ଛତ୍ରପୁର, ୬/୧୦ : ଛତ୍ରପୁର ବ୍ଲକ ଅନ୍ତର୍ଗତ ବାସନାପଲ୍ଲୀ ଗ୍ରାମର ଗ୍ରାମ୍ୟ ଦେବୀ ମା ବୁଢି ଠାକୁରାଣି ମନ୍ଦିରରେ ମାଙ୍କ ନୂତନ ପ୍ରତିମା ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ପୂର୍ବରୁ ଥିବା ମା ବୁଢୀ ଠାକୁରାଣିଙ୍କ ପ୍ରତିମା ବହୁ ବର୍ଷର ପୁରୁଣା ହୋଇ ଯାଇଥିବାରୁ ଶୁକ୍ରବାର ଗ୍ରାମର ଏନ୍. ପୁନିୟା ତାଙ୍କ ଧର୍ମପତ୍ନୀ ଏନ୍. ପୂର୍ଣ୍ଣମୀ ଓ ପୁତ୍ର ଏନ୍. ପର୍ଶୁରାମ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଲଣ୍ଡାବାଉଁଶ ଗ୍ରାମର ମୂର୍ତ୍ତି କାରିଗର ବାବୁଲା ସାହୁଙ୍କ ଦ୍ୱାରା ଅଷ୍ଟଧାତୁରେ ନିର୍ମିତ ମା ଙ୍କ ଏକ ନୂତନ ପ୍ରତିମା ନିର୍ମାଣ କରି ମାଙ୍କ ମନ୍ଦିରରେ ସ୍ଥାପନ କରିଥିଲେ । ପଣ୍ଡିତ ବାସୁଦେବ ଆଚାରୀ ଓ ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡାଙ୍କ ଦ୍ୱାରା ମନ୍ଦିର ପରିସରରେ ରିତୀ ନିତୀ ଅନୁଯାୟୀ ଜଳଯାତ୍ରା, ଅଙ୍କୁରାରୋପଣ, ଧାନ୍ୟାଧିବାସ, କର୍ମାରମ୍ଭ, ଦେବତା ମହାସ୍ନାନ, ହୋମ, ଗ୍ରାମ୍ୟ ପରିକ୍ରମା, ଦେବୀଙ୍କ ସିଂହାସନ ଆରୋହଣ ଓ ପୁର୍ଣ୍ଣାହୁତୀ ସହିତ ପୂଜାର୍ଚ୍ଚନା କରିବା ପରେ ମାଙ୍କ ନୂତନ ପ୍ରତିମା ପ୍ରତିଷ୍ଠା କରାଯାଇଥିଲା । ମାଙ୍କ ନୂତନ ପ୍ରତିମା ସ୍ଥାପନ କାର୍ଯ୍ୟକ୍ରମରେ ଚିକଲଖଣ୍ଡି ଗ୍ରାମର ସରପଂଚ ଭଗବାନ ବେହେରା, ଗୋପାଳ ସ୍ୱାମୀ, ଏନ୍. ଦାଲେୟା, ପି. ସୋମେୟା, ସି. ଏଚ୍. ଶ୍ରୀନିବାସ, ସି. ଏଚ୍. ଡିଲ୍ଲୀ ରେଡ୍ଡୀ, ମନ୍ଦିର କମିଟିର ସି. ଏଚ୍. ରାଗୁଲୁ, ଏନ୍. ଶିବ କିଶୋର, ଆର୍. ନୌକାଙ୍କ ସମେତ ବହୁ ଗ୍ରାମବାସୀ ସହ ଯୋଗ କରିଥିଲେ ।