ଡାକ୍ତର ଦିଲ୍ଲୀପ କୁମାର ମହରଣା : ଅବ୍ୟବହୃତ ତଥା ଅଦରକାରୀ ମୋବାଇଲ ଫୋନ କମ୍ପୁ୍ୟଟର ମଦରବୋର୍ଡ଼, ଖରାପ ହୋଇଯାଇଥିବା ଫ୍ରିଜ୍ ଏବଂ ଏୟାରକଣ୍ଡିସନଡ଼ ଇତ୍ୟାଦିର ସଂଖ୍ୟା ଆଜିକାଲି ଆମ ଚାରିପାଖରେ ବହୁଳ ମାତ୍ରାରେ ପଡ଼ି ରହୁଥିବା ଦେଖିବାକୁ ମିଳୁଛି । ଏଗୁଡ଼ିକ ଇ-ଆବର୍ଜନା ଶ୍ରେଣୀର ଅନ୍ତର୍ଭୁକ୍ତ । ତେଣୁ ଏହାର ଉଚିତ ପରିଚାଳନା ବର୍ତ୍ତମାନ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏଗୁଡ଼ିକରୁ ମୂଲ୍ୟବାନ ଧାତୁ ଗୁଡ଼ିକୁ ବାହାର କରି ଅବଶିଷ୍ଟ ସାମଗ୍ରୀ ଗୁଡ଼ିକୁ ନଷ୍ଟ କରିବା ପାଇଁ ଇ-ଆବର୍ଜନା ପରିଚାଳନା କେନ୍ଦ୍ର ରହିଥିଲେ ମଧ୍ୟ ଏଗୁଡ଼ିକର ସଠିକ କାର୍ଯ୍ୟ ପ୍ରଣାଳୀ ନେଇ ପ୍ରଶ୍ନ ଉଠିଛି । ଏଗୁଡ଼ିକୁ ନଷ୍ଟ କରିବା କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସମସ୍ୟା ସୃଷ୍ଟି ହେବାର ଅନେକ ଆଶଙ୍କା ରହିଛି । ଏପରିକି କ୍ୟାନ୍ସର ରୋଗର ଶତ ପ୍ରତିଶତ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ ।
ଇ-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ । ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି । ତେବେ ଏହି ବର୍ଜ୍ୟବସ୍ତୁ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣ ହେଉ ନଥିବାରୁ ଦିନକୁ ଦିନ ଇ-ବର୍ଜ୍ୟବସ୍ତୁର ବୋଝ ବଢ଼ିଚାଲିଛି । ଦେଶରେ ୨୦୧୭-୧୮ରେ ୭,୦୮,୪୪୫ ଟନ୍ ଇ-ବର୍ଜ୍ୟବସ୍ତୁ ବାହାରିଥିବା ବେଳେ ୨୦୧୯-୨୦ରେ ଏହା ୧୦,୧୪,୯୬୧ ଟନ୍କୁ ବୃଦ୍ଧି ପାଇଛି । ନିକଟରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି ।
ତେବେ ପରିଚାଳନା ରୁଲ-୨୦୧୬ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୨୧ ପ୍ରକାର ବର୍ଜ୍ୟବସ୍ତୁରୁ ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି । ବିଶେଷକରି କମ୍ପୁ୍ୟଟର ମନିଟର, ମୋବାଇଲ ଫୋନ, ଚାର୍ଜର, ମଦର କିବୋର୍ଡ଼, ହେଡ଼ଫୋନ, ଟେଲିଭିଜନ ସେଟ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ବ୍ୟବହୃତ ଜିନିଷ ଇ-ବର୍ଜ୍ୟବସ୍ତୁ ଭାବେ ଗଣାଯାଉଛି । ତେବେ ଏହି ବର୍ଜ୍ୟବସ୍ତୁ ସଂଗ୍ରହ ଅତ୍ୟନ୍ତ ନଗଣ୍ୟ । ରିପୋର୍ଟ ଅନୁଯାୟୀ ୨୦୧୭-୧୮ରେ ୩୫,୪୨୨ ଟନ୍ ଏବଂ ୨୦୧୮-୧୯ରେ ୧,୫୪,୨୪୨ ଟନ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଏହି ସମୟରେ ସଂଗ୍ରହ ଅତ୍ୟନ୍ତ ନୈରାଶ୍ୟଜନକ ଥିବା ରିପୋର୍ଟରେ କୁହାଯାଇଛି ।
୨୦୧୭-୧୮ରେ ମାତ୍ର ୨୫,୩୨୫ ଟନ ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ବେଳେ ୨୦୧୮-୧୯ରେ ୭୮,୨୮୧ ଟନ୍ ସଂଗ୍ରହ କରାଯାଇଛି । ତେବେ ଗାଇଡ଼ ଲାଇନ ଅନୁଯାୟୀ ଇଲେକ୍ଟ୍ରୋନିକ ଜିନିଷ ଉତ୍ପାଦନ କରୁଥିବା ସଂସ୍ଥା ଘରୁ ସଂଗ୍ରହ କରିବା ସହ ସେଗୁଡ଼ିକୁ ପୁନଃ ପ୍ରକ୍ରିୟାକରଣ କରିବା ନିୟମ ରହିଛି । ୨୦୨୦ ନଭେମ୍ବର ୨୬ ସୁଦ୍ଧା ୧୬୩୦ ଉତ୍ପାଦନକାରୀ ସଂସ୍ଥା ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ପଞ୍ଜୀକୃତ ହୋଇଛନ୍ତି । ୨୦୧୭-୧୮ରେ ୬୯୪୧୩ ଟନ୍ ଇ-ବର୍ଜ୍ୟବସ୍ତୁ ପ୍ରକି୍ରୟାକରଣ କରିଥିବାବେଳେ ୨୦୧୮-୧୯ରେ ୧୬୪୬୬୩ ଟନ୍ କରାଯାଇଛି । ୨୦୨୦ ସୁଦ୍ଧା ୧୮୬ଟି ଉତ୍ପାଦନକାରୀ ସଂସ୍ଥା ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରୁ ନଥିବାରୁ ସିପିସିବି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଓଡ଼ିଶାରେ ମଧ୍ୟ ଇ-ବର୍ଜ୍ୟବସ୍ତୁ ବଡ଼ ସମସ୍ୟା ଭାବେ ଉଭା ହେଲାଣି । ରାଜ୍ୟରେ ବର୍ଷକୁ ୯,୯୨,୮୦୦ ଟନ୍ ଇ-ବର୍ଜ୍ୟବସ୍ତୁ ବାହାରୁଛି । ସେଥିରୁ ମାତ୍ର ୫ ପ୍ରତିଶତ ପୁନଃ ପ୍ରକ୍ରିୟାକରଣ କରାଯାଉଛି ।
ଓଡ଼ିଶାରେ ଇ-ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ସେପରି କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । କେବଳ ସର୍କୁଲାର ଓ ଗାଇଡ଼ଲାଇନରେ ଏହା ସୀମିତ ରହିଛି । ରାଜ୍ୟରେ ଇ-ବର୍ଜ୍ୟବସ୍ତୁ ବଢ଼ୁଥିବା ବେଳେ ଏହାକୁ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣର ବ୍ୟବସ୍ଥା ହୋଇନାହିଁ । ଇ-ବର୍ଜ୍ୟବସ୍ତୁ ଜଳ, ସ୍ଥଳ ଓ ବାୟୁମଣ୍ଡଳ ପାଇଁ ବିପଜ୍ଜନକ । ଏହାର ସୁରକ୍ଷିତ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣ ଠିକ୍ ଢ଼ଙ୍ଗରେ କରା ନଗଲେ ଆଗାମୀ ଦିନରେ ଏହା ଭୟଙ୍କର ସମସ୍ୟା ସୃଷ୍ଟି କରିବ ବୋଲି ପରିବେଶବିତ୍ ଆଶଙ୍କା କରିଛନ୍ତି । ରାଜ୍ୟରେ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ପାଞ୍ଚଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏହାର ସଂଗ୍ରହ ଓ ପ୍ରକ୍ରିୟାକରଣ ବୃଦ୍ଧି ନେଇ ପଦକ୍ଷେପ ନିଆଯାଉଛି । ଶିକ୍ଷାନୁଷ୍ଠାନରେ ଇ-ବର୍ଜ୍ୟବସ୍ତୁ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରାଯାଉଛି ।
ସରକାର ଡିଜିଟାଲୀକରଣକୁ ପ୍ରୋତ୍ସାହନ ଦେବା ଦ୍ୱାରା ଇ-ଆବର୍ଜନା ବହୁଳ ଭାବେ ବୃଦ୍ଧି ପାଉଛି । ଏଣୁ ଉତ୍ତମ ବ୍ୟବସ୍ଥା ଦ୍ୱାରା ଇ-ଆବର୍ଜନାର ନବୀକରଣ ମଧ୍ୟ କରାଯାଇପାରିବ । ଇ-ଆବର୍ଜନାର ପୁନଃଚକ୍ରଣ ବା ରିସାଇକ୍ଲିଂ ସାଧାରଣତଃ ଅସଂଗଠିତ କ୍ଷେତ୍ର ଦ୍ୱାରା କରାଯାଉଛି । ଆମ ଦେଶରେ ମୁମ୍ବାଇ ଏବଂ ଦିଲ୍ଲୀ ପରେ ସବୁଠୁ ଅଧିକ ଇ-ଆବର୍ଜନା ବେଙ୍ଗାଲୁରୁରେ ସୃଷ୍ଟି ହେଉଛି । ସେଠାରେ ପ୍ରତିବର୍ଷ ୩୭ ହଜାର ଟନ୍ ଇ-ଆବର୍ଜନା ସୃଷ୍ଟି ହେଉଥିବା ବେଳେ ମେସିନ ସହାୟତାରେ ବର୍ଷକୁ ମାତ୍ର ୪.୪ ଟନ୍ ନଷ୍ଟ କରାଯାଉଛି ।
ସେହିପରି କୋଲକାତାରେ ମଧ୍ୟ ବର୍ଷକୁ ୯ ହଜାର ଟନ୍ ଇ-ଆବର୍ଜନା ସୃଷ୍ଟି ହେଉଛି । ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଣୟନ କରାଯାଇଥିବା ନିୟମ ଅନୁଯାୟୀ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକ ଏହାର ପୁନଃଚକ୍ରଣ କରିବେ । ଏଥିପାଇଁ ଦେଶରେ କୌଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୩ ଲକ୍ଷ କବାଡ଼ିବାଲାଙ୍କୁ ତାଲିମ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ମାତ୍ର ଏହି ବ୍ୟବସ୍ଥା ଏଯାବତ୍ କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି । କିଛି ପରିବେଶବିତ୍ଙ୍କ ମତ ଅନୁଯାୟୀ ଇ-ଆବର୍ଜନାର ପୁନଃଚକ୍ରଣ କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେଉଥିବାରୁ ବିକଶିତ ଦେଶ ଭାରତରେ ଏଗୁଡ଼ିକ କେବଳ ଡମ୍ପିଂ କରାଯାଉଛି ।
ଦୁର୍ବଳ ପ୍ରଶାସନିକ ବ୍ୟବସ୍ଥା କଡ଼ା ପରିବେଶ ନିୟମର ଅଭାବ ଏବଂ ପ୍ରଭାବଶାଳୀ ବ୍ୟବସ୍ଥାର ଅଭାବ ଯୋଗୁଁ ଏହି ସମସ୍ୟା ଧିରେ ଧିରେ ସାରା ଦେଶରେ କାୟାବିସ୍ତାର କରିବାରେ ଲାଗିଛି । ଅନେକ ମୋବାଇଲ ଫୋନ୍ରେ ସୁନା, ରୂପା, ପ୍ଲାଟିନମ୍, ତମ୍ବା, ଇସ୍ପାତ, ଆଲୁମିନିୟମ, ପୋଲେଡିୟମ, କେମ୍ବାଲ୍ଟ ଆଦି ଧାତୁ ସହ ଲିଡ଼୍ ଓ ମର୍କୁରୀ ପରି ବିଷାକ୍ତ ରସାୟନ ମଧ୍ୟ ବ୍ୟବହୃତ ହୋଇଥାଏ । ଏହାକୁ ଯଦି ଠିକ୍ ପଦ୍ଧତିରେ ନଷ୍ଟ କରାନଯାଏ, ତେବେ ଏହା ପରିବେଶ ସାଙ୍ଗକୁ ସ୍ୱାସ୍ଥ୍ୟଗତ ଗମ୍ଭୀର ସମସ୍ୟା ମଧ୍ୟ ସୃଷ୍ଟି କରିବ । ତେଣୁ ସରକାର ଏହି ସମସ୍ୟାର ସମାଧାନ ବେଳହୁଁ ଦୃଢ଼ ପଦକ୍ଷେପ ନେବା ଉଚିତ ।