ଛତ୍ରପୁର 31/7: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହର ରାମଲକ୍ଷ୍ମୀନଗର ସାହିର ଖବର କାଗଜ ବିକ୍ରେତା ସୂର୍ଯ୍ୟନାରାୟଣ ଶତପଥୀଙ୍କ ପୁତ୍ର ଶୁଭ୍ରାଂଶୁ ଶତପଥୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୨.୮୩ ପ୍ରତିଶତ (୫୫୭)ମାର୍କ ରଖି ବ୍ଲକ ଟପ୍ପର ହୋଇ ଗୌରବ ଆଣିଛନ୍ତି । ସେ ଛତ୍ରପୁର ଶ୍ରୀମାଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ର । ନିଜ ପ୍ରତିକ୍ରିୟାରେ ଶୁଭ୍ରାଂଶୁ କହିଛନ୍ତି ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ସତ୍ୱେ ବାପା ମୋ ପାଇଁ ବହୁତ ସଂଘର୍ଷ କରିଛନ୍ତି ।
ଏହି ସଫଳତାର ଶ୍ରେୟ ବାପାଙ୍କୁ ଦେବି । ଆଉ ଶିକ୍ଷକ ମାନଙ୍କ ଆଶୀର୍ବାଦ ଓ ବଡ଼ଭଉଣୀ ସୁଚିସ୍ମିତାଙ୍କ ପ୍ରେରଣା ଏବଂ ଅକ୍ଲାନ୍ତ ପରିଶ୍ରମ ବଳରେ ସଫଳତା ପାଇପାରିଛି । ଭବିଷ୍ୟତରେ ଜଣେ ଆଇଏଏସ୍ ହୋଇ ଗରିବଙ୍କ ସେବା କରି ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଲକ୍ଷ୍ୟ ରଖିଛି । ଶୁଭ୍ରାଂଶୁଙ୍କ ବାପା ସୂର୍ଯ୍ୟନାରାୟଣ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷ ହେଲା ଖବର କାଗଜ ବିକ୍ରି କରି ନିଜର ସୀମିତ ରୋଜଗାର ମଧ୍ୟରେ ପରିବାର ପ୍ରତିପୋଷଣ କରିଆସୁଛି । ପିଲାଙ୍କ ପାଠ ପଢ଼ାଇବା ବେଶ୍ କଷ୍ଟକର ହେଉଛି । ଆଜି ପୁଅର ଏହି ସଫଳତା ଜୀବନର ସବୁ କଷ୍ଟକୁ ଲାଘବ କରିଦେଇଛି ।