ହିମାଂଶୁ ଶେଖର ଆଚାର୍ଯ୍ୟ : ଦେଶରେ କରୋନା ସଂକ୍ରମଣ ଥମିନାହିଁ, କିନ୍ତୁ କରୋନାର ପ୍ରକୋପ କ୍ରମଶଃ କମି କମି ଆସୁଛି । ତେବେ ବର୍ତ୍ତମାନ ପ୍ରତିଦିନ ୨୦ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀରୁ ଦେଶରେ କରୋନା ଟୀକାକରଣର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ କହିଛନ୍ତି । ସେ କହିଛନ୍ତି, ବିଶ୍ୱର ଅନ୍ୟ ବିକଶିତ ରାଷ୍ଟ୍ରଗୁଡିକ ତୁଳନାରେ ଭାରତରେ କରୋନାର ସୁସ୍ଥହାର ସବୁଠୁ ଅଧିକ ରହିଛି । ସୁସ୍ଥହାର ରହିଛି ୯୫ରୁ୯୬ ପ୍ରତିଶତ ମଧ୍ୟରେ । ଆମେରିକା ରୁଷ ଓ ବ୍ରାଜିଲ ଭଳି ବିକଶିତ ଦେଶରେ ଏହା ୬୦ରୁ ୮୦ ପ୍ରତିଶତ ମଧ୍ୟରେ ରହିଛି ।
କରୋନା ଟୀକା ପାଇଁ ଚାଲିଥିବା ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନାଅନୁଯାୟୀ, ଆସନ୍ତା ସପ୍ତାହରେ ରାଜଧାନୀ ଦିଲ୍ଲୀରେ କରୋନା ଟୀକାର ପ୍ରଥମ ସ୍ଲଟ ପହଞ୍ଚିବ । ଏବେ ବ୍ରିଟେନରେ ନୂଆ କରୋନା ଭୂତାଣୁକୁ ନେଇ ଚାରିଆଡେ ପୁଣି କରୋନା ଭୟ ଖେଳିଯାଇଛି । ସବୁଠି ଏବେ ବ୍ରିଟେନ ଫେରନ୍ତାକୁ ଖୋଜାଚାଲିଛି । ଦେଶରେ ପ୍ରାୟ ୫୦,୮୩୨ ଜଣଙ୍କୁ ଖୋଜାଚାଲିଥିବା ବେଳେ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଟୀକାକରଣ ନହେବା ପର୍ଯ୍ୟନ୍ତ ଆମକୁ ଆହୁରି ଅଧିକ ସଚେତନ ଓ ସତର୍କ ରହିବାକୁ ପଡିବ ।
ଟୀକାକରଣ ବେଳେ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡିବ ଓ କେମିତି ସୁରକ୍ଷିତ ଭାବେ ଲୋକଙ୍କୁ ଟୀକା ପ୍ରଦାନ କରାଯିବ, ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିକ୍ଷା ଦିଆଯାଉଛି । ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରାୟ ୩୫୦୦ ସ୍ୱାସ୍ଥ୍ୟକର୍ମୀ ଭାଗ ନେଇଛନ୍ତି । ସେହିପରି ଟୀକାର ସଂରକ୍ଷଣ ପାଇଁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଲୋକନାୟକ ହସ୍ପିଟାଲ, କସ୍ତୁରବା ହସ୍ପିଟାଲ, ବାବାସାହେବ ଆମ୍ବେଦକର ହସ୍ପିଟାଲ୍, ଜିଟିବି ହସ୍ପିଟାଲ ଓ ମହଲ କ୍ଲିନିକଗୁଡିକୁ ଶୀତଳ ଭଣ୍ଡାରଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି ।
ସେହିପରି ତାଲିମ କାର୍ଯ୍ୟକ୍ରମ ପାଇଁ ମୈାଲାନା ଆଜାଦ ମେଡିକାଲ କଲେଜ ୩ ଜଣ ଡାକ୍ତରଙ୍କୁ ଟୀକାକରଣ ଅଫିସର ଭାବେ ଚୟନ କରିଛି । ସେମାନେ ଅନ୍ୟ ଟୀକାକରଣ ଅଫିସରଙ୍କୁ ତାଲିମ ଦେବେ ଓ ଏହି ତାଲିମପ୍ରାପ୍ତ ଅଧିକାରୀ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଟ୍ରେନିଂ ଦେବେ । ପ୍ରତିଟି କୋଲ୍ଡ ଚେନ୍ରେ ଟୀକାକରଣ ଦାୟିତ୍ୱରେ ୬ଜଣ ଅଧିକାରୀ ରହିବେ । ପ୍ରତି କୋଲ୍ଡ ଚେନ୍ ପଏଣ୍ଟରେ ୩ଟି ରୁମ୍ର ବ୍ୟବସ୍ଥା ମଧ୍ୟ ରହିବ ।
ଉଲ୍ଲେଖଥାଉକି, ସ୍ୱଦେଶୀ ଜ୍ଞାନକୈାଶଳରେ ଭାରତରେ ତିଆରି ହୋଇଥିବା ପ୍ରଥମ କରୋନା ଟୀକା କୋଭାକ୍ସିନର ଫେଜ୍ ୩ ଟ୍ରାଏଲ ପାଇଁ ୧୩ ହଜାର ସ୍ୱେଚ୍ଛାସେବୀ ନିଜର ନାଁ ପଞ୍ଜିକରଣ କରିସାରିଲେଣି ।
ଆଜି ହାଇଦ୍ରାବାଦସ୍ଥିତ ଟୀକାର ପ୍ରସ୍ତୁତ କରିଥିବା କମ୍ପାନୀ ଭାରତ ବାୟୋଟେକ ଏହି ସୂଚନା ଦେଇଛି । ଭାରତ ବାୟୋଟେକ ସହ ଆଇସିଏମଆର ମିଳିତ ଭାବେ ଏହି ଟୀକାକୁ ପ୍ରସ୍ତୁତ କରିଛି । ଭାରତ ବାୟୋଟେକ ଫେଜ୍ ୩ ଟ୍ରାଏଲ ପାଇଁ ମୋଟ ୨୬ହଜାର ଲୋକଙ୍କୁ ପଞ୍ଜିକୃତ କରିବାକୁ ଚାହୁଁଛି । ନଭେମ୍ବର ମଧ୍ୟଭାଗରୁ ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ଟୀକା ନେବାକୁ ୧୩ ହଜାର ଲୋକ ନାଁ ଦେଇସାରିଲେଣି । କିନ୍ତୁ କମ୍ପାନୀ ୨୬ ହଜାର ଲୋକଙ୍କୁ ନେଇ ଫେଜ୍ ୩ ଟ୍ରାଏଲ ଶେଷ କରିବାକୁ ଚାହୁଁଛି । ଭାରତ ବାୟୋଟେକର ଯୁଗ୍ମ ଏମଡି ସୁଚିତ୍ରା ଇଲ୍ଲା କହିଛନ୍ତି, ଭାରତରେ ପ୍ରଥମଥର ପାଇଁ କୈାଣସି ଟୀକାର ଟ୍ରାଏଲରେ ଏତେ ଲୋକ ସାମିଲ ହେବା ପ୍ରଥମ ଘଟଣା ।
ଧୀରେଧୀରେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆମେ ବହୁତ ଉସôାହିତ ବୋଲି ସେ କହିଛନ୍ତି । ଏଥିସହିତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟୀକା କରଣ ବ୍ୟବସ୍ଥାର ଅନୁଧ୍ୟାନ ଲାଗି କୋ-ୱିନ ଆପ୍ ବ୍ୟବସ୍ଥା କରାଯାଇଛି ।
ବିଶେଷ ସୂଚନାରୁ ଜଣାପଡିଛି ଯେ, ଆଗାମୀ ୭ମାସ ଭିତରେ ଲୋକଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ କରାଯିବ । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ୧କୋଟି ସ୍ୱାସ୍ଥ୍ୟକର୍ମୀ, ୨କୋଟି ଆଗଧାଡିର କରୋନା ଯୋଦ୍ଧା ଓ ୨୭ କୋଟି ୫୦ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବଦ୍ଧନ କହିଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀର ବୈଠକରେ ଅଧ୍ୟକ୍ଷତାକରି ସେ କହିଥିଲେ, ଭାରତରେ ପ୍ରଥମ ସ୍ୱଦେଶୀ କୋଭିଡ-୧୯ ଟୀକା ପ୍ରସ୍ତୁତ ହୋଇସାରିଛି । ଏହାକୁ ବ୍ୟବହାର କରିବା ଲାଗି ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ ୬ରୁ ୭ ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟୀକା ଲଗାଇବା କ୍ଷମତା ଭାରତ ନିକଟରେ ରହିଛି ।
ଟୀକା ବିକଶିତ କରିବା ନିମନ୍ତେ ଦିନ ରାତି ଏକ କରିଦେଥିବା କରୋନା ଯୋଦ୍ଧାଙ୍କୁ ସେ କୃତଜ୍ଞତା ଜଣାଇଥିଲେ । ସେପଟେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟୀକା କୋଭିଶିଲ୍ଡ ପ୍ରସ୍ତୁତ କରୁଥିବା ପୁନେର ସେରମ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ କହିଛି ଯେ, ଭାରତରେ ଆଗାମୀ ଏକ ବର୍ଷ ପାଇଁ ଟୀକା ବଣ୍ଟନ ଲାଗି ପ୍ରାୟ ୮୦ହଜାର କୋଟି ଟଙ୍କା ଦରକାର । ଭାରତ ସରକାର ଏଥିପାଇଁ ପ୍ରସ୍ତୁତ ରହିବା ଉଚିତ ।
ବର୍ତ୍ତମାନ ସୁଦ୍ଧା ଜଣା ପଡିଛି ଯେ, ବହୁ ଚର୍ଚ୍ଚିତ ଟୀକା ଗୁଡିକ ମଧ୍ୟରେ ଫାଇଜର, ମଡର୍ଣ୍ଣା, ଜାଇଡସ୍ କାଡିଲା,ଆଷ୍ଟ୍ରଜେନେକା ଅକ୍ସଫୋର୍ଡ, ଗାମାଲେୟା ସ୍ପୁଟନକ୍ ଓ ଭାରତ ବାୟୋଟେକ୍ର କୋଭାକ୍ସିନ୍ ରହିଛି । ଏଥିମଧ୍ୟରୁ ଅକ୍ସଫୋର୍ଡ, ଗାମାଲେୟା-ସ୍ପୁଟନକ୍, ମଡର୍ଣ୍ଣା ଓ ଫାଇଜର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ହେଲେ ଫାଇଜର ଟୀକାର ଟୀକାକରଣ ଆରମ୍ଭ ହୋଇଛି । ମାତ୍ର ଏହି ଟୀକାର ମୂଲ୍ୟ ୩୭ଡଲାର ବା ୨୭୨୮ ଟଙ୍କା ରହିଥିବା ବେଳେ ଏହା ସବୁଠୁ ମହଙ୍ଗା ରହିଛି ।ଅନ୍ୟ ପକ୍ଷରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟୀକା, କୋଭିଶିଲ୍ଡର ମୂଲ୍ୟ ୩ଡଲାର ବା ୨୨୨ ଟଙ୍କା ରହିଛି ।
ଏପରିକି ରୁଷିଆ ଟୀକା ସ୍ଫୁଟନିକ-ଭିର ଦାମ୍ ୧୦ ଡଲାର ବା ୭୩୭ ଟଙ୍କା ରହିଥିବା ବେଳେ ଭାରତ ବାୟୋଟକ ଓ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ ଟୀକାର ମୂଲ୍ୟ ୩ ରୁ ୬ଡଲାର ରହିବ ବୋଲି ଆଶା କରାଯାଉଛି । ଆମ ଦେଶରେ ୬ଟି ଟୀକା କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ରହିଛି । ସେରମର କୋଭାସିଲ୍ଡ, ଭାରତ ବାୟୋଟେକ୍ର କୋଭାକ୍ସିନ୍ ବ୍ୟତୀତ ରୁଷ୍ର ସ୍ଫୁଟନିକ୍-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିତ ବର୍ଷ ଆରମ୍ଭ ହେବ । ସେହିଭଳି ଜେଡ୍,ୱାଇ, ସିଓଭି-ଡି, ଏନ୍ଭିଏକ୍ସ-ସିଓଭି-୨୩୭୩, ଏଚ୍ଜିସିଓ-୧୯ ଟୀକା ମଧ୍ୟ ବିକଶିତ ହେଉଛି ।
ଆମ ରାଜ୍ୟ ସରକାର ମଧ୍ୟ କୋଭିଡ୍ ଟୀକା କରଣ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି । ଏଥିପାଇଁ ୮୩୦୦ ଟୀକା ପ୍ରଦାନ କାରୀ ଓ ୩୦,୦୦୦ ବିତରଣ କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି । ପ୍ରଥମେ ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।ଅନ୍ୟପଟେ ଟୀକା ପ୍ରଦାନ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସମତେ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ପ୍ର୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଥି ସହିତ ଟୀକା କରଣ ବ୍ୟବସ୍ଥା ଯେପରି ସୁବିଧା ହୋଇ ପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତ ରାଜ୍ୟ ସରକାର ।
କୋଭିଡ ଟୀକାକରଣ ନିମନ୍ତେ ବ୍ୟାପକ ସଚେତନତା ଓ ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଟୀକାକରଣ ପାଇଁ ରାଜ୍ୟ ସରକରାଙ୍କ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩.୨୦ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ଡାଟାବେଶ୍ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ୮ହଜାର ୨୭୬ ଜଣ ଟୀକା ଦାନ କର୍ମୀଙ୍କୁ ନିୟୋଜିତ କରାଯିବାର ବ୍ୟବସ୍ଥା ରହିଛି । ଏବେ ପୁଣି ବ୍ରିଟେନରେ ମହାମାରୀ କରୋନାର ନୂଆ ଷ୍ଟ୍ରେନ୍ ଯୋଗୁଁ ସାରା ବିଶ୍ୱରେ ଆତଙ୍କ ପ୍ରକାଶ ପାଇଛି । ତେଣୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବଦ୍ଧନ କହିଛନ୍ତି । ଏ କଥାକୁ ଆମକୁ ଗୁରୁତ୍ୱ ଦେବାକୁ ହେବ ।