୧୫ ଦିନ ଭିତରେ ଜବାବ୍ ଦାଖଲ କରିବେ ରାଜ୍ୟ ସରକାର : ସୁରେଶ ପୂଜାରୀ
ସମ୍ବଲପୁର ହିଂସାକାଣ୍ଡରେ ବିଜେପିର ସଂସଦୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଅଟକାଇବାଓ ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସ୍ୱାଧିକାର ଭଙ୍ଗ ନୋଟିସ
ଏପ୍ରିଲ ୨୫ ଏବଂ ୨୭ରେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ବିଜେପି ସାଂସଦବୃନ୍ଦ
ସମ୍ବଲପୁରଠାରେ ଘଟିଯାଇଥିବା ହିଂସାକାଣ୍ଡ ଏବଂ ରାଷ୍ଟ୍ରବିରୋଧୀ ସ୍ଲୋଗାନ ଅତ୍ୟନ୍ତ ଚିନ୍ତାଜନକ
ଝାରସୁଗୁଡା / ଭୁବନେଶ୍ୱର, ୦୫/୦୫: ଗତ ଏପ୍ରିଲ ୧୨ ଓ ୧୪ ରେ ସମ୍ବଲପୁରଠାରେ ଘଟିଯାଇଥିବା ହିଂସାକାଣ୍ଡ ଏବଂ ରାଷ୍ଟ୍ରବିରୋଧୀ ସ୍ଲୋଗାନ ପ୍ରସଙ୍ଗରେ ସମସ୍ତେ ଅବଗତ ଅଛନ୍ତି । ଏହି ଘଟଣାରେ ଜଣେ ଆଦିବାସୀ ଯୁବକର ହତ୍ୟା ହୋଇଥିଲା, ଯାହାକୁ ଚପେଇ ଦେବା ପାଇଁ ପ୍ରୟାସ କରାଯାଇଥିଲା । ଇଂଟରନେଟ ସେବା ମଧ୍ୟ ସ୍ଥଗିତ ରଖାଯାଇଥିଲା ଏବଂ କର୍ଫୂ୍ୟ ଲାଗୁ କରାଯାଇଥିବା କାରଣରୁ ସାଧାରଣ ଜୀବନଯାପନ ଆହୁରି କଷ୍ଟଦାୟକ ପଡିଥିଲା । ହିଂସାକାଣ୍ଡର ଶିକାର ହୋଇ ଗୁରୁତର ଆହତ ଲୋକମାନେ ବିଭିନ୍ନ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ । ମୃତକ ପରିବାର ଓ ଆହତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଭେଟିବା ସହିତ ଜିଲ୍ଲା ପ୍ରଶାସନ ଏବଂ ଆରଡିସିଙ୍କ ସହ କଥା ହୋଇ ଘଟଣା ସଂପର୍କରେ ଅବଗତ ହେବାକୁ ଏପ୍ରିଲ ୧୮ ତାରିଖ ଦିନ ବିଜେପି ସଂସଦୀୟ ପ୍ରତିନିଧି ଦଳ ସମ୍ବଲପୁର ଗସ୍ତ କରିବେ ବୋଲି ନିଷ୍ପତି ହୋଇଥିଲା । ମାତ୍ର ଏହି ଅନୁମତିକୁ ହଠାତ୍ ବାତିଲ କରିଦିଆଯାଇଥିଲା । ବିନା କୈାଣସି ନିଦେ୍ର୍ଦଶାନାମାରେ ସାଂସଦ ଶ୍ରୀ ସୁରେଶ ପୁଜାରୀଙ୍କୁ ତାଙ୍କ ସମ୍ବଲପୁରସ୍ଥିତ ବାସଭନରେ ୧୮ ତାରିଖ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଗୃହବନ୍ଦୀ କରି ରଖିଥିଲେ ସ୍ଥାନୀୟ ପୋଲିସ ପ୍ରଶାସନ । ସେହିପରି ପ୍ରତିନିଧି ଦଳରେ ସାମିଲ ହୋଇ ଆସୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶର ଟୁଡୁ, ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡାଙ୍କୁ ମଧ୍ୟ ଝାରସୁଗୁଡା–ସମ୍ବଲପୁର ଜିଲ୍ଲାର ସୀମାନ୍ତବର୍ତୀ ଠେଲକୋଇଲି ଥାନାଠାରେ ଅଟକ ରଖାଯାଇଥିଲା । କର୍ଫୁ୍ୟ କୋହଳ ସମୟରେ ସମ୍ବଲପୁରରେ ପ୍ରବେଶ କରାଇ ନଦେବା ଏବଂ ରାତି ୮ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯିବାର କାରଣ ସଂପର୍କରେ ପଚରାଯିବାରୁ ଉପସ୍ଥିତ ପୋଲିସ ପ୍ରଶାସନଙ୍କଠାରୁ କୈାଣସି ଉତର ମିଳିନଥିଲା କି ଜିଲ୍ଲାପାଳ କିମ୍ବା କୈାଣସି ଅଧିକାରୀଙ୍କ ଲିଖିତ ଆଦେଶ ଦେଖିବାକୁ ମିଳିନଥିଲା । କର୍ଫୂ୍ୟ କୋହଳ ସମୟରେ ବିନା କୈାଣସି ଆଦେଶନାମାରେ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଅଟକ ରଖିିବା ସେମାନଙ୍କ ଅଧିକାର ହନନ ଓ ପ୍ରତ୍ୟକ୍ଷରେ ସ୍ୱାଧୀକାର ଭଙ୍ଗ । ସାଂସଦମାନଙ୍କୁ ବିନା କୈାଣସି କାରଣରେ ପୋଲିସ ଦ୍ୱାରା ଅଟକ ରଖାଯାଇ ତାଙ୍କ ବିଶେଷ ଅଧିକାରକୁ ଭଙ୍ଗ କରାଯାଇଥିଲା । ଏହି ପ୍ରସଙ୍ଗରେ ଗତ ୨୫ ତାରିଖ ଦିନ ବ୍ୟକ୍ତିଗତ ଭାବେ ଶ୍ରୀ ସୁରେଶ ପୁଜାରୀ ଏବଂ ୨୭ ତାରିଖ ଦିନ ମିଳିତ ଭାବେ ଶ୍ରୀ ସୁରେଶ ପୁଜାରୀ, ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ସ୍ୱାଧିକାର ଭଙ୍ଗ ହୋଇଥିବା ଦର୍ଶାଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀମତୀ ଅନନ୍ୟା ଦାସ ଏବଂ ଜିଲ୍ଲା ଏସପି ବି.ଗଙ୍ଗାଧର ତଥା ଅନ୍ୟ ଜିଲ୍ଲା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ବୋଲି ନିଜେ ସାଂସଦ ଶ୍ରୀ ସୁରେଶ ପୁଜାରୀ ଆଜି ଝାରସୁଗୁଡାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଅଭିଯୋଗ ପାଇବା ପରେ ଲୋକସଭା ସଚିବାଳୟ ତରଫରୁ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ସଂସଦର ସ୍ୱାଧୀକାର ଓ ନୈତିକତା (ପ୍ରିଭିଲେଜ ଓ ଏଥିକ୍ସ) କମିଟି କେନ୍ଦ୍ର ସରକାରଙ୍କ କାର୍ମିକ, ପେନସନ୍ ଏବଂ ଜନ ଅଭିଯୋଗ ମନ୍ତ୍ରାଳୟ (ଡିଓପିଟି)ର ମନ୍ତ୍ରୀ ଓ ସଚିବଙ୍କୁ ଚିଠି ଦେଇଛନ୍ତି । ବିଜେପିର ସାଂସଦମାନଙ୍କୁ ଗତିରୋଧ କରିବା ଏବଂ ସଂସଦୀୟ କାର୍ଯ୍ୟ କରିବାରେ ବିରୋଧ କରିବାର କାରଣର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସନ୍ତା ୧୫ ଦିନ ଭିତରେ ରାଜ୍ୟ ସରକାରଙ୍କଠାରୁ ସଂଗ୍ରହ କରି ଡିଓପିଟି ମନ୍ତ୍ରାଳୟ ସଂସଦୀୟ ସଚିବାଳୟକୁ ପ୍ରଦାନ କରିବେ ଏବଂ ଏହା ପରେ ସଂସଦୀୟ ସଚିବାଳୟ ଉକ୍ତ ରିପୋର୍ଟ ସହ ଅଭିଯୋଗକୁ ସଂକଳିତ କରି ମାନ୍ୟବର ବାଚସ୍ପତି ମହୋଦୟଙ୍କୁ ପ୍ରଦାନ କରିବେ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ଜୁଏଲ ଓରାମ ଏବଂ ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।