ଛତ୍ରପୁର : ଗଂଜାମ ଜିଲ୍ଲାକୁ ପ୍ରାୟ ୨ ଲକ୍ଷ ପ୍ରବାସୀ ସୁରତ,ମୁମ୍ବାଇ,କେରଳ ଓ ତାମିଲନାଡୁ ଭଳି ହଟଷ୍ପଟ ଇଲାକାରୁ ଫେରିଛନ୍ତି । ପ୍ରାୟ ୧ ଲକ୍ଷ ପ୍ରବାସୀ ଘରୋଇ ସଙ୍ଗ ରୋଧରେ ରହିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୬୫୦ ରୁ ଉଦ୍ଧ୍ୱର୍ ପଜିଟଭ ଚିହ୍ନଟ ହୋଇଥିଲେ ହେଁ, ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଗଂଜାମ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛନ୍ତି । ତଥାପି ଦିନକୁ ଦିନ ହୁ ହୁ ହୋଇ ପଜିଟିଭ ଙ୍କ ସଂଖ୍ୟା ବଢିଥିବାରୁ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କରୋନା ଭୁତାଣୁ ସଂକ୍ରମଣ ର ଶୃଙ୍ଖଳା ଉପରେ ରୋକ ଲଗାଇବା ଲାଗି ପ୍ରତିକାର ମୂଳକ ପଦକ୍ଷେପ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି । ଜୁନ୍ ୧୪ ଠାରୁ ଆସନ୍ତା ୩୦ ତାରିଖ ଯାଏଁ ମଧ୍ୟାହ୍ନ ୧୨ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ୧୯ ଘଣ୍ଟା ଜିଲ୍ଲା ସଂପୁର୍ଣ୍ଣ ଲକ ଡାଉନ ରେ ରହିବ ବୋଲି ଜିଲ୍ଲାପାଳ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ରେ ଘୋଷଣା କରିଛନ୍ତି । ପ୍ରତି ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏହି ଲକ ଡାଉନ କାର୍ଯ୍ୟକାରୀ ହେବ ।
ଏହା ସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ସପ୍ତାହର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସଂପୁର୍ଣ୍ଣ ସଟ ଡାଉନ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି । ସକାଳ ୭ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରି ଦୋକାନ ଖୋଲା ରହିବ କିନ୍ତୁ ଲୋକମାନେ ବାଇକ ମାଧ୍ୟମରେ ଯାତାୟତ କରିପାରିବେ ନାହିଁ ବୋଲି କୁହାଯାଇଛି । ସମସ୍ତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ଏନେଇ ସୋମବାର ଗଞ୍ଜାମ ଜିଲ୍ଲା ର ସଦର ମହକୁମା ଛତ୍ରପୁର ସହର ଠାରେ ଏହି ନିୟମକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଠାରୁ ଆରମ୍ବ କରି ବିଭିନ୍ନ ବିଭାଗର ଅଧିକାରୀ ଏବଂ ପୋଲିସ୍ କର୍ମଚାରି ମାନେ ତଦାରଖ କରିଛନ୍ତି ।
ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସହରର ବିଭିନ୍ନ ଅଂଚଳ ପରିଦର୍ଶନ କରିବା ସହ କିପରି ଏହି ନିୟମ କାର୍ଯ୍ୟକାରୀ ହେଉଛି ତାହାର ମଧ୍ୟ ଅନୁସନ୍ଧାନ କରିଛନ୍ତିି । ସେହିପରି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି,ଛତ୍ରପୁର ତହସଦିଲଦାର ନୀଳମାଧବ ଭୋଇ,ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ,ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଷ ବାବୁ ଏବଂ ଏନଏସି ର ସମସ୍ତ କର୍ମଚାରୀ ଓ ପୋଲିସ୍ ଅଧିକାରୀ ମାନେ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରିକାପଲ୍ଲି ଛକ,ମଝି ବଜାର,ବଡ ବଜାର,ଅପର ବସଷ୍ଟାଣ୍ଡ,କୋର୍ଟ ଷ୍ଟେସନ ସାହି ସମେତ ବିଭିନ୍ନ ଅଂଚଳ ବୁଲି ଲୋକମାନଙ୍କୁ ସଚେତନ କରିବା ସହ ଦୋକାନୀ ମାନଙ୍କୁ ନିୟମ ମାନିବା ନିମନ୍ତେ କହିଥିଲେ । କାଲି ଠାରୁ ଛତ୍ରପୁର ଅଂଚଳ ରେ କଡାକଡି ଭାବେ ଏହି ନିୟମ ପାଳନ କରାଯିବ ଓ ଯେଉଁ ମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଛତ୍ରପୁର ସହରରେ ଥିବା ସମସ୍ତ ଔଷଧ ଦୋକାନୀ ସକାଳ ୭ ରୁ ୧୨ ଖୋଲିବା ସହ ଅନ୍ୟ ସମୟରେ ପାଳି ଅନୁସାରେ ଖୋଲିବା ନିମନ୍ତେ ଡ୍ରଗସ୍ ଇନିଷ୍ପେକ୍ଟର କହିଥିବା ଜଣାପଡିଛି ।