Odisha news

ବୁଗୁଡ଼ା ଗାର୍ଲସ୍ ହାଇସ୍କୁଲରେ ଶିକ୍ଷାର ଅଧୋଗତି, ଶିକ୍ଷକ ମରୁଡି ଯୋଗୁଁ ସଙ୍କଟରେ ପିଲାଙ୍କ ପାଠପଢା, ନବମ ଓ ଦଶମର ଗଣିତ ବହି ଖୋଲା ହୋଇନି, ତୁରନ୍ତ ପ୍ରତିକାର ଦାବି

0
ବୁଗୁଡା : ତା ୧୬/୧୦/୨୨ : ନାରୀ ଶିକ୍ଷାର ଅଗ୍ରଗତି ପାଇଁ ଅଗ୍ରାଧିକାର ଦିଆଯାଉଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ତାହାର ବିକଳ ଚିତ୍ର ଦେଖିବାକୁ ମିଳିଛି ଶ୍ରମ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ସ୍ଥିତ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ। ୧୯୬୪ରେ ସ୍ଥାପିତ ଏହି ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଶିକ୍ଷକ ମରୁଡି ଯୋଗୁଁ ପିଲାଙ୍କ ପାଠପଢା ଏବେ ସଂକଟ ଜନକ ପରିସ୍ଥିତି ଦେଇ ଗତି କରୁଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକଙ୍କ ମନରେ ଚିନ୍ତା ଘାରିଛି । ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ୫ଟି ଶ୍ରେଣୀରେ ପଢୁଥିବା ମୋଟ ୪୫୭ ଜଣ ଛାତ୍ରୀଙ୍କ ପାଇଁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ମାତ୍ର ୫ ଜଣ ଶିକ୍ଷକ ରହିଥିବା ବେଳେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ଜଣେ ଆର୍ଟସ୍ ଶିକ୍ଷକ ଡେପୁଟେସନରେ ଆସି ୩ ଦିନ ଲେଖାଏଁ ପଢାଉଛନ୍ତି ।
ଏହି ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ସାଙ୍ଗକୁ ଟିଜିଟି ଆର୍ଟସ୍, ଟିଜିଟି ସିବିଜେଡ୍, ଟିଜିଟି ପିସିଏମ୍, ଭାଷାଭିତ୍ତିକ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଛି। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ କାମଚଳା ପାଠପଢା ଚାଲିଥିବା ବେଳେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କ ପାଠପଢାରେ ଘୋର ଅସୁବିଧା ହେଉଛି ଶିକ୍ଷକ ଅଭାବ ଯୋଗୁଁ ପ୍ରତ୍ୟେକ ଶ୍ରେଣୀରେ ଦିନକୁ ଗୋଟିଏ କିମ୍ବା ଦୁଇଟି ପିରିଅଡ଼ ପାଠ ପଢା ଯାଉଥିବା ବେଳେ ଅନ୍ୟ ପିରିୟଡ ଗୁଡିକ ଖାଲି ପଡୁଥିବାରୁ ପିଲାଏ ମଜା ମଜଲିସ୍ କରି ଘରକୁ ଫେରୁଛନ୍ତି । ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ଗଣିତ, ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ପଢାଇବାକୁ କେହି ଶିକ୍ଷକ ନଥିବାରୁ ଏସବୁ ବିଷୟରେ ପିଲେ ଦୁର୍ବଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
କରୋନା କାଳରେ ଅଯଥା ଆର୍ଥିକ ବୋଝରୁ ମୁକୁଳିବା ପାଇଁ ଅଭିଭାବକମାନେ ବିଭିନ୍ନ ବେସରକାରୀ ବିଦ୍ୟାଳୟରୁ ନିଜ ନିଜ ପିଲାଙ୍କୁ ଆଣି ଏଠି ନାମ ଲେଖାଇ ଥିବାବେଳେ ଏବେ ଏଠାକାର ଶିକ୍ଷକ ମରୁଡି ଅବସ୍ଥା ଯୋଗୁଁ ସେମାନେ ମହରଗରୁ ଆସି କାନ୍ତାରରେ ପଡିଛନ୍ତି ବୋଲି କ୍ଷୋଭ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ବିଦ୍ୟାଳୟରେ ଶିକ୍ଷକ ମରୁଡି ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା କଥାକୁସ୍ବୀକାର କରିବା ସହ ଏହି ବିଦ୍ୟାଳୟ ପାଇଁ ଗଣିତ,ବିଜ୍ଞାନ ଓ ସଂସ୍କୃତ ଆଦି ତିନୋଟି ବିଷୟର ଶିକ୍ଷକ ପଦବୀ ପୂରଣ ପାଇଁ ମଞ୍ଜୁରି ମିଳିଥିବା ବେଳେ ହିନ୍ଦୀ ବିଷୟ ଅଧ୍ୟାପନା ପାଇଁ ଡେପୁଟେସନରେ ଜଣଙ୍କୁ ପ୍ରେରଣ କରିବାକୁ ଆବେଦନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ଯପକ୍ଷରେ ଗତ ସେପ୍ଟେମ୍ବର ମାସରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଏହି ବିଦ୍ୟାଳୟରେ ଯୋଗ ଦେବାର ଶୁଣାଯାଉଥିଲା ବେଳେ ଏ ମାସରେ ତାହା ଗୁଜବରେ ପରିଣତ ହୋଇଛି । ବିଦ୍ୟାଳୟର ଶୈକ୍ଷିକ ଦୂରାବସ୍ଥା ନେଇ ଅଭିଭାବକ ମହଲରେ ଦୁଃଖ ଓ କ୍ଷୋଭ ପ୍ରକାଶ ପାଇଛି ।
ତେବେ ଏହି ଉଚ୍ଚ ବିଦ୍ୟାଳୟରେ ରହିଥିବା ଶିକ୍ଷକ ମରୁଡି ସମସ୍ୟାକୁ ଦୂର କରିବା ପାଇଁ ଶିକ୍ଷା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି ।ଏନେଇ ଡିଇଓ ବିନିତା ସେନାପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ବେଳେ ଯଦି କୌଣସି ଅତିଥି ଶିକ୍ଷକ ଆବେଦନ କରନ୍ତି ତେବେ ତାହାକୁ ଅବିଳମ୍ବେ ମଞ୍ଜୁର କରାଯିବ ବୋଲି ଭରସା ଜୁଟାଇ ଥିଲେ ତେବେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ବ୍ଯବସ୍ଥା ଭୁଷୁଡି ପଡିଥିବାଏହି ବାଳିକା ଉଚ୍ଚ ବିଦ୍ୟାଳୟର ଅଧୋଗତିରେ  ରୋକ୍ ଲଗାଇବାକୁ ଆବଶ୍ୟକୀୟ ଗଣିତ ଶିକ୍ଷକ ସାଙ୍ଗକୁ ଅନ୍ୟାନ୍ୟ ଭାଷାଭିତ୍ତିକ ଶିକ୍ଷକ ଯଥାଶୀଘ୍ର ନିଯୁକ୍ତି ପାଇଁ ଅଞ୍ଚଳର ଜନପ୍ରିୟ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ଅଭିଭାବକ ଏବଂ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
Leave A Reply