍ୟ ର ବିଷୟ ହୋଇଛି । ଏଭଳି ଘଟଣା ଘଟି ଯାଇଛି ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ରେ । ଏହି ପଞ୍ଚାୟତ ୩ ନଂ ୱାର୍ଡ ରେ ବସବାସ କରନ୍ତି ଦସ୍ମିତା ମଳିକ ଙ୍କ ପରିବାର। ସେ ତଫସିଲଭୁକ୍ତ ଉପଜାତିର ଲୋକ ହୋଇଥିବା ବେଳେ ଗତ ୨୦୧୨ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ କୁଜାମେଣ୍ଢି ପାଞ୍ଚାୟତ ର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ଚଳିତ ପଞ୍ଚାୟତ ନିର୍ବାଚନ ରେ କୁଜାମେଣ୍ଢି ପାଞ୍ଚାୟତ ର ସରପଞ୍ଚ ପଦବୀ ଟି ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଦସ୍ମିତା ମଳିକ ସରପଞ୍ଚ ପଦବୀରେ ପ୍ରତିଦ୍ବନ୍ଦିତା ପାଇଁ ପ୍ରାର୍ଥୀପତ୍ର ଧରି ପଞ୍ଚାୟତ ରେ ପହଁଚିଥିଲେ। ମାତ୍ର ପ୍ରାର୍ଥୀପତ୍ର ଯାଞ୍ଚ କରୁଥିବା ଅଧିକାରୀ ଦସ୍ମିତା ଙ୍କର ନୂତନ ଭୋଟର ତାଲିକା ରେ ନାଁ ନଥିବା ପ୍ରକାଶ କରି ତମେ ପ୍ରାର୍ଥୀପତ୍ର ଦାଖଲ କରିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ପରେ କେବଳ ଦସ୍ମିତା ନୁଁହନ୍ତି ତାଙ୍କ ପରିବାର ଓ ତାଙ୍କ ନିଜ ସମ୍ପର୍କୀୟ ଙ୍କ ମଧ୍ୟରୁ ୨୦ ଜଣ ଙ୍କ ନାମ ନୂତନ ଭୋଟର ତାଲିକା ରେ ନଥିବା ଜଣା ପଡିଥିଲା । ଏହାକୁ ନେଇ ଦସ୍ମିତାଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇ ପଡ଼ିଥିବା ବେଳେ କୁଜାମେଣ୍ଢି ପାଞ୍ଚାୟତ ଭି ଏଲ ଡବ୍ଲୁ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କୁ ଜଣାଇବା ପରେ ଭି ଏଲ ଡବ୍ଲୁ ଏ ସମ୍ପର୍କରେ ନିର୍ବାଚନ ଦାୟିତ୍ୱରେ ଥିବା ଜିପିଓ ରାମହରି ବେହେରା ଙ୍କୁ ଜଣାଇଥିଲେ। ଜିପିଓ ଏ ସମ୍ପର୍କରେ ବିଡ଼ିଓ ବିଶ୍ୱରଂଜନ ବିଶ୍ୱାସ ଙ୍କୁ ଜଣାଇଥିଲେ ମଧ୍ୟ ଭୋଟର ତାଲିକା ସଂସୋଧନ ହୋଇ ପାରିବ ନାହିଁ ବୋଲି ବିଡ଼ିଓ ଉତର ଦେଇଥିଲେ । ଫଳରେ ଦସ୍ମିତା ଚଳିତ ନିର୍ବାଚନ ରେ ପ୍ରାର୍ଥୀପତ୍ର ଦାଖଲ କରିପାରି ନାହାଁନ୍ତି। ଭୋଟର ତାଲିକା ସଂଶୋଧନ ସମୟ ରେ ମୁଁ ନୂଆକରି ଏହି ପଞ୍ଚାୟତ ରେ ଯୋଗ ଦେଇଥିଲି ଏଣୁ ଜାଣି ହୋଇ ନଥିବା ବେଳେ ମୋ ପାଖରେ ଥିବା କମ୍ପୁଟର ରେ ସେମାନଙ୍କ ନାଁ ଭୋଟର ତାଲିକା ରେ ଥିବା ବେଳେ କିଭଳି ନୂତନ ଭୋଟର ତାଲିକା ରେ ସେମାନଙ୍କ ନାଁ ରହିଲା ନାହିଁ ମୁଁ କହି ପାରିବି ନାହିଁ ବୋଲି ଭି ଏଲ ଡବ୍ଲୁ ପ୍ରକାଶ କରିଥିବା ବେଳେ, ଏ ସମ୍ପର୍କରେ ମୁଁ ଜାଣିନାହିଁ ଏହା ପ୍ରଥମ ଥର ଆପଣ ଙ୍କଠାରୁ ଶୁଣିଲି ଦରଖାସ୍ତ ଆସିଲେ ଦେଖିବା କହି ବିଡ଼ିଓ ଏହାକୁ ଏଡାଇ ଯାଇଥିଲେ। ଭୋଟର ତାଲିକା ସଂଶୋଧନ ସମୟ ରେ ସେମାନେ ଦେଖିବା କଥା ବର୍ତମାନ ନିର୍ବାଚନ କମିଶନ ଙ୍କ ନିକଟକୁ ସଂଶୋଧନ ତାଲିକା ଚାଲି ଯାଇଥିବାରୁ ଏହା ସଂଶୋଧନ ହୋଇ ପାରିବ ନାହିଁ ବୋଲି ବିଡିଓ ବିଶ୍ବରଂଜନ ବିଶ୍ୱାସ ପ୍ରକାଶ କରିଥିଲେ । ମାତ୍ର ପ୍ରଶାସନିକ ଅବହେଳା ପାଇଁ ଭୋଟର ତାଲିକାରୁ ଦସ୍ମିତା ଙ୍କ ପରିବାର ସହ ୨୦ ଜଣଙ୍କ ନାମ ନଥିବା ଦସ୍ମିତାଙ୍କ ପରିବାର ଅଭିଯୋଗ କରିଥିବା ବେଳେ ଏହା ଆଲୋଚ୍ୟ ର ବିଷୟ ହୋଇଛି ।