ଆସନ୍ତା କାଲି ୨ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ଼. ସୁଧାଂଶୁ ତ୍ରିବେଦୀ
ମଧ୍ୟାହ୍ନ ୧୨.୦୫ ଘଟିକାରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ
ଅପରାହ୍ନ ୩ଟାରେ କଟକର କଲେଜ ଛକଠାରୁ ଦୋଳମୁଣ୍ଡାଇ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା “ଗଣତନ୍ତ୍ର ବଂଚାଅ – ଅରାଜକତା ହଟାଅ ଅଭିଯାନ’ ପଦଯାତ୍ରାରେ ସାମିଲ ହେବେ
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ କଟକର ସମସ୍ତ ବିଧାୟକ ଓ ସାଂସଦ ପଦଯାତ୍ରାରେ ଯୋଗଦେବେ
ସନ୍ଧ୍ୟା ୫.୩୦ ଘଟିକାରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁୁ ଥିବା ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗଦେବେ
ଭୁବନେଶ୍ୱର, ତା.୦୧/୧୧: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ଼. ସୁଧାଂଶୁ ତ୍ରିବେଦୀ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିବେ । ଡ଼.ତ୍ରିବେଦୀଙ୍କର ଗଭୀର ଇତିହାସ ଜ୍ଞାନ, ଭାରତୀୟ ସଂସ୍କୃତି ଏବଂ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଉପରେ ସ୍ପଷ୍ଟ ଓ ଓଜସ୍ୱିନୀ ବକ୍ତବ୍ୟ ସମଗ୍ର ଦେଶରେ ଅତ୍ୟନ୍ତ ଆଦୃତ । ଜାତୀୟ ତଥା ଆନ୍ତର୍ଜାତୀୟ ଗଣମାଧ୍ୟମରେ ଦଳୀୟ ପକ୍ଷ ରଖିବାରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ କହିଛନ୍ତି ।
ଶ୍ରୀ ରାୟ କହିଛନ୍ତି ଯେ, ଏହି ଗସ୍ତ ଅବସରରେ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି । ମଧ୍ୟାହ୍ନ ୧୨.୦୫ ଘଟିକାରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଉପସ୍ଥିତ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ । ଏହାପରେ ଡ଼.ତ୍ରିବେଦୀ କଟକ ଗସ୍ତ କରି ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବାକୁ ଥିବା କଲେଜ ଛକଠାରୁ ଦୋଳମୁଣ୍ଡାଇ ଛକ ପର୍ଯ୍ୟନ୍ତ “ଗଣତନ୍ତ୍ର ବଂଚାଅ – ଅରାଜକତା ହଟାଅ ଅଭିଯାନ’ ପଦଯାତ୍ରାରେ ସାମିଲ ହେବେ । କଲେଜ ଛକଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଏହି ପଦଯାତ୍ରା ଆରମ୍ଭ ହେବ । ଏଥିରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲଙ୍କ ସମେତ କଟକର ସମସ୍ତ ବିଧାୟକ ଓ ସାଂସଦ ସାମିଲ ହେବେ । ସେମାନଙ୍କ ସହ ଦଳର ସ୍ଥାନୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏହି ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୫.୩୦ ଘଟିକାରେ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମ୍ଠାରେ ରାଷ୍ଟ୍ରଚିନ୍ତନ ଓ ଦେଶର ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗ ଉପରେ ଅନୁଷ୍ଠିତ ହେବାକୁ ଥିବା ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ରାୟ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମିଶ୍ର, ବରିଷ୍ଠ ନେତା ଶ୍ରୀ ସୁଦର୍ଶନ ନାୟକ ଓ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
