ଚଣ୍ଡିଖୋଲ:କ୍ରମାଗତ ସଚେତନତା ଓ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଚାଲିଥିଲେ ମଧ୍ୟ ଏହାର ପ୍ରଭାବ ସାମାଜିକ ସ୍ତରରେ ଦେଖିବାକୁ ମିଳୁ ନାହିଁ । ଯେତେସବୁ ସଚେତନତା ସ୍ଳୋଗାନବାଜି ହେଉଥିଲେ ମଧ୍ୟ ଏବେବି ସମାଜରେ ଶିଶୁ କନ୍ୟା ପ୍ରତି ଘୃଣା ଓ ଅଲୋଡ଼ାପଣ ଲାଗି ରହିଛି । ଯାହାର ଉଦ୍ଧାହରଣ ଯାଜପୁର ଜିଲା ବଡ଼ଚଣା ବ୍ଲକ୍ରେ ଦେଖିବାକୁ ମିଳିଛି । ଜଣେ ର୍ନିଦୟ ମା ତାର ନବଜାତ ଶିଶୁ କନ୍ୟାକୁ ରାସ୍ତା କଡ଼ରେ ଫୋପାଡ଼ି ଦେବା ପରେ ଅଭାବନୀୟ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଛି । ସିହା ଓ ସମିଆ ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ନିକଟ ରାସ୍ତା କଡ଼ରେ ପଡ଼ିଥିବା ଏହି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯିବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଘଟଣା ପୂର୍ବରୁ ୨୦୧୬ ମସିହାରେ ଧର୍ମଶଳା ବ୍ଲକ୍ ଅଞ୍ଜିରା ପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମରୁ ଖତଗଦାରେ ପୋତା ଯାଇଥିବା ଜଣେ ନବଜାତ ଶିଶୁ କନ୍ୟା ଉଦ୍ଧାର ହେବା ପରେ ସେତେବେଳେ ତାହା ଜିଲାରେ ଆଲୋଡ଼ନ ସୃଷ୍ଟି କରିଥିଲା । ସେହି ଘଟଣା ପରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଯେପରି ଭାବରେ ସଚେତନତା ଓ କଠୋର କାର୍ଯ୍ୟାନୁଷ୍ଟାନ ହେବା କଥା ତାହା ହେଉନଥିବାରୁ କ୍ରମାଗତ ଭାବେ ଜିଲାରେ ଏପରି ଅଭାବନୀୟ ଘଟଣା ଘଟିଚାଲିଛି । ସ୍ଥାନୀୟ ତିଳପଦା ଗାଁର କିଛି ଲୋକେ ସକାଳୁ ରାସ୍ତାରେ ଯାଉଥିଲା ବେଳେ ଶିଶୁ କନ୍ୟାଟି ରାସ୍ତା କଡ଼ରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଓ ବୁଢା କେନ୍ଦୁଆ ସ୍ଥିତ ଶିଶୁ ପରିଚର୍ଯ୍ୟା କେନ୍ଦ୍ରର ସମ୍ପାଦକ ପ୍ରଦ୍ମମ୍ନ କୁମାର ପାତ୍ର ପହଞ୍ଚି ନବଜାତ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ । ଶିଶୁ କନ୍ୟାଟିକୁ ପ୍ରଥମେ ବଡ଼ଚଣା ଡ଼ାକ୍ତର ଖାନାରେ ଚିକିତ୍ସା କରାଇଲା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି । ପରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇ ବାଳାଶ୍ରମ ସ୍ଥିତ ଶିଶୁ ଯନô ଗୃହରେ ତାକୁ ଛଡ଼ାଯାଇଥିବା ଜଣାପଡ଼ିଛି । ତେବେ ଶିଶୁଟିକୁ ଯେଉଁ ର୍ନିଦୟ ଭାବେ ଫିଙ୍ଗି ଦେଇ ଯାଇଛି ତାକୁ ସାଧାରଣରେ ନାପସନ୍ଦ କରାଯିବା ସହ କିଏ କେଉଁ ପରିସ୍ଥିତିରେ କାହିଁକି ଏହି ନବଜାତ ଶିଶୁ କନ୍ୟାକୁ ରାସ୍ତା କଡ଼ରେ ଫୋପାଡ଼ି ଦେଇ ଯାଇଛି ତାହାର ବିଧିବଧ ତଦନ୍ତ ଓ କାର୍ଯ୍ୟାନୁଷ୍ଟାନ ପାଇ ଲୋକେ ପୋଲିସ ନିକଟରେ ଦାବୀ କରିଛନ୍ତି । ଇତି ମଧ୍ୟରେ ଜିଲାରେ ଏହି ଢଙ୍ଗରେ ୨୧ରୁ ଉର୍ଦ୍ଧ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଥିବାରୁ ଯାଜପୁର ଜିଲାରେ ଶିଶୁ କନ୍ୟାଙ୍କପ୍ରତି ଅବହେଳା ବଢିଚାଲିଥିବା ପ୍ରମାଣିତ ହୋଇଛି ।