ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଆଜି ୱେଲ୍ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି : ୧୭ କୁ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅତି ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା
ଭୁବନେଶ୍ବର : ଗତକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ୱେଲ୍ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି। ଆଗକୁ ଏହା କି ରୂପ ନେବ ତାହା ବର୍ତ୍ତମାନ ସୁଦ୍ଧା ସଠିକ୍ ଭାବେ ଜଣାପଡ଼ିନାହିଁ। ଏହା୧୬ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ରହିବା ସହ ବାତ୍ୟା ରୂପ ନେଇପାରେ। ୧୭ ତାରିଖ ବେଳକୁ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ମଧ୍ୟ ଅଧିକ। ବାତ୍ୟାର ନାମ ‘ଆମ୍ଫାନ’ ରହିବ।
ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେ ନେଇ ଏବେ ବି ବିଭିନ୍ନ ମଡ଼େଲ୍ ଭିନ୍ନ ଭିନ୍ନ ଚିତ୍ର ଆଙ୍କୁଛନ୍ତି। ତେବେ ଅଧିକାଂଶ ମଡେ଼ଲ କହୁଛି ଯେ ବାତ୍ୟା ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ କି ନାହିଁ, ତାହା ଜଣାପଡୁନାହିଁ। କିନ୍ତୁ ଏହାର ବଳୟ ଭିତରେ ଉପକୂଳ ଅଞ୍ଚଳ ରହିବ। ଆଉ କିଛି ମଡେଲର ସୂଚନା ହେଉଛି, ଓଡ଼ିଶା ବର୍ତିଯାଇପାରେ। ଯଦି ଏହାର ପ୍ରଭାବ ଓଡ଼ିଶାରେ ରହେ ତେବେ ୧୮ରୁ ୨୦ ତାରିଖ ଯାଏ ପ୍ରଭାବ ଅନୁଭୂତ ହେବ ଓ ୧୯ ତାରିଖ ଦିନ ଓଡ଼ିଶାରେ ଭୀଷଣ ବର୍ଷା ଓ ପବନ ହେବ। ଏହା ୨୦ ତାରିଖରେ ସ୍ଥଳ ଭାଗ ସ୍ପର୍ଶ କରିବ।
ଭାରତ ସରକାରଙ୍କର ଏନ୍ସିଇଓଏମ୍ ମଡେଲ କହୁଛି ଯେ ଏହା ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ଭୂ ଭାଗକୁ ସ୍ପର୍ଶ କରିପାରେ। ଆମେରିକାର ଏନ୍ସିଇପି ମଡେଲ କହୁଛି, ଏହା ବାଂଲାଦେଶର ପୂର୍ବ ଉପକୂଳରେ ଚିଟାଗଙ୍ଗ ସହର ପାଖାପାଖି ସ୍ଥାନରେ ସ୍ଥଳ ଭାଗ ସ୍ପର୍ଶ କରିବ। ଭାରତୀୟ ପାଣିପାଗ ବିଭାଗର ଜିଏଫ୍ଏସ୍ ମଡେଲ କହୁଛି ଏହା ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ମଧ୍ୟରେ ସ୍ପର୍ଶ କରିପାରେ। ଭାରତୀୟ ପାଣିପାଗର ଜିଇଏଫ୍ଏସ୍ ମଡେଲ କହୁଛି ଏହା ଓଡ଼ିଶା ଘଷି ହୋଇ ପଶ୍ଚିମବଙ୍ଗ ଓ ବାଲାଂଦେଶ ଆଡ଼କୁ ଯିବାର ସମ୍ଭାବନା ରହିଛି। ଆକ୍ୟୁୱେଦର କହୁଛି ଯେ ଏହା ଉତ୍ତର ବଙ୍ଗୋପସାଗରର ମୁଣ୍ଡରେ ଥିବା ବାଂଲାଦେଶର ସୁନ୍ଦରବନ ଆଡ଼େ ଯିବାର ସମ୍ଭାବନା ରହିଛି।