Odisha news

ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତିର ସ୍ବତନ୍ତ୍ର ସମୀକ୍ଷା ବୈଠକ

0
ପୁରୀ: ସମସ୍ତଙ୍କୁ ମୋର ନମସ୍କାର। ରଥ ଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ ମୁଁ ସମସ୍ତଙ୍କୁ  ସ୍ବାଗତ କରୁଛି। ଖୁସିର କଥା ଦୁଇ ବର୍ଷ ପରେ ଭକ୍ତଙ୍କୁ ନେଇ ଚଳିତ ବର୍ଷ ମହାପ୍ରଭୁଙ୍କର ରଥ ଯାତ୍ରା ଅନୁଷ୍ଠିତ ହେବ। ତେଣୁ ଏଥର ପୁରୀକୁ ଅଧିକ ଭକ୍ତ ଆସିବେ। ଏଥି ପାଇଁ ଆମକୁ ଆଗୁଆ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବାକୁ ହେବ। ସମସ୍ତେ ଯେପରି ଭଲ ଅନୁଭୂତି ନେଇ ଫେରିବେ। ସେଥି ପ୍ରତି ଆମର  ବିଶେଷ ଦୃଷ୍ଟି ଦିଆଯିବା ଦରକାର। କୋଭିଡ ସମୟରେ ରଥଯାତ୍ରା ପରିଚାଳନାରେ ସେବାୟତମାନେ ବହୁତ୍ ସହଯୋଗ କରି ଥିଲେ। ନିଜେ ରଥ ଟାଣି ମହାପ୍ରଭୁଙ୍କ ରଥଯାତ୍ରା କରି ଥିଲେ। ସେଥିପାଇଁ ମୁଁ ସେବାୟତ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଉଛି। ତତ ସହିତ ମୁଁ ପୁରୀର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି। କରୋନା ଭୟ ଏବେ ବି ପୁରା ଦୂର ହୋଇ ନାହିଁ। ତେଣୁ ଆମକୁ ସତର୍କତା ରହିବାକୁ ହେବ। ମହାପ୍ରଭୁଙ୍କ ଆଗାମୀ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ଯେପରି ଭଲ ଭାବରେ ହେବ ସେଥିପାଇଁ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି ଶନିବାର ପୂର୍ବାହ୍ନରେ ପୁରୀ ଟାଉନ ହଲ ପରିସରରେ ଆୟୋଜିତ ରଥ ଯାତ୍ରା ଶେଷ ସମୀକ୍ଷା ବୈଠକରେ ଭିଡିଓ କନଫରେନ୍ସ ମାଧ୍ୟମରେ  ଅଧ୍ୟକ୍ଷତା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶନିବାର ପୂର୍ବାହ୍ନରେ ପୁରୀ ଟାଉନ ହଲ ପରିସରରେ ଚଳିତ ବର୍ଷ ରଥ ଯାତ୍ରା ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥାଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ, ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଦୁଇ ବର୍ଷ ପରେ ଭକ୍ତମାନଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଏବର୍ଷ ବହୁତ ଅଧିକ ଭକ୍ତ ଆସିବେ। ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ କହିଛନ୍ତି ।
କୋଭିଡ ସମୟରେ ରଥଯାତ୍ରା ପରିଚଳନାରେ ସେବାୟତ ବନ୍ଧୁମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ରୂପରେଖ ପୁସ୍ତକର ଲୋକାର୍ପଣ କରିଥିଲେ।
ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା ଅତିଥି ପରିଚୟ ପ୍ରଦାନ କରି ଥିଲେ।  ବୈଠକରେ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ। ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ରଥାଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ ।  ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଶ୍ରୀ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆର.ଡି.ସି ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର, ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ରାଧାକୃଷ୍ଣ ଶର୍ମା, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଆଇନ୍ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରତାପ କୁମାର ପାତ୍ର, ପଚାଂୟତରାଜ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା,ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ପଣ୍ଡା, ପରିବହନ କମିଶନର ଶ୍ରୀ ଅରୁଣ କୁମାର ବୋଥ୍ରା , କେନ୍ଦ୍ରାଚଂଳ ପୋଲିସ ଆଇଜି ଶ୍ରୀ ନରସିଂହ ଭୋଳ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ,ମନ୍ଦିର କମିଟି  ଉପଦେଷ୍ଟା ,ଛତିଶା ନିଯୋଗର ସଦସ୍ୟ ,ସେବାୟତ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
Leave A Reply