ବୋରିଗୁମ୍ମା (କେ.ସାକିଲି ଦୋରା) : ଓଡ଼ିଶାର ସର୍ବ ବୃହତ ବ୍ଲକ ଭାବେ ବୋରିଗୁମ୍ମା ବ୍ଲକ ବେଶ ଜଣାଶୁଣା। ଭୌଗଳିକ ଦୃଷ୍ଟି ହେଉ କିମ୍ଵା ରାଜନୈତିକ ଦୃଷ୍ଟିରୁ ବୋରିଗୁମ୍ମା ବ୍ଲକ କୋରାପୁଟ ଜିଲ୍ଲାରେ ଏକ ନମ୍ବର। କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ଵଛ ଭାରତ ମିଶନ ରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ପାଇଖାନା ନିର୍ମାଣ ନ ହୋଇ ପାନୀୟ ଜଳ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀ ପାଇଖାନା ବିଲ କରି ଅର୍ଥ ହଡପ କରୁଥିବା ଘୋର ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ ଦୀର୍ଘ ବର୍ଷ ହେଲା ମୃତୁବରଣ କରିଥିବା ବ୍ୟକ୍ତି ବିଶେଷ ଙ୍କ ନାମରେ ପାଇଖାନା ବିଲ ହେଉଛି। ଏଠି ବଡ଼ ପ୍ରଶ୍ନ ହେଉଛି କି ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରି ଦୀର୍ଘ ବର୍ଷ ହେଲା ପାଇଖାନା ନିର୍ମାଣ ଟଙ୍କା ପାଉ ନ ଥିବା ବେଳେ ପାଇଖାନା ନିର୍ମାଣ ନ କରି ଟଙ୍କା କିପରି ହଡପ ହେଉଛି।
ବୋରିଗୁମ୍ମା ବ୍ଲକ ର କଣାଗାଁ ପଂଚାୟତ ରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। କଣାଗାଁ ଗ୍ରାମର ରିତେଶ ବିଶୋଇ ଓ ଅନ୍ୟ କିଛି ଲୋକ ସ୍ଵଛ ଭାରତ ମିଶନ ରେ ପାଇଖାନା ନିର୍ମାଣ ସକାଶେ କନିଷ୍ଠ ଯନ୍ତ୍ରୀ କଲ୍ୟାଣି ମାଡମ ପାଖକୁ ଯାଇଥିଲେ। ରିତେଶ ବିଶୋଇ ଙ୍କୁ କନିଷ୍ଠ ଯନ୍ତ୍ରୀ କହିଲେ ଯେ ତୁମ ବାପା ଅଭିମନ୍ୟୁ ବିଶୋଇ ଙ୍କ ନାମରେ ପାଇଖାନା ବିଲ ହୋଇ ସାରିଛି। ଏଣୁ କୌଣସି ପାଇଖାନା ନିର୍ମାଣ ହୋଇ ପାରିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଥିଲେ। ଏହିଭଳି ଭାବେ କଣାଗାଁ ର ଅନେକ ଙ୍କ ଘରେ ପାଇଖାନା ନାହିଁ। କିନ୍ତୁ ପାଇଖାନା ନିର୍ମାଣ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କଣାଗାଁ ଗ୍ରାମର ପଦ୍ମନାଭ ବିଶୋଇ, ଗୌରୀ ଶଙ୍କର ବିଶୋଇ, ପଦ୍ମାବତୀ ବିଶୋଇ, ମହେନ୍ଦ୍ର ବିଶୋଇ, ରାମନାଥ ବିଶୋଇ, ନିରଞ୍ଜନ ବିଶୋଇ, ହେମନ୍ତ ବିଶୋଇ, ବନ୍ଦିତା ବିଶୋଇ, ପ୍ରଦୀପ ବିଶୋଇ, ରାଜେନ୍ଦ୍ର ବିଶୋଇ, ଗଣେଶ ଚନ୍ଦ୍ର ବିଶୋଇ ପ୍ରମୁଖ ଅଭିଯୋଗ କରିଥିଲେ। ସେହିଭଳି କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ଲୋକନାଥ ବିଶୋଇ ଓ ଫୁଲମତି ବିଶୋଇ ଙ୍କ ନାମରେ ପାଇଖାନା ନିର୍ମାଣ ହୋଇଥିବା କହିଛନ୍ତି ଗ୍ରାମବାସୀ।
ତେବେ ଏତିକିରେ କନିଷ୍ଠ ଯନ୍ତ୍ରୀ ଙ୍କ କାରନାମା ସରି ନାହିଁ। ନିଜେ ହିତାଧିକାରୀ ପାଇଖାନା ନିର୍ମାଣ କରିଥିଲେ। କିନ୍ତୁ ବିଲ ଆଜି ପର୍ଯ୍ୟନ୍ତ ହେଉ ନାହିଁ। ବ୍ଲକ କାର୍ଯ୍ୟାଳୟ କୁ ଧାଇଁ ଧାଇଁ ଦିନ ଗଲାଣି। କିନ୍ତୁ ପାଇଖାନା ଟଙ୍କା ମିଳୁ ନାହିଁ।ସ୍ଵଛ ଭାରତ ମିଶନ ରେ ଦୁର୍ନୀତି ର ଚେର ଏତେ ଲମ୍ବା ଯେ ଶେଷ ହେବ ନାହିଁ। ସବିତ ବିଶୋଇ ନାମକ ମହିଳା ଙ୍କୁ ଚନ୍ଦ୍ର ନାୟକ ଗୁଡା ଗ୍ରାମରେ ୧୬ ଗୋଟି ପାଇଖାନା ନିର୍ମାଣ କରିବା ସକାଶେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଲିଖିତ ଭାବେ କହିଥିଲେ।୨୦୧୮-୧୯ ରେ ମହିଳା ୧୬ ଗୋଟି ପାଇଖାନା ନିର୍ମାଣ କରି ବିଲ ଧରି କନିଷ୍ଠ ଯନ୍ତ୍ରୀ ଙ୍କ ପାଖକୁ ଯାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ମହିଳା ୧୬ ଗୋଟି ପାଇଖାନା ର ଟଙ୍କା ପାଇ ନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ଗରୀବ ମାନଙ୍କ ପାଇଁ ଉଦ୍ଧିଷ୍ଟ। କିନ୍ତୁ ଏହିଭଳି କିଛି ଅସାଧୁ କର୍ମଚାରୀ ଙ୍କ ପାଇଁ ଯୋଜନା ର ସଫଳ ରୂପାୟନ ହୋଇ ପାରୁନାହିଁ।ସ୍ୱଚ୍ଛ ଭାରତ ମିଶନ ରେ ହୋଇଥିବା ଦୁର୍ନୀତି ର ସଠିକ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।