ପୁରୀ :ରାଜ୍ୟ ସରକାର ଶ୍ରମ ସମୟ ୮ଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟାକୁ ବୃଦ୍ଧି କରିବା ଘୋଷଣା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ଅଭିଯୋଗ କରିଛି ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ(ଏଆଇଟିୟୁସି) ।ସରକାରଙ୍କ ଏହି ଘୋଷଣାର ପ୍ରତିବାଦରେ ଗୁରୁବାର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା ।
ବିକ୍ଷୋଭକାରୀମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୪ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ପ୍ୟାକ୍ଟରୀ ଆଇନ, ୧୯୪୮ ଅନୁଯାୟୀ ଶ୍ରମିକମାନଙ୍କ ଦୈନିକ ଶ୍ରମ ସମୟ ୮ଘଣ୍ଟା ଧାର୍ଯ୍ୟ ହୋଇଥିବା ବେଳେ ଗତ ୮ ତାରିଖ ଦିନ ରାଜ୍ୟ ସରକାର ଶ୍ରମ ସମୟ ୮ଘଣ୍ଟା ପରିବର୍ତ୍ତେ ୧୨ଘଣ୍ଟାକୁ ବୃଦ୍ଧି କରିଛନ୍ତି । ଏ ସଂକ୍ରାନ୍ତ ଘୋଷଣା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ଅଖିଳ ଭାରତ ଟ୍ରେଡ ୟୁନିଅନ କଂଗ୍ରେସ(ଏଆଇଟିୟୁସି) ପକ୍ଷରୁ ଅଭିଯୋଗ କରାଯିବା ସଙ୍ଗେ ସଙ୍ଗେ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା ।
ସରକାର ଅବିଳମ୍ବେ କାର୍ଯ୍ୟ ସମୟ ବୃଦ୍ଧି ଘୋଷଣା ପ୍ରତ୍ୟାହାର କରିବା, ଲକଡାଉନରେ ପଡିଥିବା ସମସ୍ତ ଶ୍ରମିକଙ୍କ ମଜୁରୀ ମିଳିବା ସୁନିଶ୍ଚିତ କରିବା, ମଜୁରୀ କାଟ ବନ୍ଦ କରାଯିବା ସହ କାହାକୁ ଛଟେଇ ନକରିବା, ସମସ୍ତ ଶ୍ରମିକଙ୍କ ନିଯୁକ୍ତି ନିରାପତ୍ତାକୁ ସୁନିଶ୍ଚିତ କରାଯିବା ପାଇଁ ଏଆଇଟିୟୁସି ଦାବି କରିଛି । ଏଥିସହ ତୃଣମୂଳ ସ୍ତରରେ ସମ୍ମୁଖ ଭାଗରେ ରହି କୋଭିଡ-୧୯ ବିରୁଦ୍ଧରେ ଲଢ଼ୁଥିବା ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ସ୍ୱତନ୍ତ୍ର ପାରିଶ୍ରମିକ ପ୍ରଦାନ ଏବଂ ସୁରକ୍ଷା ସରଞ୍ଜାମ ଯୋଗାଇ ଦେବାକୁସଂଗଠନ ପକ୍ଷରୁ ଦାବି କରାଯାଇଛି ।ଏହି ବିକ୍ଷୋଭ ଓ ଧାରଣାରେ ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ସଭାପତି ହୃଷିକେଶ ପାଣି, ବିଦୁଲତା ପୃଷ୍ଟି, ବାସନ୍ତୀ ଗୋଚ୍ଛାୟତ, ପ୍ରମିଳା ମିଶ୍ର, ଶ୍ରମିକ ନେତା ଗୋଲେଖ ଚନ୍ଦ୍ର ନାୟକ, ପ୍ରମୋଦ କୁମାର ମହାନ୍ତି, ପ୍ରଦୀପ୍ତ କୁମାର ମହାନ୍ତି, ହରିହର ସେନାପତି, ପୂର୍ଣ୍ଣଚନ୍ଦ୍ର ସାହୁ, ଗୋବିନ୍ଦ ମାଝୀ, ଉମାକାନ୍ତ ନାୟକ ଓ ସୁକାନ୍ତ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।