ରାଜନୀତିରେ ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦା ସୀମା ଭିତରେ ରହିବା ଜରୁରୀ: ମନମୋହନ ସାମଲ
କଂଗ୍ରେସ ଅଧ୍ୟକ୍ଷଙ୍କ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି
ଜଣେ ଦାୟିତ୍ୱସମ୍ପନ୍ନ ରାଜନୈତିକ ନେତାଙ୍କଠାରୁ ରାଷ୍ଟ୍ରୀୟ ସ୍ୱାଭିମାନ ଓ ଦାୟିତ୍ୱପୂର୍ଣ୍ଣ ବକ୍ତବ୍ୟ ଆଶା କରାଯାଏ
ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ
ଦୀର୍ଘ ବର୍ଷ ଧରି ଦେଶର ବିରୋଧୀ ଦଳ ଭାବେ ରହିଥିବାରୁ, କଂଗ୍ରେସର ନିରାଶା ଓ ହତାଶା ଦେଖିବାକୁ ମିଳୁଛି, ଯାହାର ପ୍ରଭାବ ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଛି
ଭୁବନେଶ୍ୱର,ତା.୨୬/୧୦: ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବେଶିତ । ଗଣତନ୍ତ୍ରରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ମତଭେଦ ଆଳରେ ନିଜର ମର୍ଯ୍ୟାଦା ଓ ରାଜନୈତିକ ଆଦର୍ଶକୁ ଉଲ୍ଲଂଘନ କରିବା ଉଚିତ ନୁହେଁ । ଅତୀତରେ ବିଜେପି ଦୀର୍ଘ ବର୍ଷ ଧରି ବିରୋଧୀ ଦଳ ଭୂମିକାରେ ଥିବାରୁ ବିରୋଧୀ ଦଳ ଦାୟିତ୍ୱ କ’ଣ ବୁଝିଛି । ବିରୋଧୀ ଦଳ ଭାବେ କଂଗ୍ରେସ ନିଜର ଦାୟିତ୍ୱ ଓ ଭୂମିକାକୁ ବୁଝିବା ଆବଶ୍ୟକ । ଦୀର୍ଘ ବର୍ଷ ଧରି ଦେଶର ଶାସନ କରିଥିବା କଂଗ୍ରେସ କ୍ଷମତାରେ ନଥିବା ଯୋଗୁ ହତାଶ ଓ ନିରାଶ ହୋଇଯାଇଛି, ଯାହାର ପ୍ରଭାବ ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଛି ବୋଲି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଅରୁଣ ଜେଟଲୀ ପ୍ରମୋଦ ମହାଜନ ଓ ସୁଷମା ସ୍ୱରାଜଙ୍କ ଭଳି ବିଜେପି ନେତାମାନଙ୍କ ରାଜନୈତିକ ଯାତ୍ରା ଜନଜୀବନରେ କାର୍ଯ୍ୟରତ ସମସ୍ତ ନେତୃବୃନ୍ଦଙ୍କ ପାଇଁ ଅନୁକରଣୀୟ । ସେମାନେ କେବେ ବି ଭାଷା ଏବଂ ମର୍ଯ୍ୟାଦା ବାହାରକୁ ଯାଇକି ରାଜନୀତି କରିନାହାନ୍ତି । ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦାର ସୀମା ଭିତରେ ରହିବା ଜରୁରୀ । ଜଣେ ଦାୟିତ୍ୱସମ୍ପନ୍ନ ରାଜନୈତିକ ନେତାଙ୍କଠାରୁ ରାଷ୍ଟ୍ରୀୟ ସ୍ୱାଭିମାନ ଓ ଦାୟିତ୍ୱପୂର୍ଣ୍ଣ ବକ୍ତବ୍ୟ ଆଶା କରାଯାଏ । ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ଏଭଳି ବକ୍ତବ୍ୟକୁ ଯେତେ ନିନ୍ଦା କଲେ ତାହା କମ୍ ହେବ । ଜନସାଧାରଣ ହିଁ ଏଭଳି ହୀନ ଓ ସଂସ୍କାରବିହୀନ ରାଜନୈତିକ ଆଚରଣର ଉଚିତ ଜବାବ ଦେବେ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।
