ବାରିପଦା : କୋଭିଡ୍ ନିୟମ ଉଲ୍ଲଙ୍ଘନକୁ ନେଇ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାସକ ଦଳକୁ ଛାଡି ପାତରଅନ୍ତର ନିତୀ ଆପଣାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରେସ ବିବୃତ୍ତି ମାଧ୍ୟମରେ ଅଭିଯୋଗ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମବେଳେ କୋଭିଡ୍ ନିୟମ ଉଲ୍ଲଙ୍ଘନ ହୋଇଥିବାନେଇ କଂଗ୍ରେସ ନେତୃବୃନ୍ଦ ଓ କର୍ମୀବୃନ୍ଦମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଏହି ଘଟଣାକୁ କଂଗ୍ରେସ ଦଳ ପକ୍ଷରୁ ଘୋରନିନ୍ଦା କରାଯାଇଛି ।
ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶାସକ ବିଜେଡି ଦଳ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଓ ନେତାଙ୍କ ଜନ୍ମଦିନ ପାଳନ ଅବସରରେ ବାରମ୍ବାର ସାମାଜିକ ଦ୍ୱରତ ନରଖିବା ଓ କୋଭିଡ୍ର ନିୟମକୁ ଉଲ୍ଲଙ୍ଘନ କରାଯାଉଥିଲେ ମଧ୍ୟ ଓ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉନଥିବାରୁ ପ୍ରଶାସନ ଏବେ ବିଜେଡିର ଦଳର ହାତବାରିସୀ ସାଜିଛି ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।
ତେଣୁ ତୁରନ୍ତ କଂଗ୍ରେସ ନେତୃ ଓ କର୍ମୀବୃନ୍ଦଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ପୂର୍ବତନ ସାଂସଦ ସୁଶିଳା ତିରିଆ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ରଥ, ବିଜନ ଦାସ, ଜ୍ୟୋତିପ୍ରକାଶ ରଥ, ଅରବିନ୍ଦ ଦାସ, ଜଗେଶ ଅଗ୍ରୱାଲା, ସାନ୍ତନୁ ପାଲ ଓ ସୁସ୍ମିତା ଘୋଷାଲ ପ୍ରମୁଖ ଦାବି କରିଛନ୍ତି । ଠିକ୍ ସେହିଭଳି ଗତ କିଛିଦିନ ତଳେ ମୟୂରଭଞ୍ଜ ବିଜେପି ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇ କୋଭିଡ୍ ନିୟମ ଉଲ୍ଲଙ୍ଘନକୁ ନେଇ ପ୍ରଶାସନ ବିଜେଡିର ହାତବାରିସୀ ସାଜିଛି ବୋଲି ଅଭିଯୋଗ କରାଯାଇଥିଲା । ଫଳରେ ଏବେ ଜିଲ୍ଲାରେ କୋଭିଡ୍ ନିୟମକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ଦଳ ପ୍ରଶାସନ ସହ ମୁହାଁମୁହିଁ ହୋଇଛନ୍ତି ।
