Odisha news

ଗଞ୍ଜାମ ରେ ସଟଡାଉନ ଭିତରେ ଆରମ୍ଭ ହେଲା ଲକ ଡାଉନ : ଜୁନ୍‌ ୩୦ ଯାଏ ଗଞ୍ଜାମ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌, ମଧ୍ୟାହ୍ନ ୧୨ଟାରୁ ପରେ ଘରୁ ନ ବାହାରିବାକୁ ଜିଲାପାଳଙ୍କ ପରାମର୍ଶ

0
ଛତ୍ରପୁର,୧୪।୬: ସମସ୍ତ  ପ୍ରକାର ପ୍ରଚେଷ୍ଟା ଓ ସଚେତନତା ସତ୍ୱେ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସି ପାରିନାହିଁ । ଏଣୁ ତାହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପୁଣି ଥରେ କଠୋର ନିଷ୍ପତି ନେଇଛନ୍ତି । ଏଣିକି ପ୍ରତିଦିନ ସକାଳ ୭ରୁ ପୂର୍ବାହ୍ନ ୧୨ ଟା ପର୍ଯ୍ୟନ୍ତ ହିଁ ଖୋଲା ରହିବ କିଛି ନିର୍ଦ୍ଧିଷ୍ଟ ଦୋକାନ ବଜାର ।
ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରକାରେ ପୂର୍ବରୁ ପ୍ରତି ଶନିବାର ଓ ରବିବାର ସମଗ୍ର ଜିଲ୍ଲା ସଟ୍ ଡାଉନ୍ ରହୁଛି ଏବଂ ତାହା ବଳବତର ମଧ୍ୟ ରହିବ । ତେବେ ଆସନ୍ତା କାଲି ଠାରୁ ସୋମବାରରୁ ଶୁକ୍ରବାର ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ କେବଳ ପନିପରିବା, ଫଳ ଓ ତେଜରାତି ଦୋକାନ ଖୋଲା ରହିବ । ତେବେ ପେଟ୍ରୋଲ୍ ପମ୍ପ୍ ପୂର୍ବ ପରି ଖୋଲା ରହିବା ସହ ଔଷଧ ଦୋକାନ ମଧ୍ୟ ଖୋଲା ରହିବ । ଏହି ସମୟରେ ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ନିଷିଦ୍ଧ କରି ଦିଆଯାଇଛି ।
ବସ୍‌, ଅଟୋ, ଟ୍ୟାକ୍ସି ଓ ମୋଟର ସାଇକେଲ ଆଦି ଚଳାଚଳକୁ ବାରଣ କରାଯାଇଛି । ତେବେ ରେଳଷ୍ଟେସନ୍ ରୁ ଯାତ୍ରୀଙ୍କୁ ଆଣିବା ପାଇଁ ଗାଡ଼ି ବ୍ୟବହାର କରାଯାଇ ପାରିବ । ଅନ୍ୟ ପଟେ ପାସ୍ ଧାରୀ ମାନେ ଘରୁ ବାହାରକୁ ଯାଇ ପାରିବେ ବୋଲି ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟ ପଟେ ଯେଉଁମାନେ ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।
ପୂର୍ବରୁ ଏପରି କଟକଣା ରହିଥିବା ବେଳେ ପରବର୍ତି ସମୟରେ କଟକଣାକୁ କୋହଳ କରାଯାଇଥିଲା । ତେବେ ଏବେ ପୁଣି ଥରେ ସେହି କଟକଣାକୁ ଲାଗୁ କରାଯାଇଛି । ଏଣୁ ନିହାତି ଆବଶ୍ୟକ ନପଡ଼ିଲେ ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିବା ସହ ସମସ୍ତ ସରକାରୀ ନିୟମକୁ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ।
Leave A Reply