ତିହିଡି : ଗତ ପ୍ରାୟ ବର୍ଷକ ପୂର୍ବେ ହୋଇଥିବା ବାତ୍ୟା ବୁଲ୍ ବୁଲ୍ ଯୋଗୁଁ ତିହିଡି ତହସିଲର ବିଭିନ୍ନ ମୌଜାରେ ଧାନ ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଧାନ ଅମଳ ପୂର୍ବରୁ ଏଭଳି ବିପର୍ଯ୍ୟୟ ଘଟିଥିବାରୁ ଧାନ ଅମଳ ଅନେକାଂଶରେ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଚାଷୀର ଆର୍ଥିକ ସ୍ଥିତି ଦୋହଲି ଯାଇଥିଲା । କ୍ଷୟକ୍ଷତିର ତଦନ୍ତ କରି ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ସେତେବେଳେ ଘୋଷଣା କରିଥିଲେ । ମାତ୍ର ଇତିମଧ୍ୟରେ ପ୍ରାୟ ବର୍ଷେ ବିତି ଯାଇଥିଲେ ମଧ୍ୟ ବିଭିନ୍ନ ମୌଜାର ଅଳ୍ପ କିଛି ଚାଷୀଙ୍କୁ କ୍ଷତିପୂରଣ ମିଳି ଥିଲେ ମଧ୍ୟ ଅଧିକାଂଶ ଚାଷୀଙ୍କୁ କ୍ଷତିପୂରଣ ମିଳି ପାରିନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଗତ ପ୍ରାୟ ୬ ମାସ ହେଲା ତିହିଡି ତହସିଲକୁ କ୍ଷତିପୂରଣ ବାବଦକୁ ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା ।
ପରେ ଆର୍ଆଇ ମାନଙ୍କୁ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ଲାଗି ଆବେଦନ କରିବାକୁ ସୂଚନା ଦିଆଯାଇଥିଲା । ସେହି ଅନୁସାରେ ଚାଷୀମାନେ ଜମିର ଖଜଣା ପୈଠ କରିବା ସହ ଅନ୍ୟାନ୍ୟ କାଗଜପତ୍ର ଦାଖଲ ମଧ୍ୟ କରିଥିଲେ । ତେବେ କାର୍ଯ୍ୟବ୍ୟସ୍ତତାର ଆଳ ଦେଖାଇ ଆର୍ଆଇ ଅଫିସ ଗୁଡିକ ପକ୍ଷରୁ ବହୁ ବିଳମ୍ବରେ କ୍ଷତିପୂରଣ ପାଇବାକୁ ବିଭିନ୍ନ ମୌଜାର ଅଳ୍ପ କିଛି ଯୋଗ୍ୟ ଚାଷୀଙ୍କ ତାଲିକା ତହସିଲ ଅଫିସକୁ ପଠାଯିବା ପରେ ସେଠାରେ ମଧ୍ୟ ଏହା ବହୁ ଦିନ ପଡି ରହିଥିଲା । ପରେ ଏହା ଭଦ୍ରକ ଏକ୍ସିସ ଓ ଏଚ୍ଏଫଡିସି ବ୍ୟାଙ୍କକୁ ପଠାଯାଇଥିଲା । ଏବେ ବିଭିନ୍ନ ମୌଜାର ଅଳ୍ପ କିଛି ଚାଷୀଙ୍କ ଆକାଉଣ୍ଟକୁ କ୍ଷତିପୂରଣ ଅର୍ଥ ଆସିଥିବା ବେଳେ ଅଧିକାଂଶ ଚାଷୀ ଏହା ପାଇବାରୁ ବଞ୍ଚିତ ହୋଇଛନ୍ତି । ତୁରନ୍ତ ଚାଷୀଙ୍କ କ୍ଷତିପୂରଣ ଅର୍ଥ ଯୋଗାଇ ଦେବାକୁ ଦାବି ହେଉଛି ।
