Odisha news

ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ହୀନ ଉଦ୍ୟମ କରୁଛି ବିରୋଧୀ : ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ

0

 ଅସ୍ତିତ୍ୱ ହରାଇ ବିଜେଡି ଏବେ ‘ନିର୍ମୂଳୀ ଲତା’ସଦୃଶ
 ଇଣ୍ଡି ମେଂଟ ଓ କଂଗ୍ରେସର ନୈତିକତାର ବଡ଼ ବଡ଼ କଥା କେବଳ ରାଜନୈତିକ ଡ୍ରାମାବାଜି
 ବିଜେଡି ଓ ‘ଇଣ୍ଡି’ ମେଂଟର ମଧୁଚନ୍ଦ୍ରିକା ବହୁ ପୁରୁଣା
 ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଏବେ ବିଭିନ୍ନ ସାହାରା ଖୋଜୁଛି ବିଜୁ ଜନତା ଦଳ
 ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନିଜ କଳା ଇତିହାସକୁ ମନେ ପକାଉ
 ଲୋକସଭା ଓ ରାଜ୍ୟସଭାରେ ନିଜର ପ୍ରାସଙ୍ଗିକତା ହରାଇବା ପରେ ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେବା ହେଉଛି କେବଳ “ଚୋର ମୁହଁ ଟାଣ’ ସଦୃଶ
 କୌଣସି ପ୍ରମାଣ ନ ଥାଇ କେବଳ ଗଣମାଧ୍ୟମରେ ବୟାନ ବାଜି କରିବା ବିରୋଧୀଙ୍କ ହତାଶାର ପ୍ରତୀକ
ଭୂବନେଶ୍ୱର, ତା.୦୬/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶରେ ୧୨ ବର୍ଷର ସୁଶାସନ ଏବଂ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରଙ୍କ ଅଢ଼େଇ ବର୍ଷର ଲୋକାଭିମୁଖୀ ଶାସନ ଯୋଗୁଁ ଆଜି ବିରୋଧୀ ଦଳ ସମ୍ପୂର୍ଣ୍ଣ ମୁଦ୍ଦାହୀନ ହୋଇପଡ଼ିଛନ୍ତି । ଜନସାଧାରଣ ବିଜେପି ଉପରେ ଅତୁଟ ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଥିବା ବେଳେ ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି କେବଳ ନାଟକବାଜି କରୁଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତି୍ରପାଠୀ ଏକ ପ୍ରେସ ବିବୃତିରେ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜୁ ଜନତା ଦଳ (ବିଜେଡି)ର କଥା ଓ କାର୍ଯ୍ୟରେ ସର୍ବଦା ଆକାଶ-ପାତାଳ ଫରକ ରହିଛି । ବିଜେଡି ଏବଂ ‘ଇଣ୍ଡି’ ମେଂଟର ସମ୍ପର୍କ କିଛି ନୂଆ ନୁହେଁ, ଏମାନଙ୍କ ଭିତରେ ବହୁ ପୂର୍ବରୁ ଗୁପ୍ତ ମଧୁଚନ୍ଦ୍ରିକା ଚାଲିଆସୁଥିଲା । ଏପରିକି ‘ଇଣ୍ଡି’ ମେଂଟ ବୈଠକରେ ମଧ୍ୟ ବିଜେଡିର ସଂସଦୀୟ ଦଳ ନେତା ଯୋଗ ଦେଇଥିବାର ପ୍ରମାଣ ରହିଛି । ଆଜି ବିଜେଡି ରାଜନୀତିରେ ଏକ “ନିର୍ମୂଳୀ ଲତା’ରେ ପରିଣତ ହୋଇସାରିଛି । ନିଜର ଅସ୍ତିତ୍ୱ ବଚାଂଇବା ପାଇଁ ଏବଂ ରାଜନୈତିକ ସାହାରା ପାଇବାକୁ ଯାଇ କେତେବେଳେ ‘ସିଜେପି’ ତ କେତେବେଳେ ‘ଇଣ୍ଡି’ ମେଂଟ ପଛରେ ଗୋଡ଼ାଉଛି । ଲୋକସଭା ଓ ରାଜ୍ୟସଭାରେ ନିଜର ପ୍ରାସଙ୍ଗିକତା ହରାଇବା ପରେ ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେବା ହେଉଛି କେବଳ “ଚୋର ମୁହଁ ଟାଣ’ ସଦୃଶ ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ଓ ଇସ୍ତଫା ଦାବି କରୁଥିବା କଂଗ୍ରେସର ଦୋମୁହାଁ ନୀତି ଉପରେ ଶ୍ରୀ ତ୍ରିପାଠୀ କହିଛି ଯେ, ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନିଜ କଳା ଇତିହାସକୁ ମନେ ପକାଉ । ଦେଶରେ ଆଜି ପର୍ଯ୍ୟନ୍ତ ୧୦ ଥର ଏସ୍ଆଇଆର୍ ହୋଇଥିବା ବେଳେ ସେଥିମଧ୍ୟରୁ ୯ ଥର କେବଳ କଂଗ୍ରେସ ଶାସନ କାଳରେ ହୋଇଛି । ଯେଉଁ କଂଗ୍ରେସ ନିରପେକ୍ଷତା ଓ ନୈତିକତାର ବଡ଼ ବଡ଼ ଭାଷଣ ଦେଉଛି, ସେହି କଂଗ୍ରେସ ହିଁ ନିର୍ବାଚନ କମିଶନରଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲା ଏବଂ ନିର୍ବାଚନ କମିଶନରଙ୍କୁ ନେଇ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧରେ ପ୍ରାର୍ଥୀ କରାଇଥିଲା । ତେଣୁ କଂଗ୍ରେସ ମୁହଁରେ ନୈତିକତାର କଥା ଆଦୌ ଶୋଭା ପାଉନାହିଁ ।
ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ରେ ଶୁଣାଣି ଚାଲିଛି । ମାନ୍ୟବର ମୁଖ୍ୟ ବିଚାରପତି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, ଏଥିରେ ସୁପ୍ରିମକୋର୍ଟ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ । ପୂର୍ବରୁ ପଶ୍ଚିମବଙ୍ଗରେ ମଧ୍ୟ ସୁପ୍ରିମକୋର୍ଟଙ୍କତ୍ତତତ୍ୱାବଧାନରେ ଏସ୍ଆଇଆର୍ ହୋଇଥିଲା, କିନ୍ତୁ ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ କୌଣସି ପ୍ରକାର ତ୍ରୁଟି ସାମ୍ନାକୁ ଆସିନଥିଲା । ଯଦି ବିରୋଧୀଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଅଛି କିମ୍ବା ଉଦେ୍ଦଶ୍ୟମୂଳକ ଭାବେ କାହାର ନାମ କଟାଯାଇଛି, ତେବେ ତାହାକୁ ସାର୍ବଜନୀନ କରି ଗଣତାନ୍ତ୍ରିକ ତଥା ଆଇନଗତ ପ୍ରକ୍ରିୟାର ସାମ୍ନା କରନ୍ତୁ । କୌଣସି ପ୍ରମାଣ ନ ଥାଇ କେବଳ ଗଣମାଧ୍ୟମରେ ବୟାନ ବାଜି କରିବା ବିରୋଧୀଙ୍କ ହତାଶାର ପ୍ରତୀକ ।
ଭାରତୀୟ ଜନତା ପାର୍ଟି ସର୍ବଦା ସମ୍ବିଧାନ, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ନିରପେକ୍ଷ ଆଇନ ଶାସନରେ ବିଶ୍ୱାସ କରେ । ଦେଶ ତଥା ଓଡ଼ିଶାର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ବିଜେପି ସରକାରଙ୍କ ସହିତ ଅଛନ୍ତି ଏବଂ ବିଜେପି ନିଷ୍ଠାର ସହିତ ଜନସେବାରେ ନିଜକୁ ନିୟୋଜିତ ରଖିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

 

Nalco
Leave A Reply