Odisha news

କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇ ହତ୍ୟା ଆକ୍ରମଣ କରିବା ପ୍ରସଙ୍ଗରେ କଟକ ଡିସିପିଙ୍କୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା ପ୍ରତିନିଧୀ ଦଳ : ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରୁ କମିଶନରେଟ ପୋଲିସ :ସ୍ମୃତି ପଟ୍ଟନାୟକ

0

 ପବ୍ଲିକ ଫ୍ରେଣ୍ଡଲି ହେଉ ପୋଲିସ
 କଟକର ଛାତ୍ରୀ ଏବଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେଉ ପୋଲିସ
 ଦୈତ ନଗରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି
 ପୋଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କେସର ତଦନ୍ତ କରୁନାହିଁ
 ପୋଲିସ ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଥିବାର ପ୍ରମାଣ ମିଳିଛି
 ମହିଳାଙ୍କ ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଉ

ଭୁବନେଶ୍ୱର,ତା.୨୫/୦୨: ଫେବୃଆରୀ ୨୫ ତାରିଖରେ କଟକ ସହର ଲାଲବାଗ ଥାନା ଅନ୍ତର୍ଗତ ମାନସିଂହା ପାଟଣା ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଇନଜେକ୍ସନ ଦେଇ ହାତ ଗୋଡ ବାନ୍ଧି ମାଡ ମାରିବା ସହ ନିଆଁ ଲଗାଇ ଜିଅନ୍ତା ଜାଳିଦେବା ଭଳି ଜଘନ୍ୟ କାଣ୍ଡ ଘଟିଛି । କମିଶନରେଟ ପୋଲିସ ପ୍ରତି ଅପରାଧୀଙ୍କ ଭୟ ନଥିବା ଯୋଗୁଁ ଦିନ ଦ୍ୱିପ୍ରହରେ ଅପରାଧୀମାନେ ହତ୍ୟା ଭଳି ସଙ୍ଗୀନ ଅପରାଧ କରିବାକୁ ଆଗେଇ ଆସୁଛନ୍ତି । କଟକ ଭଳି ଏକ ଜନଗହଳି ଅଂଚଳରେ ଏଭଳି ଘଟଣା ଘଟିବା ପରେ କଟକବାସୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ବସ୍ତି ଭିତରେ ୪ ଜଣ ଦୃବୁର୍ତ ଏଭଳି ବର୍ବରକାଣ୍ଡ କରିବାକୁ ସାହସ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଏ ସଂପର୍କରେ କୌଣସି ସୁରାଗ ନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣା ଯେଉଁଠି ଘଟିଲା ସେଠାରୁ ଲାଲବାଗ ଥାନା ମାତ୍ର ୫୦୦ ମିଟର ପରିଧି ଭିତରେ ଥିବା ସତ୍ୱେ ଅପରାଧ କେମିତି ଘଟିଲା ତାହା କମିଶନରେଟ ପୋଲିସ ସ୍ପଷ୍ଟ କରିବା ଦରକାର । ଏ ଘଟଣାକୁ ଗୁରୁତର ସହ ନେଇ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ କଟକର ଛାତ୍ରୀ ଏବଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ ଆଜି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ କଟକ ଡିସିପିଙ୍କୁ ଭେଟି ଦାବି କରିଛନ୍ତି ।
ରାଜ୍ୟ ସମେତ ଦୈତ ନଗରୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛିି । ବିଶେଷ କରି ରାଜଧାନୀ ଏବଂ ପୁରୁଣା ରାଜଧାନୀ କଟକର ବାସିନ୍ଦା ନିଜକୁ ଅସୁରକ୍ଷିତ ମଣୁଛନ୍ତି । ମହିଳା ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା, ମରଣାନ୍ତକ ଆକ୍ରମଣ, ଡକାୟତି, ରାହାଜାନୀ ଏବଂ ସାଇବର ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ପୋଲିସକୁ ବେଖାତିର କରି ଅପରାଧୀମାନ ବିଭିନ୍ନ ଅପରାଧିକ କାର୍ଯ୍ୟ କରି ଖସି ପଲାଉଛନ୍ତି । ପୋଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କେସର ତଦନ୍ତ କରୁନାହିଁ । ଅନେକ ଘଟଣାରେ ପୋଲିସ ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଥିବାର ପ୍ରମାଣ ମିଳିଛି । ପୋଲିସ ପବ୍ଲିକ ଫ୍ରେଣ୍ଡଲି ହୋଇ ପାରୁ ନଥିବାରୁ ସାଧାରଣ ଲୋକ ପୋଲିସ ପାଖରେ ଅଭିଯୋଗ କରିବାକୁ ଭୟ କରୁଛନ୍ତି । ବିଗତ ଦିନରେ ମହିଳା ସଂପର୍କିତ ବିଭିନ୍ନ ଘଟଣାର ତଦନ୍ତ ସଠିକ ଦିଗରେ ହେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ମହିଳା ସୁରକ୍ଷା ଦିଗରେ ପୋଲିସ ସେଭଳି କିଛି ପଦକ୍ଷେପ ଗ୍ରହଣ କରୁନାହିଁ । ବିଗତ ଦିନରେ ଆରମ୍ଭ ହୋଇଥିବା ପିଙ୍କ ଅଟୋ ଏବେ ଆଉ ରାସ୍ତାରେ ଦେଖିବାକୁ ମିଳୁନାହିଁ । ଛାତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ସେଲ୍ଫ ଡିଫେନ୍ସ କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଛି । ମହିଳା ସୁରକ୍ଷା ଦିଗରେ କୌଣସି କଠୋର ଆଇନ ନଥିବା ଯୋଗୁଁ ଅପରାଧୀମାନେ ନିର୍ଭୟରେ ଅପରାଧ ଘଟାଇ ଚାଲିଛନ୍ତି । ମହିଳାଙ୍କ ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇବା ସହ ଛାତ୍ରୀ, କର୍ମଜୀବୀ ମହିଳାଙ୍କୁ ବ୍ୟାପକ ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ପ୍ରବୀଣା ମହାପାତ୍ର, ସଂଯୁକ୍ତା ମିଶ୍ର, ମମତା ନନ୍ଦି, ମନୋରମା ସାମନ୍ତରାୟ, କଳ୍ପନା ବେହେରା, ଜାନକୀ ଦାସ, କଲ୍ୟାଣୀ ମହାଲ୍ଲିକ, ପୁଷ୍ପା ଲେଙ୍କା, ନମିତା ମିଶ୍ର, ରଶ୍ମିଲତା ଦାସ, ସ୍ୱର୍ଣ୍ଣଲତା ସେଠୀ, ସୁମିତ୍ରା ସ୍ୱାଇଁ ଏବଂ ହେମାମଂଜରୀ ଭଞ୍ଜଦେଓ ପ୍ରମୁଖ ସାମିଲ ଥିଲେ ।

Leave A Reply