ହିମାଂଶୁ ଶେଖର ଆ·ର୍ଯ୍ୟ : ସମ୍ପ୍ରତି ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ବିଶେଷ କରି ଜୁନ୍ ମାସରୁ ଏହି ସଙ୍କ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏପରିକି ଆଗାମୀ ଜୁଲାଇ ମାସରେ ଏହି ସଂକ୍ରମଣ ହାର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଅଦ୍ୟାବଧି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬,୦୨,୨୭୭ଥିବା ବେଳେ ମୃତକଙ୍କ ସଂଖ୍ୟା ୪,୮୬,୫୮୧ରେ ପହଞ୍ଚିଛି । ସେହିପରି ଆମ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୭୩,୩୧୫ଓ ମୃତକଙ୍କ ସଂଖ୍ୟା ୧୪,୮୯୪ ଏବଂ ଆମ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୯୬୨ ଥିବା ବେଳେ ମୃତକଙ୍କ ସଂଖ୍ୟା୧୭ ରେ ରହିଛି ।
ଏଭଳି ପରିସ୍ଥିତିରେ କରୋନା ମହାସଂକ୍ରମଣ ମୁହାଁ ହୋଇ ଏହି ୨୫ଦିନ ଭିତରେ ମୋଟ ୩ହଜାର ୮୫୮ରେ ପହଞ୍ଚିଛି ।ସରକାରଙ୍କ ସତର୍କତା ଓ ସାବଧାନତା ସତ୍ତ୍ୱେ୍ୱ ଆମ ରାଜ୍ୟରେ ମଧ୍ୟ ସ୍ଥିତି ସଙ୍କଟ ଜନକ ଅବସ୍ଥାରେ ରହିଛି । କରୋନା ସିଧାସଳଖ ଭାବେ ମଣିଷ ଜୀବନ ସହିତ ଜଡିତ ଥିବାରୁ ଏହା ତାର ଜୀବିକା ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ବିଶେଷ କରି ଶିକ୍ଷା ବ୍ୟବସ୍ଥା ଉପରେ ଏହାର ପ୍ରହାର ବେଶ୍ ବାରି ହୋଇପଡୁଛି ।
ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଜଣାପଡେ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷା କ୍ଷେତ୍ରରେ ବସିଛି । ମାତ୍ର ଶିକ୍ଷା ବ୍ୟବସ୍ଥାର ସେପରି କିଛି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ । ବିଭିନ୍ନ ସମୟରେ ଗଠନ କରାଯାଇଥିବା ଶିକ୍ଷା କମିଶନ ଓ ଶିକ୍ଷା କମିଟିର ସୁପାରିଶ ହେଉଛି ଶିକ୍ଷା ବାବଦରେ ବ୍ୟୟ ବରାଦ ବୃଦ୍ଧି କରିବା ପାଇଁ । ଏସବୁ କମିଶନ ଓ କମିଟିର ସୁପାରିଶ ଶୀତଳ ଭଣ୍ଡାରରେ ପଡିରହିିଛି । ୧୯୬୪ ମସିହାରେ ଗଠିତ କୋଠାରି କମିଶନ କେନ୍ଦ୍ର ବଜେଟ୍ର ୧୦ ଭାଗ ଓ ରାଜ୍ୟ ବଜେଟ୍ର ୩୦ ଭାଗ ଶିକ୍ଷାକ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ । କିନ୍ତୁ ଏଯାବତ୍ କୌଣସି ଯୋଜନାରେ ଶିକ୍ଷା ପାଇଁ କେନ୍ଦ୍ର ବଜେଟ୍ର ୪ ଭାଗ ଓ ରାଜ୍ୟ ବଜେଟ୍ର ୨୪ ଭାଗ ଅତିକ୍ରମ କରିପାରିଲା ନାହିଁ । କାରଣ ଆମ ଦେଶ ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟୟକୁ ବୋଝ ବୋଲି ବିବେଚନା କରାଯାଏ, ପରିସମ୍ପତ୍ତି ନୁହେଁ ।ବିଶେଷକରି ୧୯୯୦ ଦଶକ ପରଠାରୁ ଆମ ଦେଶ ଜଗତୀକରଣକୁ ଆପଣେଇ ନେଲାପରେ ଶିକ୍ଷାକ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ବହୁଳ ଭାବରେ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ପୁଷ୍ଟିକର ଅଣ୍ଡା, ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ଏସବୁ ସତ୍ତ୍ୱେ ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇଛି । ଏକ ତଥ୍ୟ ଅନୁସାରେ ୨୦୧୧-୧୨ ମସିହାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ୫,୫୧,୬୮୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୩-୧୪ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପହଁଞ୍ଚିଲା ବେଳକୁ ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୨,୯୬,୩୫୩ । ଅବଶିଷ୍ଟ ଛାତ୍ରଛାତ୍ରୀ ବାଟରୁ କୁଆଡେ ଗଲେ ତା’ର ଏବେ ହିସାବ ମିଳୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ହିସାବ ମିଳୁନଥିବା ୨,୫୫,୩୩୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୪୯,୮୬୫ ହେଉଚନ୍ତି ସରକାରୀ ବିଦ୍ୟାଳୟର । ଏବେ ପ୍ରାୟ ଫେଲ୍ ବ୍ୟବସ୍ଥା ନାହିଁ । ଏସବୁ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଢେଇ ଲକ୍ଷ କମିବା ବ୍ୟବସ୍ଥାଗତ ତ୍ରୁଟିକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।ଏପରିକି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୦ ବର୍ଷ ପରେ ବି ଏ କ୍ଷେତ୍ରରେ ସୁଧାର ଆସି ପାରିନାହିଁ ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ଶିକ୍ଷା ବ୍ୟବସ୍ଥାରେ ଜାତିଭେଦ । ଏଠି କିଏ ଜିଲ୍ଲାପରିଷଦ ଶିକ୍ଷକ, କନିଷ୍ଠ ଶିକ୍ଷକ,ଗଣଶିକ୍ଷକ, ଶିକ୍ଷା ସହାୟକ ତ କିଏ ବ୍ଲକ୍ଗ୍ରାଣ୍ଟ୍ ଶିକ୍ଷକ । ଯଦିଓ ନିକଟରେ ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି ତଥାପି ସେମାନଙ୍କୁ ପୂର୍ଣ୍ଣ ଚାକିରି ସର୍ତ୍ତାବଳୀ ଓ ଅବସରକାରଳୀନ ସୁବିଧା ସୁଯୋଗ ମିଳିନାହିଁ । କାହିଁ ଅତୀତରେ ଶିକ୍ଷକମାନଙ୍କୁ ଏପରି ଭାଗ ଭାଗ କରାଯାଉନଥିଲା? ଗୋଟିଏ ବୃତ୍ତିରେ ଥାଇ ସମାନ କାମକରି ଭିନ୍ନ ଭିନ୍ନ ବେତନ ପାଉଥିବାରୁ ଶିକ୍ଷକମାନେ ହୀନମନ୍ୟତାର ଶିକାର ହେଉଚନ୍ତି । ପରିଣାମ ସ୍ୱରୂପ, ବିଭିନ୍ନ ସମୟରେ ସେମାନେ ଆନେ୍ଦାଳନ କରୁଛନ୍ତି ଓ କୋର୍ଟ କଚେରୀର ଦ୍ୱାରସ୍ଥ ହେଉଛନ୍ତି ତାଙ୍କୁ ଶିକ୍ଷକ ସ୍କେଲ ଦେବାପାଇଁ । ସାମଗ୍ରିକ ଭାବେ ଏହାର ପ୍ରତିକୂଳ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଉପରେ ପଡୁଛି । ଏବେ ପୁଣି ସରକାରୀ ସ୍କୁଲ ପରେ କେନ୍ଦ୍ରୀୟ ବିଦ୍ୟାଳୟ ,ମଡେଲ ସ୍କୁଲ,ନବୋଦୟ ବିଦ୍ୟାଳୟ ଆଦି ସରକାରୀ ଭାବେ ସ୍ଥାପିତ ହୋଇଅଛି । ଏସବୁ ସତ୍ତ୍ୱେ ଛତୁ ଫୁଟିଲାପରି ବେସରକାରୀ ସ୍କୁଲ ଖୋଲୁଛି ।
କରୋନା ଜନିତ ସଂକ୍ରମଣର ମୁକାବିଲା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କେତେକ ଜରୁରୀ ପଦକ୍ଷେପ ନେଇଛନ୍ତି । ଏନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ସିବିଏସଇ ଓ ଆସିଏସଇ ପରୀକ୍ଷାକୁ ନେଇ ସୁପ୍ରିମକୋଟ ରାୟ ଦେବା ପରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ହେବକି ନାହିଁ ସେଥିପାଇଁ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । କରୋନା ଯୋଗୁଁ ସ୍ଥଗିତ ଥିବା ଅବଶିଷ୍ଟ ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅବଶିଷ୍ଟ ପରୀକ୍ଷା କରାଯିବ କି ବିକଳ୍ପ ମୂଲ୍ୟାୟନ ଏପରିକି ସିଟିଇଟି ପରିକ୍ଷା ମଧ୍ୟ ସ୍ଥଗିତ ରହିଛି । ତେଣୁ ସରକାର ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନକୁ ଭରଣା କରିବାପାଇଁ ଅନଲାଇନ୍ ମାଧ୍ୟମରେ ପାଠ ପଢାକୁ ଗୁରୁତ୍ୱ ଦେଇଛନ୍ତି ।
କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ସହରାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀ ଅନଲାଇନ୍ରେ ଶିକ୍ଷା ଗ୍ରହଣ କରିପାରୁଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ଗୁଡିକରେ ବହୁ କମ୍ ଛାତ୍ରଛାତ୍ରୀ ଏହି ଶିକ୍ଷା ଗ୍ରହଣ କରୁଛନ୍ତି । ମାତ୍ର ଆଦିବାସୀ ଅଧୁ୍ୟଷିତ ତଥା ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଏ ପର୍ଯ୍ୟନ୍ତ ଅନଲାଇନ୍ ଶିକ୍ଷା ସମ୍ପର୍କରେ କିଛି ଜାଣି ନାହାନ୍ତି । ମୋଟାମୋଟି ଭାବେ କହିଲେ ପ୍ରାୟ ୩୮ଲକ୍ଷ ପିଲା ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି । ତେଣୁ କରୋନା ପ୍ରତିହତ ପରେ ଆମ ଶିକ୍ଷା ବ୍ୟବସ୍ଥାରେ କିପରି ସୁଧାର ଆସିବ ତାହାକୁ ସମସ୍ତେ ଉସôୁକତାର ସହ ଅପେକ୍ଷା କରିଛନ୍ତି ।