ବୋରିଗୁମ୍ମା (କେ.ସାକିଲି ଦୋରା) : ଗତ କିଛି ଦିନ ହେଲା ବୋରିଗୁମ୍ମା ବ୍ଲକ କଣାଗାଁ ପଂଚାୟତରେ ସ୍ଵଛ ଭାରତ ମିଶନ ରେ ପାଇଖାନା ନିର୍ମାଣ କୁ ନେଇ ହଟଚମଟ ଜାରୀ ରହିଛି। କଣାଗାଁ ଗ୍ରାମର ଗୋଟିଏ ଗୋଷ୍ଠୀ ପାଇଖାନା ନିର୍ମାଣ ନ ହୋଇ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ମାନେ ବିଲ କରି ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ରାଜନୀତି ହେବା ସହ ବ୍ଲକ ବିଜେପି ବିଡିଓ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ସିଧାସଳଖ ଦାୟୀ କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ ରେ ପାଇଖାନା ନିର୍ମାଣ ନ ହୋଇ ଟଙ୍କା ଉଠାଇବା, ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ବିଲ କରି ଅର୍ଥ ହଡପ ଓ ଯେଉଁମାନେ ନିଜ ଘରେ ପାଇଖାନା ନିର୍ମାଣ କରୁଛନ୍ତି ସେମାନେ ବର୍ଷ ବର୍ଷ ଧରି ଟଙ୍କା ନ।ମିଳିବା ପ୍ରସଙ୍ଗ ଏବେ ଥାନା ହତା ଭିତରେ ପହଂଚିଛି। ଗୋଟାଏ ପ୍ରକାର କହିବାକୁ ଗଲେ ପାଇଖାନା କଳି ଏବେ ଥାନାରେ।
କଣାଗାଁ ଗ୍ରାମର ଦୁଇ ଗୋଷ୍ଠୀ ଏବେ ନ୍ୟାୟ ପାଇବା ପାଇଁ ବୋରିଗୁମ୍ମା ଥାନାରେ ପରସ୍ପର ବିରୁଦ୍ଧରେ ଏତଲା ଦାୟର କରିଛନ୍ତି। ଆର ଡବ୍ଲୁ ଏସ ଏସ ବିଭାଗ ର ମୋଟୀଭେଟର ଭାବେ କାର୍ଯ୍ୟରତ ଥିବା ବାସନ୍ତୀ ବିଶୋଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଗତ ୦୫.୦୯.୨୦୨୦ ତାରିଖରେ ସେ ନିଜ ଗାଁ ରୁ ବୋରିଗୁମ୍ମା ଆସୁଥିବା ବେଳେ ବିଜାପୁର ଓ କଣାଗାଁ ମଧ୍ୟରେ ଥିବା ନୀଳଗିରି ବାଡ଼ରେ ରିତେଶ ବିଶୋଇ, ନିରଞ୍ଜନ ବିଶୋଇ ଓ ରାମନାଥ ବିଶୋଇ ତିନି ଜଣ ତାଙ୍କୁ ଅସଦବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ। ଏପରିକି ନିଜେ ପିନ୍ଧି ଥିବା ପୋଷାକ କୁ ଚିରି ଦେଇଥିଲେ ବୋଲି ଏତଲା ରେ ଉଲ୍ଲେଖ କରିଛନ୍ତି। ପୋଲିସ ବାସନ୍ତୀ ବିଶୋଇ ଙ୍କ ଏତଲା କୁ ଭିତ୍ତି କରି କେସ ନମ୍ବର ୧୨୪ / ୨୦୨୦ କରିବା ସହ ଦଫା ୩୪୧,୨୯୪,୩୮୫,୩୫୪(ବି),୩୨୩ ଓ ୩୪ ଧାରା ରୁଜୁ କରାଯାଇଛି।
ଅନ୍ୟପଟେ ରିତେଶ ବିଶୋଇ ଙ୍କ ସ୍ତ୍ରୀ ପଦ୍ମିନୀ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ଲେଖିଛନ୍ତି ଯେ ଗତ ୦୮.୦୯.୨୦୨୦ ତାରିଖରେ ସେ ଓ ସବିତା ବିଶୋଇ ଦୁହେଁ ବାସନ୍ତୀ ବିଶୋଇ କୁ ପଚାରିଲେ ଯେ ଆମର ପାଇଖାନା ନିର୍ମାଣ ନ ହୋଇ ଵିଲ ହୋଇଛି ବୋଲି ଶୁଣିଲୁ। ଏହାର ଜବାବ ରେ ବାସନ୍ତୀ ଙ୍କ ବାପା ସୀମାଞ୍ଚଳ ବିଶୋଇ, ଅନୀଲ ବିଶୋଇ ଓ ନରେନ୍ଦ୍ର ବିଶୋଇ ତିନି ଜଣ ପଦ୍ମିନୀ କୁ ଗାଳି ଗୁଳଜ କରିବା ସହ ନିଜେ ପିନ୍ଧିଥିବା ଶାଢ଼ୀ କୁ ଟଣାଓଟରା କରିଥିଲେ। ଯାହାଫଳରେ ସେ ଖୁବ ଲଜ୍ଜିତ କରିବା ଅନୁଭବ କରିଥିଲେ। ତାଙ୍କ ଏତଲା କୁ ଭିତ୍ତି କରି ପୋଲିସ କେସ ନମ୍ବର ୧୨୫ / ୨୦୨୦ ରୁଜୁ କରିବା ସହ ଦଫା ୪୫୨,୨୯୪,୩୨୩,୩୫୪ (ବି),୫୦୬,୩୪ ରୁଜୁ କରିଛନ୍ତି।ପୋଲିସ ସୂଚନା ଦେଇଛନ୍ତି ଯେ ଉଭୟ କେସ ର ତଦନ୍ତ କରାଯାଉଛି। ବ୍ଲକରେ ବର୍ତ୍ତମାନ ପାଇଖାନା କଳି ଥାନାରେ ପହଁଚିଥିବା ବେଳେ ଆଗକୁ କୁଆଡେ ଗତି କରୁଛି ଦେଖିବାକୁ ବାକି ରହିଲା।