Odisha news

ଓଡ଼ିଶାର ପ୍ରଗତିକୁ ସହି ନ ପାରି ନିନ୍ଦୁକ ସାଜିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ

0

 ଓଡିଶାବାସିଙ୍କୁ ବିଭ୍ରାନ୍ତ କରିବା ହେଉଛି ବିଜେଡିର ଚରିତ୍ର
 ସଂକଳ୍ପପତ୍ର ହେଉଛି ଆମ ପାଇଁ ଗୀତା ସଦୃଶ
 ମାତ୍ର ୧୯ ମାସ ଭିତରେ ଆମେ ଦେଇଥିବା ଅର୍ଦ୍ଧାଧିକ ପ୍ରତିଶୃତି ପାଳନ କରିସାରିଛୁ ଏବଂ ବାକି ଥିବା ପ୍ରତିଶୃତିଗୁଡିକୁ ମଧ୍ୟ ଯଥା ସମୟ ଭିତରେ ପୂରଣ କରିବୁ
 ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଯେଉଁ ମାନଦଣ୍ଡ ଆବଶ୍ୟକ ଓଡ଼ିଶା ତାହାକୁ ପୂରା କରୁନାହିଁ ବୋଲି ୨୦୧୮ ମସିହାରେ ବିଜେଡି ସରକାର ସ୍ପଷ୍ଟ କରିସାରିଛି
 ବଜେଟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କିଛି କହିବା ପୂର୍ବରୁ ବିଜେଡି ନେତାମାନେ ଭଲ ଭାବେ ଅଧ୍ୟୟନ କରିବା ଉଚିତ
 ଚଳିତ ବଜେଟରେ ଓଡ଼ିଶା ଭଳି ବିକାଶଶୀଳ ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ
ଭୁବନେଶ୍ୱର, ତା.୧୪/୦୨: ସଂକଳ୍ପପତ୍ର ହେଉଛି ଆମ ପାଇଁ ଗୀତା ସଦୃଶ । ଗତ ୨୦୨୪ ମସିହା ସାଧାରଣ ନିର୍ବାଚନ ସମୟରେ ଆମେ ଜାରି କରିଥିବା ସଂକଳ୍ପପତ୍ରର ସମସ୍ତ ପ୍ରତିଶୃତି ପାଳନ କରିବାକୁ ପ୍ରତିଶୃତିବଦ୍ଧ । ମାତ୍ର ୧୯ ମାସ ଭିତରେ ଆମେ ଦେଇଥିବା ଅର୍ଦ୍ଧାଧିକ ପ୍ରତିଶୃତି ପାଳନ କରିସାରିଛୁ ଏବଂ ବାକି ଥିବା ପ୍ରତିଶୃତିଗୁଡିକୁ ମଧ୍ୟ ଯଥା ସମୟ ଭିତରେ ପୂରଣ କରିବୁ । ଓଡ଼ିଶାବାସୀ ସେହି ସଂକଳ୍ପପତ୍ରକୁ ଗ୍ରହଣ କରିବା ପରେ ଦଳ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ସେବା କରିବାର ସୁଯୋଗ ପାଇଛି । ଓଡିଶାକୁ ୨୦୩୬ ସୁଦ୍ଧା ସମୃଦ୍ଧ ରାଜ୍ୟ ଗଢି ତୋଳିବା ପାଇଁ ବିକାଶମୂଳକ କାର୍ଯ୍ୟ ଦୃତ ଗତିରେ ଆରମ୍ଭ ହୋଇସାରିଛି । ଅନ୍ୟ ପଟେ ଓଡ଼ିଶାର ପ୍ରଗତିକୁ ସହି ନପାରି ବିଜେଡି ଏବେ ନିନ୍ଦୁକ ସାଜିଛି । ବିଜେଡି ଦୀର୍ଘ ୨୪ ବର୍ଷ ଧରି କ୍ଷମତାସୀନ ଥିଲେ ମଧ୍ୟ ଓଡ଼ିଶାର ବିକାଶ ପ୍ରତି ଆନ୍ତରିକତା ନଥିଲା ଏବଂ ସେମାନେ ଦେଇଥିବା ପ୍ରତିଶୃତିକୁ ପୂରଣ କରିବା ପରିବର୍ତେ ବର୍ଷ ବର୍ଷ ଧରି ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଥିଲେ, ଯାହା ବର୍ତମାନ ସେମାନେ ଭୁଲି ଯାଇଛନ୍ତି ସତ କିନ୍ତୁ ଓଡ଼ିଶାବାସୀ ଭୁଲିନାହାନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ବିଜେଡିର ଅଭିଯୋଗକୁ ନେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଶାବାସିଙ୍କୁ ବିଭ୍ରାନ୍ତ କରିବା ହେଉଛି ବିଜେଡିର ଚରିତ୍ର । ବକ୍ତବ୍ୟ ଦେବା ପୂର୍ବରୁ ବିଜେଡି ନେତାମାନେ ତାଙ୍କ ଅତୀତକୁ ଭୁଲିଯାଉଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ଗତ ୨୦୧୮ ମସିହା ଏପ୍ରିଲ ୧୨ ତାରିଖରେ ଓଡ଼ିଶା ବିଧାନସଭାରେ ତକ୍ରାଳୀନ କଂଗ୍ରେସ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକାଙ୍କ ପ୍ରଶ୍ନର ଉତରକୁ ବିଜେଡି ସାଂସଦ କେମିତି ଭୁଲିଯାଉଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଯେଉଁ ମାନଦଣ୍ଡ ଆବଶ୍ୟକ ଓଡ଼ିଶା ତାହାକୁ ପୂରା କରୁନାହିଁ ବୋଲି ସେତେବେଳେ ତକ୍ରାଳୀନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ତକ୍ରାଳୀନ ଯୋଜନା ଏବଂ ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଉତର ରଖିଥିଲେ । ଏହାକୁ ଯଦି ବିଜେଡି ସାଂସଦ ଜାଣିପାରୁନାହାନ୍ତି ତାହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ ।
ସେହିପରି ଓଡିଶାକୁ କେନ୍ଦ୍ରୀୟ ବଜେଟରେ ଅବହେଳା କଥା କହି ଚିରାଚରିତ ଭାବେ ପୁଣି ଥରେ ବିଭ୍ରାନ୍ତ କରିବାକୁ ପ୍ରୟାସ କରିଯାଇଛି । ବଜେଟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କିଛି କହିବା ପୂର୍ବରୁ ଅଧ୍ୟୟନ କରିବା ଉଚିତ । ଚଳିତ ବଜେଟରେ ଓଡିଶା ଭଳି ବିକାଶଶୀଳ ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ । ଜାତୀୟ ଜଳପଥ-୫ କରିବା ପାଇଁ ମାତ୍ର କେତୋଟି ପ୍ରଦେଶକୁ ଅନୁମତି ମିଳିଥିବାବେଳେ, ତା’ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ଏହାଦ୍ୱାରା ରାଜ୍ୟ ଶିଳ୍ପ ଓ ଖଣିଜ ଅଂଚଳ ସମୃଦ୍ଧ ହେବ । ପଶ୍ଚିମବଙ୍ଗର ଡାଙ୍କୁଣୀଠାରୁ ଗୁଜୁରାଟର ସୁରଟ ପର୍ଯ୍ୟନ୍ତ ପ୍ରସ୍ତାବିତ ହାଇସ୍ପିଡ୍ ରେଳ କରିଡର ଓଡ଼ିଶା ମଧ୍ୟ ଦେଇଯାଉଛି । ୨୦୧୪ ବିଜେପି ସରକାର ଆସିବା ପୂର୍ବରୁ ରେଳ ବଜେଟରେ ଯେତିକି ଟଙ୍କା ମିଳୁଥିଲା ଚଳିତ ବଜେଟ୍ରେ ତା’ଠାରୁ ୧୩ ଗୁଣା ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି । ଚଳିତ ବଜେଟରେ ପାଖାପାଖି ୧୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବର୍ତମାନ ରାଜ୍ୟରେ ୯୦ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କାର ରେଳପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି । ଡେଡିକାଟେଡ ରେୟାର ଆର୍ଥ କରିଡର (ବିରଳ ମୃର୍ତିକା ଉପାଦାନ) – ହାଇଟେକ ହବ୍ ଭାବେ ଘୋଷଣା କରିବା ଓଡିଶା ପାଇଁ ଏକ ବଡ ସଫଳତା । ଭବିଷ୍ୟତରେ ଏହା ଶିଳ୍ପରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ନୂତନ ବଜେଟ୍ ଦ୍ୱାରା ଓଡ଼ିଶାରେ ନଡ଼ିଆ ଓ କାଜୁ ଭଳି ଚାଷରେ ଉନ୍ନତି ହେବ । ପ୍ରତିରକ୍ଷା ବିଭାଗ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଏକ ଯୁଦ୍ଧ ଜାହାଜ ନିର୍ମାଣ କାରଖାନା ହେବ । ଏହାଦ୍ୱାରା ଓଡ଼ିଶାକୁ ଅଧିକ ନିବେଶ ଆସିବ । ମାତ୍ର ବିଜେଡି ଏହାକୁ ଗ୍ରହଣ କରିପାରୁନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଅନ୍ୟ ପଟେ ବିଜେଡି ଉପରୁ ତାଙ୍କ କାର୍ଯ୍ୟକର୍ତା ଓ ନେତାମାନେ ଆସ୍ଥା ହରାଇ ପ୍ରତିଦିନ ଦଳ ପରିତ୍ୟାଗ କରୁଛନ୍ତି । ତାଙ୍କ ଦଳର ଅନେକ ନେତା ଗୃହଯୁଦ୍ଧରେ ଲିପ୍ତ ରହୁଛନ୍ତି । ଏଥିଯୋଗୁ ବିଜେଡି ନେତାମାନେ ବୋଧହୁଏ ବଜେଟ୍ କିମ୍ବା ଅନ୍ୟାନ୍ୟ ପ୍ରସଙ୍ଗରେ ଅଧ୍ୟୟନ କରିବାକୁ ଭୁଲିଯାଇ ଏଭଳି ଭିତିହୀନ ପ୍ରଳାପ କରୁଛନ୍ତି । ଓଡ଼ିଶାବାସୀ ପୂର୍ବରୁ ବିଜେଡିକୁ ପ୍ରତ୍ୟାକ୍ଷାନ କରିସାରିଥିବାବେଳେ ଏଭଳି ଭିତିହୀନ ମନ୍ତବ୍ୟ କାରଣରୁ ଆଗାମୀ ଦିନରେ ସାଢ଼େ ୪ କୋଟି ଓଡ଼ିଶାବାସୀ ସେମାନଙ୍କୁ ସମ୍ପୂର୍ଣ୍ଣ ଦୂରେଇ ଦେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Leave A Reply