ପୋଡାପଦର ପଞ୍ଚାୟତରେ ଦେଶୀମଦଦୋକାନ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ଦାବୀ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର ୩୦/୫: ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତରେ ଦେଶୀମଦ (ମହୁଲି) ମଦ ଦୋକାନ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ଦାବୀ ନେଇ ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କୁ ପଞ୍ଚାୟତ ପକ୍ଷରୁ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପଞ୍ଚାୟତର ସରପଂଚ ପୀତାମ୍ବର ପଣ୍ଡା, ସମିତି ସଭ୍ୟା ରଂଜିତା ପଲାଇଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଏବଂ ପଞ୍ଚାୟତର ଭଦ୍ରବ୍ୟକ୍ତି ଓ ଯୁବକ ମାନେ ଏହି ସ୍ମାରକ ପତ୍ରରେ ଦସ୍ତଖତ କରିଛନ୍ତି ।
ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ ଦେଶ ଏକ ଘଡି ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଛି । ପୋଡାପଦର ଗ୍ରାମ ପଞ୍ଚାୟତର ୩ଟି କ୍ୱାରେଣ୍ଟାଇନ ସେଣ୍ଟର ମଧ୍ୟରୁ ସୁରତ ଫେରନ୍ତା ପ୍ରାୟ ୧୨ଜଣ ପହଞ୍ଚିଲାଣି , ଆଗାମୀ ଦିନରେ ଆହୁରି ଅଧିକରୁ ଅଧିକ ଆସିବାର ଅନୁମାନ କରାଯାଉଛି ।
ଏଣୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟାଙ୍କ ସର୍ବ ସମ୍ମତି କ୍ରମେ ପଞ୍ଚାୟତରେ ମଦ ଦୋକାନ ବନ୍ଦ କରିବା ନିମନ୍ତେ ନିଷ୍ପତ୍ତି କରାଯାଇଛି । ପଞ୍ଚାୟତରେ ସରାକର ସ୍ୱିକୃତି ପ୍ରାପ୍ତ ମଦ ଦୋକାନର ଅବଧି ସମୟ ସିମା ସରି ଯାଇଥିଲେ ମଧ୍ୟ ଅବାଧରେ ଖୋଲାଖୋଲି ଭାବେ ପଞ୍ଚାୟତରେ ମଦ ବିକ୍ରି ହେଉଅଛି । ଏହା ଦ୍ୱାରା ଲୋକଙ୍କ ଦୈରାମ୍ୟ, ବିଶୃଙ୍ଖଳିତ ଆଚରଣ, ପାରିବାରିକ ଅଶାନ୍ତି, ବେରୋଜଗାରୀ ତଥା ଅର୍ଥାଭାବ ଅନଟନ ବଢିବାରେ ଲାଗିଛି ।
ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ପୋଡାପଦର ପଞ୍ଚାୟତରେ ମଦ ବନ୍ଦ କରିବା ବିଷୟକୁ କାର୍ଯ୍ୟକାରୀ କରାଯାଉ । ମଦ ବନ୍ଦ ଏକ ମାତ୍ର ପ୍ରକିୟା ଯାହାକି, ଏକତ୍ର ଗୋଷ୍ଠି ଜନଗହଳି ଓ କରୋନା ଭଳି ବିପଦରୁ ରକ୍ଷା ପାଇ ପାରିବେ । ଜୀବନକୁ ସୁରକ୍ଷିତ ରଖିବା ପାଇଁ ଏହାହିଁ ଏକ ମାତ୍ର ଶ୍ରେଷ୍ଠ ମାର୍ଗ ଅଟେ । ତେଣୁ ତୁରନ୍ତ ପଞ୍ଚାୟତରେ ମଦ ଦୋକାନ ଓ ମଦ ବିକ୍ରି ବନ୍ଦ କରାଯାଉ , ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ପଞ୍ଚାୟତ ପ୍ରତିନିଧୀ ମାନେ ସୂଚନା ଦେଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ପୋଡାପଦର ଗ୍ରାମର ନାରାୟଣ ସାହୁ, ହୁମର ଗ୍ରାମର ନାରାୟଣ ସାହୁ, ଗଜେନ୍ଦ୍ର ପଲାଇ, ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟନାରାୟଣ ସେଠୀ, ଏନ୍.ରାଜା ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହାର ଅବିକଳ ନକଲ ଗଂଜାମ ଅବକାରୀ ଅଧିକ୍ଷୀକ ଏବଂ ଉପଜିଲ୍ଲାପାଳଙ୍କ ପ୍ରଦାନ କରାଯାଇଥିବା ସେମାନେ ସୂଚନା ଦେଇଛନ୍ତିା