ବୁଗୁଡା : ତା ୧୮/୦୨/୨୨ : ବୁଗୁଡ଼ା ବ୍ଲକର ୨୧ ପଞ୍ଚାୟତରେ ତ୍ରିସ୍ତରୀୟ ନିର୍ବାଚନ ଆଜି ଶେଷ ହୋଇଯାଇଛି । ଶତକଡା ୬୪.୪୩ ମତଦାତା ସେମାନଙ୍କ ମତଦାନ ଶୃଙ୍ଖଳିତ ଭାବେ ସାବ୍ୟସ୍ତ କରିଛନ୍ତି । ବୁଗୁଡା ବ୍ଲକର ମୋଟ ୯୮,୩୮୦ ଜଣ ଭୋଟରଙ୍କ ମଧ୍ୟରୁ ୬୩,୩୮୭ ଜଣ ଭୋଟ ଦେଇଥିବା ବେଳେ ଭୋଟ ହାର ୬୪.୪୩% ରହିଥିବା ନେଇ ବ୍ଲକ ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମୋଟ ୫୮,୧୩୭ ଜଣ ପୁରୁଷ ଭୋଟରଙ୍କ ମଧ୍ୟରୁ ୨୯,୮୭୫ ଜଣ ଭୋଟ ଦେଇଥିବା ବେଳେ ମୋଟ ୪୬,୨୩୫ ଜଣ ମହିଳା ଭୋଟରଙ୍କ ମଧ୍ୟରୁ ୩୩,୫୧୨ ଜଣ ମତଦାନ କରିଛନ୍ତି । ବ୍ଲକର ବି.କରଡ଼ାବାଡ଼ି ପଞ୍ଚାୟତରେ ସର୍ବାଧିକ ୭୬% ମତଦାନ ହୋଇଥିବା ବେଳେ ପୋଚାଲୁଣ୍ଡି ପଞ୍ଚାୟତରେ ସର୍ବନିମ୍ନ ୫୬%ମତଦାନ ହୋଇଛି । ତେବେ ଚଳିତ ନିର୍ବାଚନରେ ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ରହିଥିବା ଜଣାପଡ଼ିଛି । ବ୍ଲକର ୨୧ ପଞ୍ଚାୟତରେ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ଲକର ବାଲିପଦରର ପିଙ୍କ୍ ବୁଥ୍ ସହ ଗୋଲିଆ ଓ ପାଙ୍ଗିଡ଼ିର ବିଭିନ୍ନ ବୁଥକୁ ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର , ବିଡିଓ ଏବଂ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।