ଡାକ୍ତର ସମ୍ରାଟ କର : ମୋର ଗଣମାଧ୍ୟମର ଲିପି ଲେଖାକାର ଅନୁଜ ପ୍ରତୀମ ଶ୍ରୀକାନ୍ତ ସେ ଦିନ ଭାରି ଭାବପ୍ରବଣରେ ମୋତେ ଫୋନଟିଏ କରିଥିଲା । କହିଲା “ସାର, ଆପଣତ ଜାଣନ୍ତି ମୋ କର୍ମ ସଂସ୍ଥାନ ବିଷୟରେ, ଭାରି ଚାପ ଭିତରେ ମୋ କର୍ମମୟ ଜୀବନ । ଘରେ ସ୍ତ୍ରୀ ଓ ଦୁଇ ପିଲା ଗାଁକୁ ଯିବା ପାଇଁ ଭାରି ଇଛା କରିଥିଲେ । କିନ୍ତୁ ସବୁ ଛାରଖାର କରିଦେଲା ଆଜିର କରୋନା ମହାରାକ୍ଷସ । ଏହିପରି ମାସରେ ପ୍ରାୟତଃ ପିଲାଙ୍କ ପାଠପଢ଼ାରେ ଖରାଦିନିଆ ଛୁଟି ସେମାନେ ପାଇଥାନ୍ତି । ପ୍ରତିଦିନ ପାଠପଢ଼ାର ଚାପ ଭିତରେ କିଛିଦିନ ନିଜ ଗାଁରେ ଜେଜ, ଜେଜିମା, ବଡ଼ବାପା, ବଡ଼ବୋଉ ଓ ଅନ୍ୟ ବନ୍ଧୁବର୍ଗଙ୍କ ସହ ଗ୍ରାମବାସୀଙ୍କ କିଛି ଭଲପାଇବା ମିଳିଥାଏ । ହେଲେ ଆଉ ସାର ତାହା ସମ୍ଭବ ହୋଇପାରୁନି । ଗତ ବର୍ଷ ତ କରୋନା ଏହିପରି ଥିଲା, ଏ ବର୍ଷ ବି ଏୟା । ଆର ବର୍ଷ ଯେ କରୋନା ନ ଲେଉଟିବ କିଏ ବା ଆଉ କହିବ?’ ମୁଁ ଶ୍ରୀକାନ୍ତର କୋହ ଓ ଅନ୍ତରର କଥା ବୁଝି ପାରିଲି ।
ମୁଁ ତାକୁ ବୁଝାଇ କହିଲି ବାସ୍ତବ କଥା ହେଉଛି ଖରାଛୁଟି ଆସିଲେ ପିଲାଙ୍କ ମନରେ ଖୁସି ଉଙ୍କିମାରେ । ପାଠରୁ ବିରାମ ମିଳିବ, ଛୁଟିରେ ସମରକ୍ୟାମ୍ପ, ମାମୁଘର ବୁଲା ଓ ଗ୍ରୀଷ୍ମ ଭ୍ରମଣରେ ବହୁ ନୂଆ ନୂଆ ସ୍ଥାନ ବୁଲି ଦେଖିବାର ଅବକାଶ ସୃଷ୍ଟି ହେବ । ଏଥିସହ ସୁଇମିଂ କ୍ଲାସ, ସ୍କେଟିଂ, କରାଟେ, ନୃତ୍ୟ ଓ ଯୋଗ ଆଦି କେତେ କ’ଣ ନୂଆ କଥା ଶିଖିବାରେ ଖରା ଗରମର ବିରକ୍ତିକର ଦିନଗୁଡ଼ିକ ବେଶ ଆରମରେ କଟିଯିବ । କିନ୍ତୁ ଗତ ଦୁଇ ବର୍ଷ ହେଲା ଏ ସବୁ ସତେ ଯେମିତି ପରୀ ରାଇଜର କାହାଣୀ ଭଳି ମନେହେଉଛି । ଆଉ ଗୃହବନ୍ଦୀ ଏ ଜୀବନର ସବୁଠୁ ଅଧିକ ପ୍ରଭାବ ପଡ଼ୁଛି ଶିଶୁମାନଙ୍କ ଉପରେ । ଘରେ ବସି ବସି ବିରକ୍ତି ହେଉଥିବା ଶିଶୁମାନେ ଅନେକ ସମୟରେ ମାନସିକ ସ୍ତରରେ ଚାପରେ ରହୁଥିବା ବେଳେ ମେଦବହୁଳତାର ଶିକାର ହେଉଛନ୍ତି । ତେବେ ଏସବୁରୁ ପିଲାମାନଙ୍କୁ କିଭଳି ଦୂରେଇ ରଖିବା ଓ ସୁସ୍ଥ ମାନସିକତା ବିକାଶ କରିସାରିବା ସେ ନେଇ କିଛି ଆଲୋଚନା କରୁଛୁ ।
ଦୌଡ଼ାଦୌଡ଼ି ଖେଳରେ ଛୁଆଙ୍କୁ ବ୍ୟସ୍ତ ରଖନ୍ତୁ : ଗତ ଦୁଇ ବର୍ଷ ହେଲା ପିଲାମାନଙ୍କ ପାଇଁ ପ୍ରାୟ ସମସ୍ତ ପ୍ରକାର କାର୍ଯ୍ୟକଳାପ ବନ୍ଦ ରହିଛି । ପିଲାମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ । ଏଭଳି ପରିସ୍ଥିତିରେ ପିଲାମାନଙ୍କ ମଧ୍ୟରେ ଚିଡ଼ିଚିଡ଼ା ଗୁଣ, ବ୍ୟସ୍ତତା, ଆଙ୍ଗ୍ଜାଇଟି, ମାନ୍ଦା ରହିବା, ନିଦ ନ ହେବା, ମୋଟାପଣ ବଢ଼ିବା, ଅଳସୁଆ ହେବା ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯିବା ଆଦି ଗୁଣ ବଢ଼ିବାରେ ଲାଗିବ । ଏଣୁ ଏହି ସମୟରେ ଅଭିଭାବକମାନେ ପିଲାମାନଙ୍କୁ ଅନ୍ଲାଇନ ଗେମ୍ ଅପେକ୍ଷା ଦୌଡ଼ାଦୌଡ଼ି ଖେଳରେ ବ୍ୟସ୍ତ ରଖିବା ଉଚିତ । ସକାଳ, ସଞ୍ଜ ୱାକିଂ, ବ୍ୟାୟାମ କରିବା ଅଭ୍ୟାସ କରାଇବା ଦ୍ୱାରା ସେମାନଙ୍କ ମନ ସତେଜ ରହିବ । ଏଥିସହ ବିଭିନ୍ନ ନୂଆ ନୂଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ଉଚିତ । ତେବେ ଯାଇ ଏହି ମହାମାରୀ ସମୟରେ ଛୁଆମାନେ ମାନସିକ ସ୍ତରରେ ସତେଜ ଓ ସୁସ୍ଥ ରହିପାରିବେ ।
ପିଲାଙ୍କ ଚତୁପାଶ୍ୱର୍ରେ ସକାରାତ୍ମକ ପରିବେଶ ରହୁ : ସବୁବେଳେ ଆମେ ପିଲାମାନଙ୍କ କିଛି ନା କିଛି କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ କରି ରଖିଥାଉ । କିନ୍ତୁ ଗତ ଦୁଇ ବର୍ଷ ହେଲା ସବୁ ବନ୍ଦ ହୋଇଯାଇଛି । ଫଳରେ ଘରେ ବସି ବସି ପିଲାମାନଙ୍କ ଭିତରେ ଏକ ମାନସିକ ବିଶୃଙ୍ଖଳା ସୃଷ୍ଟି ହେବା ସ୍ୱାଭାବିକ । ପୁଣି କରୋନାର ଦ୍ୱିତୀୟ ଲହରି ପିଲାମାନଙ୍କୁ ବି ବହୁମାତ୍ରାରେ ପ୍ରଭାବିତ କରୁଛି । ଏଭଳି ସ୍ଥଳେ ଆମେ ଏବେ ଘରେ ଓ ପିଲାମାନଙ୍କ ଚତୁପାଶ୍ୱର୍ରେ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ଫଳରେ ସେମାନଙ୍କ କୋମଳ ମନ ଦୁନିଆର ଏହି ନକାରାତ୍ମକ ପରିବେଶରୁ ଦୂରେଇ ରହିବ । ସେମାନେ ସୁରକ୍ଷିତ ଅଛନ୍ତି ଓ ଏଭଳି ସମୟ ବେଶୀ ଦିନ ରହିବ ନାହଁ ସେ ନେଇ ସେମାନଙ୍କୁ ବିଶ୍ୱାସ ଦେବାର ଆବଶ୍ୟକତା ରହିଛି ।
କ’ଣ କରିବା : ପିଲାମାନଙ୍କୁ କେବେ ଏକୁଟିଆ ଛାଡ଼ିବା ନାହିଁ । ପାଠପଢ଼ା, ଟିଭି ଦେଖା ଏବଂ ବିଭିନ୍ନ ଖେଳ ଖେଳିବା ପର୍ଯ୍ୟନ୍ତ ଅଭିଭାବକମାନେ ଛୁଆମାନଙ୍କ ସହ ସବୁଥିରେ ସାମିଲ ହେବା । ପିଲାମାନଙ୍କୁ ଅନ୍୍ଲାଇନ ଗେମ୍ ଅଧିକ ଖେଳିବାକୁ ଦେବାନାହିଁ । ପଳାମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ସନ୍ତୁଳିତ ଖାଦ୍ୟ ଦେବା । ସକାଳ ଓ ସଂଧ୍ୟାରେ ସେମାନଙ୍କୁ ସବୁଜ ପରିବେଶରେ ବୁଲାଇବା, ୱାକିଂ, ଜଗିଂ ଓ ବ୍ୟାୟାମ ଆଦି କରାଇବା । ଏକାଥରେ ଅଧିକ ନ ଖୁଆଇ କମ୍ କମ୍ କରି ପିଲାମାନଙ୍କୁ ଅଧିକ ଥର ଖାଇବାକୁ ଦିଅନ୍ତୁ । ପିଲାମାନଙ୍କୁ ଯେତେ ସମ୍ଭବ ମୋବାଇଲ ଓ ନକାରାତ୍ମକ ଖବରରୁ ଦୂରେଇ ରଖନ୍ତୁ । ପରୀକ୍ଷା ନ ହେଉଥିଲେ ସୁଦ୍ଧା ପ୍ରତିଯୋଗିତା ମନୋଭାବ ପିଲାମାନଙ୍କ ମନରେ ବଳବତ୍ତର ରଖନ୍ତୁ । ଯେତିକି ପାରୁଛନ୍ତି ପିଲାଟିକୁ ଧୈର୍ଯ୍ୟ ଦିଅନ୍ତୁ, ତାଙ୍କ ପାଇଁ କିଛି ସମୟ କାଢ଼ନ୍ତୁ । ସେମାନଙ୍କର ବନ୍ଧୁ ଓ ମାର୍ଗ ଦର୍ଶକ ପାଲଟି ଆପଣଙ୍କ ମୂଲ୍ୟବାନ୍ ସମୟ ସେମାନଙ୍କ ପାଇଁ ଅମୃତ ବରଦାନ ସଦୃଶ ହେବ । ଏହା ଆପଣ ବୁଝିଲେ ଦେଖିବେ ଆପଣଙ୍କ ପିଲା ଭିତରେ କୌଣସି ଅବସାଦ ବି ରହିବ ନାହିଁ ।
Comments are closed.