ବୋଲଗଡ :କେନ୍ଦ୍ର ଓ ରାଜ୍ୟସରକାର ଚାଷ ଓ ଚାଷୀମାନଙ୍କର ଉନ୍ନତିପାଇଁ ବହୁବିଧ ଯୋଜନା କରୁଥିବାବେଳେ ଏହା କାଗଜ କଲମରେ ସିମୀତ ରହି ବାସ୍ତବ ଠାରୁ ବହୁ ଦୁରରେ କାର୍ଯ୍ୟକରୁଛି । ଭାତହାଣ୍ଡିିରୁ ଗୋଟିଏ ଭଳି ଏହାର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି ବୋଲଗଡ ବ୍ଲକ ଅନ୍ତର୍ଗତ ଦଳାଇସାହି ପଞ୍ଚାୟତର ଆମ୍ବଖୋଲ ବନ୍ଧର ସ୍ଥିତି ଉପରେ । ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବଳିଷ୍ଟ ଉଦ୍ୟମରେ ଏହି ବନ୍ଧ କୃଷକମାନଙ୍କ ଉଦେ୍ଦଶ୍ୟରେ ସମର୍ପିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଉଦାସୀନତା ହେତୁ ତାହା ବର୍ତ୍ତମାନ ପୋତିହୋଇ ଏକ ଚାବୁକାର ଭ୍ରମ ସୃଷ୍ଟି କରୁଛି ।
ସୂଚନାରୁ ପ୍ରକାଶ ଯେ,ଦଳାଇସାହି ପଞ୍ଚାୟତ ଠାରେ ଥିବା ଆମ୍ବଖୋଲ ବନ୍ଧ ଉପରେ ଦଳାଇସାହି ପଞ୍ଚାୟତର କୁମୁଟିସାହି, ହାଟସାହି, ଦଳାଇସାହି ରାଜସ୍ୱ ମୈାଜା ଗୁଡିକର ପ୍ରାୟ ୨ହଜାର ଚାଷୀ ଏହି ପୁରୁଣା ବନ୍ଧ ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି । ଚାଷୀମାନେ ପ୍ରତିବର୍ଷ ଜଳସେଚନର ସୁବିଧାପାଇଁ ରାଜସ୍ୱ ବିଭାଗକୁ ଜଳକର(ଖଜଣା)ଦେଉଥିଲେ ମଧ୍ୟ ଚାଷୀମାନଙ୍କର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ । ସମସ୍ତ ରାଜସ୍ୱ ମୈାଜାର ଚାଷୀମାନେ ଜଳସେଚନର ବ୍ୟବସ୍ଥାପାଇଁ ବହୁବାର ଲିଖିତ ଅଭିଯୋଗ ରାଜସୁନାଖଳାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀଯନ୍ତ୍ରୀଙ୍କୁ ଦାବୀପତ୍ର ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହୋଇ ସରକାରୀ ଫାଇଲରେ ହଜିଯାଇଥିବା ମନେହେଉଛି ।
ଆଗାମୀ ଦିନରେ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ଏହି ପୁରୁଣା ଆମ୍ବଖୋଲ ବନ୍ଧର ପୁର୍ନଉଦ୍ଧାର କରାନଗଲେ ଜଳସେଚନ ବିଭାଗକୁ ଚାଷୀମାନଙ୍କ ଦ୍ୱାରା ଘେରାଉ କରାଯିବ ବୋଲି ବିଜେପି କୃଷକମୋର୍ଚ୍ଚା ସଭାପତି ଆର୍ତ୍ତବନ୍ଧୁ ପ୍ରଧାନ, ଗ୍ରାମ୍ୟ କମିଟି ସଭାପତି ଧ୍ରୁବ ଚରଣ ପ୍ରଧାନ,ସମ୍ପାଦକ ପ୍ରଭାକର ମହାପାତ୍ର ଓ ସରପଞ୍ଚ ତାଜର ଅଲ୍ଲୀ ଖାଁ ଚେତାବନି ଦେଇଅଛନ୍ତି । ଏସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଲେ ରାଜ୍ୟସରକାର ଏଥିପାଇଁ ଆର୍ଥିକ ଅନୁଦାନ ଯୋଗାଇଦେଲେ ଏହାର ପୁନଉଦ୍ଧାର କରାଯିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବ ।