ଡ଼ଃ.ଅରୁନ୍ଧତୀ ଦେବୀ : ଶରୀର, ପ୍ରାଣ ଓ ମନର ଭିତ୍ତି ରୂପକ ଏହି ଅମର ଆତ୍ମା ହିମାଳୟର ତୁଷାର ସଦୃଶ ନିର୍ମଳ, ସୂର୍ଯ୍ୟାଲୋକ ସଦୃଶ ଉଜ୍ଜ୍ୱଳ, ଆକାଶ ପରି ଦିଗନ୍ତ ବିସ୍ତାରିତ, ବ୍ୟୋମ ସଦୃଶ ସର୍ବବ୍ୟାପୀ, ସମୁଦ୍ର ସଦୃଶ ଅତଳସ୍ପର୍ଶୀ ଓ ଗଙ୍ଗାଜଳ ସଦୃଶ ପବିତ୍ର । ଏହି ଆତ୍ମା ଅପେକ୍ଷା ମଧୁର ଆଉ କିଛି ନାହିଁ । ମନକୁ ନିର୍ମଳ କରିବା ପ୍ରୟୋଜନ । ଧ୍ୟାନ ଧାରଣା ବଳରେ ହୃଦୟର ଗଭୀରତମ ପ୍ରଦେଶକୁ ପ୍ରବେଶ କରିହୁଏ । ଅନ୍ତରର ଗଭୀରତମ ପ୍ରଦେଶକୁ ଗଲେ ଆତ୍ମାରୂପକ ମୁକ୍ତା ମିଳିବ । କୂଳରେ ଅନୁସନ୍ଧାନ କଲେ କେବଳ ଭଗ୍ନଶୁକ୍ତି ମିଳିପାରେ । ପ୍ରତ୍ୟେକଙ୍କ ହୃଦୟ ଈଶ୍ୱରଙ୍କ ଅର୍ଚ୍ଚନା ପାଇଁ ଶ୍ରେଷ୍ଠ ପୁଷ୍ପ । ଆତ୍ମାର ମୂଳ ଗୁଣ ହେଲା ପବିତ୍ରତା, ପ୍ରେମ ଓ ଶାନ୍ତି । ଏହା ଅନନ୍ତ ଆନନ୍ଦ ଓ ଅସୀମ ସୁଖଶାନ୍ତିର ନନ୍ଦନକାନନ । ତନ୍ମଧ୍ୟକୁ ପ୍ରବେଶ କଲେ ଯେଉଁ ଶାନ୍ତି ମିଳିବ ତାହା ଅତ୍ୟନ୍ତ ବିରଳ ।
ଦୀପଧାର ମଧ୍ୟରେ ଦୀପ ଜଳିବା ସଦୃଶ ହୃଦୟ ମଧ୍ୟରେ ଦିବ୍ୟାଲୋକ ଜଳୁଅଛି । ଇନ୍ଦ୍ରିୟ ଦମନ କରି ଓ ମନକୁ ଶାନ୍ତ କରି ଅନ୍ତରସ୍ଥ ତୃତୀୟ ଚକ୍ଷୁ ବା ପ୍ରଜ୍ଞାଚକ୍ଷୁ ଦ୍ୱାରା ଏହି ଦିବ୍ୟାଲୋକ ଦର୍ଶନ କରିହୁଏ । କୋଇଲା ପକ୍ଷରେ ଅଗ୍ନିଧରିବା ବିଳମ୍ବ ହୋଇପାରେ, ଜ୍ୱଳନ ଶକ୍ତିଥିଲେ ମଧ୍ୟ ଏହା ଧୀରେ ଧୀରେ ଜଳିବାକୁ ଆରମ୍ଭ କରିଥାଏ । ମାତ୍ର ବାରୁଦ ଅଗ୍ନି ସଂସ୍ପର୍ଶରେ ଆସିବା ସଙ୍ଗେ ସଙ୍ଗେ ଜଳିଉଠେ । ତୃଣର ଅଗ୍ନି ଦ୍ୱାରା ଯେପରି ନଦୀ ବା ପୋଖରୀର ଜଳ ଉଷ୍ମ ହୁଏନାହିଁ, ସେହିପରି ଯାହାଙ୍କର ହୃଦୟ ଅପବିତ୍ର, ଜ୍ଞାନାଗ୍ନି ସହଜରେ ତାଙ୍କର ହୃଦୟକୁ ସ୍ପର୍ଶ କରିପାରେ ନାହିଁ । ଆତ୍ମାକୁ ଚିହ୍ନିଥିବା ମନସ୍ୱୀ ପୁରୁଷଟି ବରଂ ଦୀନତାକୁ ଗ୍ରହଣ କରିନିଏ, କିନ୍ତୁ କଳୁଷତାକୁ ସ୍ୱୀକାର କରେନାହିଁ ।
ଅଗ୍ନି ଜଳ ଦ୍ୱାରା ବିନଷ୍ଟ ହୋଇଯାଏ ପଛକେ ଶୀତଳତା ଗୁଣକୁ ଗ୍ରହଣ କରିନଥାଏ । ଠିକ୍ ସେହିପରି ଆତ୍ମାର ସ୍ୱରୂପ ଜାଣିଥିବା ବ୍ୟକ୍ତିଟି ଯେତେ ଯାତନା ଭୋଗିଲେ ମଧ୍ୟ କୌଣସି ପରିସ୍ଥିତିରେ ଅନ୍ୟାୟ ସହ ସାଲିସ କରେନାହିଁ । ଯୁଗାବତାର ପୂଜ୍ୟଶ୍ରୀ କୁମାର ଭାଇ ଆମ ସମସ୍ତଙ୍କୁ ମାର୍ଗ ଦର୍ଶନ କରି କହିଛନ୍ତି ଯେ “ହୀରା ଯେପରି କୋଇଲା ପ୍ରଭୃତି ଆବର୍ଜନାରେ ଥାଏ, ଉତ୍ତମରୂପେ ପରିଷ୍କାର ନ କଲେ ତାହାର ଜ୍ୟୋତି ବାହାରେ ନାହିଁ, ସେ ମଧ୍ୟ ସେହିପରି ସଂସାରରେ ଅତି ସାଧାରଣ ଜୀବପରି ରହିଥାନ୍ତି, କେବଳ ପ୍ରେମର ପ୍ରକ୍ଷାଳନରେ ହିଁ ତାଙ୍କର ଦୀପ୍ତିରେ ଜଗତ୍ ଉଦ୍ଭାସିତ ହୁଏ । ପ୍ରେମୀ ହିଁ ତାଙ୍କୁ ଧରିପାରେ । ପ୍ରେମୀର ସଙ୍ଗ କର, ସତ୍ସଙ୍ଗ କର, ସେ ଆପଣା ଛାଏଁ ପ୍ରକଟ ହେବେ ।’
ଧୈର୍ଯ୍ୟ, ଅଧ୍ୟବସାୟ, ଶାନ୍ତି ଓ ସାହସ ଦ୍ୱାରା ସୁସଜ୍ଜିତ ହୋଇ ଧୀର ଭାବରେ ଏକ ଶୃଂଗ ପରେ ଅପର ଶୃଂଗ ଆରୋହଣ କରିବା ଆବଶ୍ୟକ । ଅସଂଯତ ଇନ୍ଦ୍ରିୟସମୂହଙ୍କୁ ଦମନ କଲେ ବାସନା ସକଳ ସ୍ୱତଃ ଦୂର ହୋଇଯିବ ଓ ସର୍ବଶେଷରେ ଆତ୍ମୋପଲବ୍ଧି ବା ଦିବ୍ୟଜ୍ଞାନର ସର୍ବୋଚ୍ଚ ସ୍ଥାନରେ ପ୍ରବେଶର ବାଟ ଫିଟିଯିବ । ପୂଜ୍ୟଶ୍ରୀ କୁମାର ଭାଇଙ୍କ ଭାଷାରେ “ଏହା ଖୁବ୍ ହିଁ ସତ୍ୟ କଥା ଯେ, ମନରେ ଯେତେବେଳେ ହିଁ ଅପରର ଦୋଷ ଦେଖିବାର ପ୍ରବୃତ୍ତି ଆସିଛି ସେତେବେଳେ ସେହି ଦୋଷ ନିଜ ଭିତରେ ଆସି ବସା ବାନ୍ଧିଛି । ତତ୍କ୍ଷଣାତ୍ କାଳ ବିଳମ୍ବ ନକରି ସେହି ପାପପ୍ରବୃତ୍ତିକୁ ଭାଙ୍ଗି ଚୁରି ଓଳେଇ ସଫା କରିଦେଲେ ଯାଇ ନିସ୍ତାର, ନଚେତ୍ ସବୁ ନଷ୍ଟ ହୋଇଯିବ ।’ ପ୍ରେମର ଚାବି ଦ୍ୱାରା ଅନ୍ତରରେ ଅବସ୍ଥିତ ଭଗବାନଙ୍କ ମନ୍ଦିରରର ଦ୍ୱାର ଉନ୍ମୋଚନ ହୋଇଥାଏ । କ୍ଷେତ୍ରପାଳ ଯତ୍ନ ସହକାରେ ଛୋଟ ଗଛଗୁଡ଼ିକର ତତ୍ତ୍ୱ ନେଇଥାଏ ।
ଗଛ ମୂଳରୁ ଅନାବଶ୍ୟକ ଗଛସବୁ ଉପାଡ଼ି ଦେବା ସହ ବାହ୍ୟଶତୃ କବଳରୁ ଗଛର ସୁରକ୍ଷା ପାଇଁ ଚତୁର୍ଦ୍ଦିଗରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ଶକ୍ତିଶାଳୀ ବାଡ଼ ଦେଇଥାଏ । ଆବଶ୍ୟକ ସମୟରେ ଗଛ ମୂଳରେ ଜଳ ଦିଏ । ଉପଯୁକ୍ତ ଯତ୍ନ ଦ୍ୱାରା ଗଛଟି ଠିକଣା ଭାବରେ ବୃଦ୍ଧି ପାଇ ଯଥା ସମୟରେ ଫୁଲଫଳ ଦେଇଥାଏ । ଅନୁରୂପ ଭାବରେ ମଣିଷ କଥା କୁହାଯାଇପାରେ ।
ଅସଂଯତ ଇନ୍ଦି୍ରୟସମୂହ ହେଲେ ଏହାର ବାହ୍ୟଶତ୍ରୁ । ପ୍ରତିରୋଧକାରୀ ସଂଯତ ଇନ୍ଦ୍ରିୟ ଦ୍ୱାରା ନିଜକୁ ସୁରକ୍ଷିତ ରଖିପାରିଲେ ହିଁ ଆତ୍ମା ରୂପୀ ଶତଦଳ ନିଜ ସୌରଭରେ ଅନ୍ୟକୁ ଆମୋଦିତ କରିବ, ଆକର୍ଷିତ କରିବ । ସଂଯତ ଆତ୍ମାର ସୁବାସ ଦିଗ ବିଦିଗରେ ଚହଟିଯିବ ଅର୍ଥାତ୍ ଏହାର ପ୍ରଭାବରେ ଅନ୍ୟମାନେ ଆକର୍ଷିତ ହେବେ ନିଶ୍ଚୟ । ଲକ୍ଷ୍ୟ ସ୍ଥିର କରିବା ନିଜ ଦାୟିତ୍ୱ । ଦୁଇଟି ଭିତରୁ ଗୋଟିକୁ ବାଛିବାକୁ ପଡ଼ିବ । ଇନ୍ଦ୍ରିୟମାନଙ୍କୁ ସଂଯମ କରି ମନୁଷ୍ୟ ଜନ୍ମ ସାର୍ଥକ କରିବା ଅଥବା ଅସଂଯତ ଇନ୍ଦ୍ରିୟ ପରିଚାଳିତ ହୋଇ ନିଜକୁ ଧ୍ୱଂସ କରିବା ।