ବୋରିଗୁମ୍ମା (କେ.ସାକିଲି ଦୋରା)— ବହୁ ପ୍ରତୀକ୍ଷିତ ଜୟପୁର —ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ବୋରିଗୁମ୍ମା ଠାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜନଶୁଣାଣୀ ଶିବିରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଏ ଡ଼ି ଏମ ଦେବେନ କୁମାର ପ୍ରଧାନ ଯୋଗ ଦେଇ ଜନଶୁଣାଣୀ ଆରମ୍ଭ କରିଥିଲେ। ପ୍ରକାଶ ଥାଉକି ଜୟପୁର–ନବରଙ୍ଗପୁର ରେଳ ପ୍ରକଳ୍ପ ନିମନ୍ତେ ବୋରିଗୁମ୍ମା ପଞ୍ଚାୟତ ର ଚାରୋଟି ଗ୍ରାମରୁ ୪୭୫.୧୫୨ ଏକର ଜମି ଅଧିଗ୍ରହଣ କରାଯିବ। ବୋରିଗୁମ୍ମା ପଞ୍ଚାୟତ ର ଖୁଡ଼ିଗୁଡା ଗ୍ରାମର ୪.୮୮୦ ଏକର, ଦୁଲ୍ଲାଗୁଡା ଗ୍ରାମର ୨୪.୬୧୬ ଏକର, ଝିଲିମିଲି ଗ୍ରାମର ୨୯.୬୫୬ ଏକର ଓ ବୋରିଗୁମ୍ମା ଗ୍ରାମର ୨୦୮.୧୫୨ ଏକର ଜମି ଅଧିଗ୍ରହଣ ହେବ। ଏଠି ନେଇ ଆଜି ବୋରିଗୁମ୍ମା ଟାଉନ ହଲ ଠାରେ ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ବୋରିଗୁମ୍ମା ପଞ୍ଚାୟତ ର ରେଳ ପ୍ରକଳ୍ପ ପାଇଁ ଜମି ହରାଉଥିବା ଲୋକେ ଜନଶୁଣାଣୀ ଶିବିରରେ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ। ଜମି ହରାଉଥିବା ଲୋକଙ୍କ ପରିବାର ର ଜଣଙ୍କୁ ରେଲୱେ ରେ ଚାକିରୀ ଦେବାକୁ ଦାବୀ କରିବା ସହ ହରାଉଥିବା ଜମି ର ଉଚିତ ମୂଲ୍ୟ ଦେବାକୁ କହିଥିଲେ।ଉକ୍ତ ଜନଶୁଣାଣୀ ଶିବିରରେ ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ରଇତ ,ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ରେଳ ବିଭାଗ ସେକ୍ସନ ଇଞ୍ଜିନିଆର ଡ଼ି.ଗୋପାଲୁଡୁ ,ସ୍ଥାନୀୟ ସରପଞ୍ଚ ଚନ୍ଦ୍ରିକା ଯାନୀ ପ୍ରମୁଖ ଉପସ୍ଥିତ ଥିଲେ।ଜନଶୁଣାଣୀ କୁ ଉପସ୍ଥାପନ କରିଥିଲେ ଗ୍ରୀନ ଇଣ୍ଡିଆ, ଭୁବନେଶ୍ୱର ଓ ସହାୟତା କରିଥିଲେ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଭୁବନେଶ୍ୱର।