ଆବୁଧାବୀ,୧୯ା୯(ଏଜେନ୍ସି): ବହୁ ପ୍ରତିକ୍ଷୀତ ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ଶନିବାରଠୁ ଆବୁଧାବୀରେ ଆରମ୍ଭ ହୋଇଛି । ଏହାର ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୨ ରନ କରିଥିଲା । ଜବାବରେ ଶେଷ ଖବର ସୁଦ୍ଧା ୧୬୩ ରନ୍ର ବିଜୟଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୨ ଓଭରରେ ୬ ରନ କରି ଓପନର ସେନ୍ ୱାର୍ଟସନ୍କୁ ହରାଇଛି । ଆଇପିଏଲ୍ ଘମାସାନ ଲଢ଼େଇ ପାଇଁ ଚେନ୍ନାଇ ସୁପରକିଙ୍ଗ୍ସ ପ୍ରସ୍ତୁତ ଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ଫିଲïିଂ ନିଷ୍ପତ୍ତି ନେଇଥିଲେ । ଧୋନିଙ୍କ ମସୁଧା ଆରମ୍ଭରୁ ଠିକ୍ଠାକ୍ ଥିଲା । କିନ୍ତୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଗୋଟିଏ ପରେ ଗୋଟିଏ ଧମାକା କରିଚାଲିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସହ କ୍ୱିଣ୍ଟନ ଡିକକ୍ ଇନିଂସ୍ ଓପନ କରିଥିଲେ । ପ୍ରଥମ ୱିକେଟ୍ରେ ଉଭୟଙ୍କ ମଧ୍ୟରେ ୪୬ ରନ୍ର ପାର୍ଟନରସିପ୍ ହୋଇଥିଲା । ଚୌକାରୁ ଆରମ୍ଭ କରୁଥିବା ରୋହିତ ବ୍ୟକ୍ତିଗତ ଭାବେ ୧୦ ବଲ୍ରୁ ୧୨ ରନ୍ କରି ଚାୱଲାଙ୍କ ଶିକାର ହୋଇଥିଲେ । ସେହିଭଳି କ୍ୱିଣ୍ଟନ ଡିକ୍କ ୨୦ ବଲ୍ରୁ ୩୩ ରନ୍, ସୂର୍ଯ୍ୟକୁମାର ଯାଦବ ୧୭ ରନ୍, ସୌରଭ ତିୱାରୀ ୪୨ ରନ୍ କରିଥିଲେ । ନିକଟରେ ବାପା ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ୧୦ ବଲ୍ରୁ ୨ଟି ଛକା ମାରି ୧୪ ରନ୍ କରିଥିଲେ । କିରଣ ପୋଲାର୍ଡ ୧୪ ବଲରୁ ୧୮ ରନ୍ କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ୩, ଜେମ୍ସ ପାଟିନ୍ସନ୍ ୧୧, ରାହୁଲ ଚହର ଅପରାଜିତ ୨ ଓ ଯଶପ୍ରୀତ ବୁମରା ଅପରାଜିତ ୫ ରନ୍ କରିଥିଲେ । ଚେନ୍ନାଇ ସୁପରକିଙ୍ଗ୍ସର ଲୁଙ୍ଗି ଏନ୍ଗିଡି ସର୍ବାଧିକ ୩ଟି, ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ତଥା ସାମ କୁରନ ଓ ପିୟୂଷ ଚାୱଲା ଗୋଟିଏ କରି ୱିକେଟ୍ ସଫଳତା ହାସଲ କରିଥିଲେ ।