ବୁଗୁଡ଼ା : ତା ୧୨/୦୬/୨୩ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ହିତ ସାଧନ ପାଇଁ ସ୍ଥାନୀୟ ବସଷ୍ଟାଣ୍ଡରେ ଏନ୍ଏସି ତରଫରୁ ଖୋଲା ଯାଇଛି ପାନୀୟ ଜଳ ସେବା କେନ୍ଦ୍ର । ଚକାଚକ୍ ପୋଷ୍ଟର ସାଙ୍ଗକୁ ଥୁଆ ହୋଇଛି ଥଣ୍ଡା ପାନୀୟ ଜଳ ମେସିନ୍ । ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ତୃଷାର୍ତ୍ତ ଯାତ୍ରୀଟିଏ ଥଣ୍ଡା ପାଣି ମୁନ୍ଦାଏ ପାଇଁ ସେଠାକୁ ଯାଇ ଦେଖିଲା ବେଳକୁ ମେସିନରୁ ପାଣି ବାହାରୁନି । ମେସିନ୍ ହୋଇଯାଇଛି ଅଚଳ । ଏଥି ପ୍ରତି ନିଘା ରଖୁନି ଏନ୍ଏସି ପ୍ରଶାସନ । ଥଣ୍ଡା ପାଣି ଟିକେ ପାଇଁ ପାନୀୟ ଜଳ ସେବା କେନ୍ଦ୍ରକୁ ଯାଇ ଲୋକଙ୍କୁ ନିରାଶ ହେବାକୁ ପଡୁଛି । ଏନ୍ଏସି ପ୍ରଶାସନର ଉଦାସୀନତା ଯୋଗୁଁ ପାନୀୟ ଜଳ ସେବା କାର୍ଯ୍ୟ ବ୍ଯାହତ ହୋଇ ଲୋକଙ୍କ ପାଇଁ ମରିଚିକା ପାଲଟିଛି । ଗ୍ରୀଷ୍ମ କାଳରେ ଧର୍ମକୁ ଆଖିଠାର ନ୍ଯାୟରେ କ’ଣ ସେହି ପାନୀୟ ଜଳ ସେବା କେନ୍ଦ୍ର ଏନ୍ଏସି ପକ୍ଷରୁ ଖୋଲା ଯାଇଛି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜନହିତ ପାଇଁ ସେହି ଅଚଳ ଥଣ୍ଡା ପାନୀୟ ଜଳ ମେସିନଟିକୁ ତୁରନ୍ତ ସଜାଡିବାକୁ ସାଧାରଣରେ ଦାବି ହେଉଛି ।