Odisha news

ଦୂତିଙ୍କୁ ଆଉ ଦେଢ଼ କୋଟି, ନୂଆଦିଲ୍ଲୀରେ ପହଞ୍ଚିଲେ

0

ଭୁବନେଶ୍ୱର : ଜାକର୍ତା ଏସିଆଡ୍‌ରେ ଦୋହରା ରୁପା ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିବା ଦୂତି ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଦେଢ଼ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ୧୦୦ ମିଟର୍‌ ରୁପା ପଦକ ବିଜୟ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଢ଼ କୋଟି ଘୋଷଣା କରିଥିଲେ। ବୁଧବାର ଦୂତି ୨୦୦ ମିଟର୍‌ରେ ମଧ୍ୟ ସମାନ ରୌପ୍ୟ ପଦକ ହାସଲ କରିଥିଲେ। ଫଳରେ ମାତ୍ର ୩ ଦିନ ବ୍ୟବଧାନ ଭିତରେ ଦୂତି ୩ କୋଟି ଟଙ୍କାର ପୁରସ୍କାର ପାଇବାକୁ ଯାଉଛନ୍ତି। ଏଥିସହିତ, ୨୦୨୦ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଦୂତିଙ୍କ ତାଲିମର ସମସ୍ତ ବ୍ୟବସ୍ଥା ସରକାର ବହନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ବୁଧବାର ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜକାର୍ତା ଟେଲିଫୋନ୍‌ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ନିଜର ପ୍ରତିକ୍ରିୟାରେ ଦୂତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ମୋ ପରିଶ୍ରମର ମୂଲ୍ୟ ବୁଝିଛନ୍ତି। ଏହି ପୁରସ୍କାର ରାଶି ଘୋଷଣା ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବ। ଅଧିକରୁ ଅଧିକ ପିଲା କ୍ରୀଡ଼ା କ୍ଷେତ୍ରରେ ନିଜକୁ ଅନ୍ତର୍ଭୁକ୍ତ କରିବେ। ମୁଁ ବି ଅଧିକରୁ ଅଧିକ ଇଭେଣ୍ଟ୍‌ରେ ଭାଗନେବି ଏବଂ ଦେଶକୁ ଅଧିକ ଗୌରବାନ୍ଵିତ କରିବି।’

ଗୁରୁବାର ରାତିରେ ପ୍ରଶିକ୍ଷକ ଏନ୍‌. ରମେଶଙ୍କ ସହ ଦୂତି ନୂଆଦିଲ୍ଲୀରେ ପହଞ୍ଚିବା ପରେ ବିମାନ ବନ୍ଦରରେ କିଟ୍‌ ଓ କିସ୍‌ ପକ୍ଷରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି। ଶୁକ୍ରବାର ପୂର୍ବାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ। ସନ୍ଧ୍ୟାରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦୂତିଙ୍କୁ ସମ୍ବର୍ଧିତ କରିବାର କାର୍ଯ୍ୟକ୍ରମ ରହିଛି।

Nalco

Leave A Reply