ବୋଲଗଡ: ମହାମାରୀ କରୋନା ଯୋଗୁଁ ଗତମାର୍ଚ୍ଚ ୨୫ ତାରିଖ ଠାରୁ ସମଗ୍ର ଦେଶରେ ଲକ୍ଡାଉନ(ତାଲା ବନ୍ଦ) ଚାଲିଛି । ଏଥିଯୋଗୁଁ ସମସ୍ତ ନିର୍ମାଣକାର୍ଯ୍ୟ ବନ୍ଦହୋଇଯାଇଛି । ନିର୍ମାଣ ଶ୍ରମିକମାନଙ୍କର ପରିବାର ପ୍ରତିପୋଷଣ ପାଇଁ ପ୍ରତ୍ୟେକ କାର୍ଡ ପିଛା ସରକାର ୫୦୦ଟଙ୍କା ଲେଖାଏଁ ୩ମାସ ପାଇଁ ୧୫୦୦ଶହ ଟଙ୍କା ନଗଦ ଆକାରରେ ସେମାନଙ୍କ ନିକଟରେ ପହଞ୍ଚି ପ୍ରଦାନ କରିଛନ୍ତି ।
ଏହି ଅବସରରେ ବୋଲଗଡ ବ୍ଲକର ୧୯ଗୋଟି ପଞ୍ଚାୟତରେ ୮ହଜାର ୨୫୭ଜଣ ନିର୍ମାଣ ଶ୍ରମିକଙ୍କୁ ୧କୋଟି ୨୩ଲକ୍ଷ ୮୫ହଜାର ୫ଶହଟଙ୍କା ଗତ ଅପ୍ରେଲମାସରେ ପ୍ରଦାନ କରାଯାଇଛି । ଏହି ଟଙ୍କାକୁ ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ବଣ୍ଟନ କରିଥିବାବେଳେ ସେମାନଙ୍କ ସାଥୀରେ ବହୁ ଦଲାଲ ବୁଲୁଥିଲେ । ଯେଉଁମାନେ ପୂର୍ବରୁ ନିର୍ମାଣ ଶ୍ରମିକ କାର୍ଡ କରାଇଦେବାପାଇଁ ହିତାଧିକାରୀଙ୍କ ଠାରୁ ୫ଶହରୁ ୧ହଜାର ଲାଞ୍ଚ ନେଇଥିଲେ, ସେମାନେ ମଧ୍ୟ ଏହି ସହାୟତା ରାଶିରୁ ହିତାଧିକାରୀଙ୍କ ଠାରୁ ୫ଶହ ଓ ୭ଶହ ଟଙ୍କା ନେଇଥିବାର ବହୁ ହିତାଧିକାରୀ ଅଭିଯୋଗ କରିଛନ୍ତି ।
ବିଶେଷକରି ଖଙ୍ଗୁରିଆ ଗ୍ରାମପଞ୍ଚାୟତ ସଂପୁର ଗ୍ରାମର ସଞ୍ଜୟ ପରିଡା,ବୋଲଗଡ ପଞ୍ଚାୟତ ଅନ୍ତର୍ଗତ ନନ୍ଦପଲ୍ଲୀ ଗ୍ରାମର ସୁମା ନାୟକ, ଟିକିନା ନାୟକ,ରେଖା ପ୍ରଧାନ,ସୁମି ନାୟକ,ଟିକିନା ଦିହୁଡିଙ୍କ ଠାରୁ ଦଲାଲମାନେ ୭ଶହ ଟଙ୍କା ଲେଖାଏଁ ନେଇ ତାଙ୍କଠାରୁ ଲେବର କାର୍ଡ ଫେରାଇ ନେଇଥିବାର ଅଭିଯୋଗ କରିଛନ୍ତି । ଏପରିକି ବୋଲଗଡ ଅଞ୍ଚଳର ବହୁ ଟେଲର,ସାଇକେଲ ଦୋକାନୀ,ଗ୍ୟାରଜ କର୍ମଚାରୀ, ପରିବା ଦେକାନୀ, ମସଲା ଦୋକାନୀ, ଗାଡି ଡ୍ରାଇଭର,ଅଟୋ ଡ୍ରାଇଭରମାନେ ଲାଞ୍ଚଦେଇ ନିର୍ମାଣ ଶ୍ରମିକ କାର୍ଡ ପାଇ ଏହିସହାୟତା ରାଶି ପାଇଥିବାର ଜଣାପଡିଛି ।
ପୁନଶ୍ଚ ଏହିସହୟାତା ରାଶି କରାଇଦେବାପାଇଁ ଏବେ ମଧ୍ୟ ବହୁ ନିରୀହ ଲୋକଙ୍କ ଠାରୁ ବୋଲଗଡ ଅଞ୍ଚଳର ବହୁ ଦଲାଲ ୫ଶହଟଙ୍କା ଲେଖାଏଁ ଆଗୁଆ ଆଦାୟ କରୁଥିବାର ଦେଖିବାକୁ ମିଳିଛି । ବିଶେଷକରି ମର୍ଦ୍ଦାବାଡି, ନନ୍ଦପଲ୍ଲୀ,ହରିପୁର ଆଦିବାସୀସାହି, ଅରଖପଲ୍ଲୀ, ସଂପୁ,ଖଙ୍ଗୁରିଆ,ଡାବରଧୁଆ ଆଦିବାସୀର ବହୁ ନିରିହଙ୍କ ଠାରୁ ଲେବରକାର୍ଡ କରାଇଦେବାପାଇଁ ଟଙ୍କା ଆଦାୟ କରୁଥିବାର ଜଣାପଡିଛି । ଏସଂକ୍ରାନ୍ତରେ ବୋଲଗଡ ଠାରେ କାର୍ଯ୍ୟକରୁଥିବା ସ୍ୱତନ୍ତ୍ର ଓଡିଶା କନଷ୍ଟ୍ରକସନ ଲେବର ୟୁନିୟନର ସଭାପତି ରାଧାମୋହନ ସାହୁ ଏହି ଅର୍ଥ ଆଦାୟ ବିରୁଦ୍ଧରେ ତଦନ୍ତ କରିବାପାଇଁ ମାନ୍ୟବର ଜିଲ୍ଲାପାଳ ଖୋର୍ଦ୍ଧା, ଜିଲ୍ଲା ଶ୍ରମ ଅଧିକାରୀ,ରାଜ୍ୟ ଶ୍ରମ କମିଶନରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।