ପରୀକ୍ଷା ଓ ଫଳ ପ୍ରକାଶନୀରେ ବିଳମ୍ବକୁ ବରଦାସ୍ତ କରାଯିବନି କୁଳପତିଙ୍କୁ ତାଗିଦ୍ କଲେ, ପରାମର୍ଶ ଦେଲେ; ଶୃଙ୍ଖଳା ରକ୍ଷା କର, ଅଣଛାତ୍ରଙ୍କ କବଳରୁ କ୍ୟାମ୍ପସ୍କୁ ମୁକ୍ତ ରଖ
ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ପରୀକ୍ଷା ଠିକ୍ ସମୟରେ କର। ପରୀକ୍ଷା ଫଳ ବି ଠିକ୍ ସମୟରେ ପ୍ରକାଶ କର। ଆସନ୍ତା ଶିକ୍ଷା ବର୍ଷଠାରୁ ଏଥିରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କଡ଼ା ତାଗିଦ୍ କରିଛନ୍ତି।
ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତି ସମ୍ମିଳନୀ ଆୟୋଜନ କରାଯାଇଥିଲା। ବିଶ୍ବବିଦ୍ୟାଳୟଗୁଡ଼ିକ ଯେଉଁ କାରଣ ସବୁ ପାଇଁ ସବୁବେଳେ ବଦ୍ନାମ ମୁଣ୍ଡାଉଛନ୍ତି, ସେହି ପ୍ରସଙ୍ଗଗୁଡ଼ିକରେ ମୁଖ୍ୟମନ୍ତ୍ରୀ କୁଳପତିମାନଙ୍କୁ ତାଗିଦ୍ କରିଥିଲେ। ସରକାରୀ ବିଶ୍ବବିଦ୍ୟାଳୟର ଏକାଡେମିକ୍ ଉତ୍କର୍ଷ ହାସଲ କରିବାକୁ ଅନେକ ପରାମର୍ଶ ବି ଦେଇଥିଲେ।
କେବଳ ବିଶ୍ବବିଦ୍ୟାଳୟ ପରିସରରେ ନୁହେଁ, ଅନୁବନ୍ଧିତ କଲେଜଗୁଡ଼ିକ ପ୍ରତି କୁଳପତିଙ୍କ ଦାୟିତ୍ବ ପ୍ରତି ମୁଖ୍ୟମନ୍ତ୍ରୀ ସଚେତନ କରାଇ ଦେଇଥିଲେ। ଅନୁବନ୍ଧିତ କଲେଜରେ ଗୁଣାତ୍ମକ ଶିକ୍ଷାକୁ ନିଶ୍ଚିତ କରିବାକୁ ପଡ଼ିବ। ସେଥି ପାଇଁ କୁଳପତି, ବରିଷ୍ଠ ଅଧିକାରୀ ଓ ଅଧ୍ୟାପକ ଅନୁବନ୍ଧିତ କଲେଜକୁ ନିୟମିତ ବ୍ୟବଧାନରେ ଅତର୍କିତ ପରିଦର୍ଶନ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଜଣେ କୁଳପତି ଭାବେ ଆପଣମାନେ ହେଲେ ନିଜ ନିଜ ବିଶ୍ବବିଦ୍ୟାଳୟର ନେତା। ନିଜ ଅନୁଷ୍ଠାନର ଏକାଡେମିକ୍ ଉତ୍କର୍ଷକୁ ଉଚ୍ଚ ସୋପାନକୁ ନେବା ପାଇଁ ଆପଣଙ୍କୁ ଲଗାତର ଉଦ୍ୟମ ଜାରି ରଖିବାକୁ ପଡ଼ିବ। ଆଗାମୀ ବର୍ଷଗୁଡ଼ିକରେ ନାକ୍ ରେଟିଂ ଓ ଏନ୍ଆଇଆର୍ଏଫ୍ ରୢାଙ୍କିଙ୍ଗ୍ରେ ଓଡ଼ିଶାର ବିଶ୍ବବିଦ୍ୟାଳୟ ଯେପରି ଭଲ କରନ୍ତି, ସେଥି ପ୍ରତି ଧ୍ୟାନ ଦିଅ। ଆପଣମାନେ ବିଶ୍ବବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟରେ ଅଧିକ ସମୟ ଦେବେ ବୋଲି ଆଶା କରୁଛି। ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ଅର୍ଥର ଅଭାବ ରହିବ ନାହିଁ। ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠତା ହାସଲ କରିବାକୁ କୁଳପତିମାନେ ଉଦ୍ୟମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ।
ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ବିଶ୍ବବିଦ୍ୟାଳୟେର ଗୁଣାତ୍ମକ ଶିକ୍ଷା ଓ ଶୃଙ୍ଖଳା ଉପରେ ଗୁରୁତ୍ବାରୋପ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର୍ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଆର୍ ବାଲକ୍ରିଷ୍ଣନ୍, ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଓ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଏଥିରେ ଯୋଗ ଦେଇଥିଲେ।