Odisha news

ନିଆରା ବାହାଘର

0

ବ୍ରହ୍ମପୁର, : ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଞ୍ଜିବନୀ ପରିସରରେ ଅନୁଷ୍ଠିତ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ଅନାଥ ପିଲାଙ୍କ ପରି ରବୀନ୍ଦ୍ର ଓ ପଦ୍ମା ଏହି ଅନୁଷ୍ଠାନରେ ବଢ଼ିଥିଲେ । ଏହାପରେ ଜୀବିକା ଅର୍ଜନ ପାଇଁ ତାଲିମ ନେଇ ହାଇଦ୍ରାବାଦର ଘରୋଇ ସଂସ୍ଥାରେ ଚାକିରି କଲେ । ପରସ୍ପର ପରସ୍ପରକୁ ଜାଣିଥିବାରୁ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ମନ ବଳାଇଲେ । ଏ ନେଇ ଅନୁଷ୍ଠାନର କର୍ମକର୍ତାଙ୍କୁ ଜଣାଇବା ପରେ ଜିଲ୍ଲା ପ୍ରଶାସନ ସେ ଦିଗରେ ତତ୍ପରତା ଦେଖାଇଲା ।

ଆଉ ଆଜି ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତା, ଅନୁଷ୍ଠାନର କର୍ମକର୍ତାଙ୍କ ଉପସ୍ଥିତିରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବେଦିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଜିଲ୍ଲାପାଳ କନ୍ୟାଦାନ କରିବା ସହ ଉଭୟଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସରକାରଙ୍କ ଯୋଜନା ପ୍ରକାରେ ବରକନ୍ୟାଙ୍କୁ ଆର୍ଥିକ ରାଶି ଭେଟି ଦେଇଥିଲେ । ଅନ୍ୟପଟେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ମୁଖ୍ୟ ଲୋକନାଥ ମିଶ୍ର ବର ପିତା ରୂପେ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ କନ୍ୟା ପିତା ରୂପେ ଦାୟିତ୍ୱ ତୁଲାଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଯୋଡ଼ି ହୋଇ ବରକନ୍ୟାଙ୍କୁ ଆଶୀର୍ବାଦ ଦେବା ସହ ଭୁବନେଶ୍ୱର ଆସି ଭେଟିବା ପାଇଁ ନିମନ୍ତ୍ରଣ କରିଥିଲେ । ଏହାକୁ ନେଇ ବରକନ୍ୟା ବେଶ୍ ଖୁସି ଅନୁଭବ କରିଥିବାବେଳେ ଏପରି ବିବାହ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶୀର୍ବାଦ ଦେଇଥିବାରୁ ସେମାନେ ବେଶ୍ ଉତ୍ସାହିତ ବୋଲି କହିଛନ୍ତି ।ଡିସେମ୍ବର ୨୦୦୭ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଭି.କାର୍ତିକେୟନ ପାଣ୍ଡିଆନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ଶ୍ରଦ୍ଧା ସଞ୍ଜିବନୀ ଅନୁଷ୍ଠାନ । ଏଚଆଇଭି ଆକ୍ରାନ୍ତରେ ମୃତ୍ୟୁବରଣ କରୁଥିବା ପିତା ମାତାଙ୍କ ଅନାଥ ଶିଶୁଙ୍କୁ ଏଠି ଲାଳନ ପାଳନ କରିବାର ବ୍ୟବସ୍ଥା କରାଯାଇଛି । ଏଯାବତ ୯୮ ଜଣ ଶିଶୁ ଏହି ଅନୁଷ୍ଠାନରେ ପଞ୍ଜିକୃତ କରିଥିବାବେଳେ ଏବେ ୫୦ ଜଣ ଅଛନ୍ତି । ଅନ୍ୟପଟେ ୧୮ ବର୍ଷ ପରେ ବାହାରେ ରହୁଥିବା ୪୪ ଜଣଙ୍କ ମଧ୍ୟରୁ ଗୋଟେ ଝିଅ ଆମେରିକାରେ ପୋଷ୍ୟ ରୂପେ ରହୁଥିବା ବେଳେ ଅନ୍ୟମାନେ କିଏ କାହାର ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ତେବେ ବହୁ ଜଣ ସରକାରଙ୍କ ଯୋଜନାରେ ତାଲିମ ଗ୍ରହଣ କରି ବିଭିନ୍ନ କର୍ମସଂସ୍ଥାରେ ଚାକିରି କରୁଛନ୍ତି । ଅନୁଷ୍ଠାନରେ ପୂର୍ବରୁ ରହୁଥିବା ପଦ୍ମା ଓ ରବୀନ୍ଦ୍ର ଆସି ବିବାହ କରିଥିବାରୁ ପରିସରରେ ଆନନ୍ଦ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥିଲା ।

ବେଦିକୁ ସୁନ୍ଦର ଭାବେ ସଜା ହେବା ସହ ଭୋଜିଭାତର ମ୍ମ ଆୟୋଜନ ହୋଇଥିଲା । ଏକ ବର୍ଣ୍ଣାଢ୍ୟ ପ୍ରଶାସନିକ ଅଧିକାରୀଙ୍କ ଭିତରୁ କେତେକ ବରଯାତ୍ରୀର ହୋଇଥିବାବେଳେ ଆଉ କେତେକ କନ୍ୟାଯାତ୍ରୀର ହୋଇଥିଲେ । ତେବେ ବିବାହ ପରି ଏକ ସୁନ୍ଦର ଉଦାହରଣ ଏହି ଅନୁଷ୍ଠାନରେ ଆରମ୍ଭ ହୋଇଥିବାରୁ ତାହାର ପ୍ରଭାବ ନିଶ୍ଚିତ ରୂପେ ଅନ୍ୟମାନଙ୍କ ଉପରେ ପଡ଼ିବ ଆଉ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ବହୁ ମାତ୍ରାରେ କମିଯାଇଛି ବୋଲି ଅରୁଣାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ମିଶ୍ର କହିଛନ୍ତି । ଅନ୍ୟପଟେ ଆରମ୍ଭରୁ ଅନୁଷ୍ଠାନ ସହ ଜଡ଼ିତ ରହି ପିଲାଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥିବା ଶିଶୁ ରୋଗ ବିଭାଗର ବରିଷ୍ଠ ଡାକ୍ତର ଅଲେଖ ପ୍ରଧାନ ଏହି ବିବାହ କାର୍ଯ୍ୟକୁ ନେଇ ଭାବବିହ୍ୱଳ ହୋଇଉଠିଛନ୍ତି । ଏହି ବିବାହ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତି ଭାସନ୍‌, ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ ।

Leave A Reply