ଛତ୍ରପୁର ୧୪/୫ : ଗଂଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଆଁ ଲଗାଇ ଜଣେ ଯୂବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଯୁବକ ଜଣକ ଆତ୍ମହତ୍ୟା କରିବାର କାରଣ ତାହା ସ୍ପଷ୍ଠ ଜଣାପଡିନାହିଁ । ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଓ ଛତ୍ରପୁର ପୋଲିସ୍ ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଯୁବକ ଜଣକ ହେଲେ ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁ ର ବାଦଲ ସାହୁ (୨୮) ବୋଲି ଜଣାପଡିଛି । ଫଳରେ ତାଙ୍କ ଶରୀର ର ଅଧିକାଂଶ ଭାଗ ଜଳିଯାଇଛି । ସେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ନିଜେ ଆତ୍ମହତ୍ୟା କରିଥିବା ଛତ୍ରପୁର ମେଡିକାଲରେ ବାଦଲ ଗଣମାଧ୍ୟମ ଆଗରେ କହିଛନ୍ତି ।
ଘଟଣାର ଖବର ପାଇ ଛତ୍ରପୁର ମେଡିକାଲରେ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରଏ, ଛତ୍ରପୁର ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପହଂଚି ଗୁରୁତର ବାଦଲଙ୍କ ଉତ୍ତମ ଚିକିତ୍ସା ହୋଇପାରିବ ସେଥିନିମନ୍ତେ ଡାକ୍ତର ମାନଙ୍କ ସହ ଆଲୋଚନା କରିବା ସହ ଘଟଣାର ଅନୁଧ୍ୟାନ କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣାର ସୂଚନା ପାଇ ବାଦଲଙ୍କ ପରିବାର ବର୍ଗ ଗଂଜାମ ଏସପିଙ୍କ କାର୍ଯ୍ୟାଳୟକୁ ଆସି ପୁଅକୁ ବାହୁନି ବାହୁନି କାନ୍ଦି କାନ୍ଦି ତଳେ ଲୋଟି ପଡିଯାଉଥିବା ଦେଖିବାକୁ ମିଳିଛି । ବାଦଲଙ୍କ ବାପା କବିରାଜ, ମା ଝୁନୁ, ଭାଇ ତୋଫାନଙ୍କୁ ଗଂଜାମ ଏସପି ସାନ୍ତ୍ୱନା ଦେବା ସହ ନିଜ ପୋଲିସ୍ ଗାଡିରେ ଉକ୍ତ ପରିବାର ବର୍ଗଙ୍କୁ ବାଦଲଙ୍କ ନିକଟକୁ ପଠାଇଛନ୍ତି ।