ବୁଗୁଡ଼ା ପୋଲିସ୍ କୁ ବଡ ସଫଳତା ମିଳିଛି। ଡକାୟତି ଯୋଜନା କରୁଥିବା ବେଳେ ୪ ଜଣଙ୍କୁ ଧରିନେଲା ପୋଲିସ ତେବେ ଗ୍ଯାଙ୍ଗ୍ ର ଜଣେ ଚମ୍ପଟ୍ ମାରି ପଳେଇବାରେ ସଫଳ ହୋଇଛି ବୋଲି ପୋଲିସ କହିଛି। ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ ବେଳେ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ବୁଗୁଡ଼ାରୁ କରସିଂ ମୁଖ୍ୟ ସଡ଼କ କଡରେ ଥିବା ପଥରବଣି ଗ୍ରାମର ରେଷ୍ଟସେଡରେ ଏହି ଗ୍ଯାଙ୍ଗ୍ ବସି ଯୋଜନା କରୁଥିଲା।
ପେଟ୍ରୋଲିଂ ବେଳେ ପୋଲିସ ଏମାନଙ୍କୁ ନିରୋଳାରେ ବସିଥିବା ସନ୍ଦେହ କରି ଏମାନଙ୍କ ଉପରେ ଚଢାଉ କରିଥିଲା। ଚଢାଉ ବେଳେ ଗ୍ଯାଙ୍ଗ୍ ର ଜଣେ ଖସିପଳାଇଥିବା ବେଳେ ଅନ୍ୟ ୪ ଜଣ ଲାଗିଥିଲେ ପୋଲିସ ହାତରେ। ଏମାନଙ୍କ ଠାରୁ ୪ ହାତ ବୋମା, ଗୋଟାଏ ଲେଖାଏଁ ଖଣ୍ଡା, ଛୁରୀ ଓ କାତି ଜବତ କରିଥିଲା ପୋଲିସ। ଧରାପଡିଥିବା ଅଭିଯୁକ୍ତମାନେ ପଞ୍ଚଭୂତିର ପ୍ରଫୁଲ୍ଲ ନାଇକ, ଜେକ ଗ୍ରାମର ନିର ନାଇକ ତାରାସିଂ ଗ୍ରାମର ରବିନ୍ଦ୍ର ନାଇକ ଓ ରାଜେନ୍ଦ୍ର ନାଇକ। ଗ୍ଯାଙ୍ଗର ନେତା ନର ନାଇକ ବୁଗୁଡ଼ା ଥାନା ମାଣିତାରା ଷ୍ଟେଟ୍ ବ୍ଯାଙ୍କର ଡକାୟତି ସହ ସମ୍ପୃକ୍ତ ଥିବା ବେଳେ ଅନ୍ୟାନ୍ୟ ଏକାଧିକ ମାମଲାରେ ମଧ୍ଯ ଜଡିତ ଥିବା ପୋଲିସ ଆଇ ଆଇ ସି ଚିତ୍ତରଞ୍ଜନ ଜେନା କହିଛନ୍ତି। ଏହି କେଶ୍ ରେ ୧୭୬ ନଂ ମାମଲା ରୁଜୁ କରି ଗିରଫ ୪ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାର ତଦନ୍ତ ଦାୟିତ୍ଵରେ ଅଛନ୍ତି ସବ୍ ଇନ୍ସପେକ୍ଟର ତନୁଶ୍ରୀ ସାହୁ।