Odisha news

ବିଜେପି ସରକାରରେ ନୂଆପଡା ହେବ ବିକଶିତ ଜିଲ୍ଲା : ଲମ୍ବୋଧର ନିହାଲ

0

 ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓଡ଼ିଶାର ପୂରପଲ୍ଲୀରେ ପହଂଚିଛି: ଲକ୍ଷ୍ମଣ ବାଗ୍‌
 ବିଦ୍ୟାଳୟଗୁଡ଼ିକରେ ଭଲ ଶିକ୍ଷାଦାନ ଦେବା ନିମନ୍ତେ ୧୮ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ
 ଉଚ୍ଚ ଶିକ୍ଷାରେ ଓବିସି ସମାଜ ପାଇଁ ୧୧.୨୫% ସଂରକ୍ଷଣ ଲାଗୁ କରିଛନ୍ତି
 ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଗରିବ ଶ୍ରେଣୀର ପିଲାମାନେ ଶିକ୍ଷାଲାଭ କରିପାରୁଛନ୍ତି
 ନୂଆପଡ଼ାର ବିକାଶ ପାଇଁ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି
 ଯାଦବମାନଙ୍କ ପାଇଁ ୨ ଏକର ଜାଗାରେ ଏକ ବଡ଼ ଭବନ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି
 ଖରିଆର୍ ରୋଡ୍‌କୁ ମ୍ୟୁନିସିପାଲ୍‌ଟି ଏବଂ କୋମନା, ସିନାପଲ୍ଲୀ ଏନ୍‌ଏସି କରିବା ପାଇଁ ଘୋଷଣା କରିଛନ୍ତି
 ପୂର୍ବ ସରକାର ସମୟରେ ମା’ଙ୍କୁ ସମ୍ମାନ ଗାଁକୁ କାମ କେବଳ କଥାରେ କୁହାଯାଉଥିଲା
 ବିଜେଡି ଆଜି ପର୍ଯ୍ୟନ୍ତ ଲୋକଙ୍କୁ ଠକିଥିବାବେଳେ ବିଜେପି ସରକାର ବିକାଶ କରିଛି

ନୂଆପଡା / ଭୁବନେଶ୍ୱର, ତା.୩୧/୧୦: ସ୍ୱର୍ଗତ ରାଜୁଭାଇ ଢୋଲକିଆଙ୍କ ଅକାଳ ବିୟୋଗ ପରେ ଏବେ ନୂଆପଡ଼ା ବିଧାନସଭାରେ ଉପନିର୍ବାଚନ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦଳର ନେତୃତ୍ୱମାନେ ନୂଆପଡ଼ା ବିଷୟରେ କିଛି ନ ଜାଣି ସବୁ ସମୟରେ ମିଥ୍ୟା ଅପପ୍ରଚାର କରୁଛନ୍ତି। ପୂର୍ବ ସରକାର ସମୟରେ ‘ମା’ଙ୍କୁ ସମ୍ମାନ ଗାଁକୁ କାମ’ କେବଳ କଥାରେ ସୀମିତ ଥିଲା। ମାତ୍ର ଗତ ୧୫ ମାସ ମଧ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓଡ଼ିଶାର ପୂରପଲ୍ଲୀରେ ପହଂଚିଛି ବୋଲି ନୂଆପଡ଼ାଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ୍ କହିଛନ୍ତିି।

ଶ୍ରୀ ବାଗ୍ କହିଛନ୍ତି ଯେ, ବିଜେପି ରାଜ୍ୟରେ ଏକାକୀ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋହନ ଚରଣ ମାଝୀ ନେତୃତ୍ୱ ନେଇ ସର୍ବପ୍ରଥମେ ମହିଳାମାନଙ୍କୁ ଗୁରୁ୍‌ତ୍ୱ ଦେଲେ। ମା’ଓ ଭଉଣୀମାନଙ୍କୁ ସୁଭଦ୍ରା ଯୋଜନାରେ ବର୍ଷକୁ ଦୁଇଥର ଆର୍ଥିକ ସହାୟତା ଦେଲେ। ମାତ୍ର ବିରୋଧୀ ଏହାକୁ ସହି ନ ପାରି ସବୁବେଳେ ମିଥ୍ୟା ଆରୋପ ଲଗାଉଛନ୍ତି। ମାତ୍ର ଥରେ ସେଇ ମା’ଙ୍କୁ ଯାଇ ପଚାର, ଯିଏ କୁନି ପିଲାକୁ କାଖରେ ଧରି ଅନ୍ୟ ଘରେ କାମ କରୁଛି, କ୍ଷେତକୁ ଯାଇ କାମ କରୁଛି, ଠିକାଦାର ପାଖରେ ୫୦ ଡିଗ୍ରୀ ଖରାରେ କାମ କରିବାକୁ ବାଧ୍ୟ ହେଉଛି, ନିଜ ଭିଟାମାଟିକୁ ଛାଡ଼ି ପିଲାଛୁଆଙ୍କୁ ଶିକ୍ଷାରୁ ବଂଚିତ କରି ଦାଦନ ଖଟିବାକୁ ଯାଉଛି। ସେ ମା’ ହିଁ କହିପାରିବ ବର୍ଷକରେ ୧୦ ହଜାର ଟଙ୍କାର ମୂଲ୍ୟ କେତେ ? ଏହି ଟଙ୍କାରେ ଜଣେ ମା’ ନିଜ ପିଲାକୁ ବିଦ୍ୟାଳୟରେ ନାଁ ଲେଖାଇ ଶିକ୍ଷିତ କରିପାରିବ, ଛୋଟ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିପାରିବ। ଏହାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ସହ୍ୟ କରିପାରୁନାହାନ୍ତି । ବିଗତ ବିଜେଡି ସରକାର ସମୟରେ ରାଜ୍ୟରେ ପ୍ରାୟ ସାଢ଼େ ୬ ହଜାର ସ୍କୁଲ ବନ୍ଦ କରିଦିଆଯାଇଥିଲା। ମୋହନ ମାଝୀଙ୍କ ସରକାର ଆସିବା ପରେ ବିଦ୍ୟାଳୟଗୁଡ଼ିକରେ ଭଲ ଶିକ୍ଷାଦାନ ଦେବା ନିମନ୍ତେ ୧୮ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଉଚ୍ଚ ଶିକ୍ଷାରେ ଓବିସି ସମାଜ ପାଇଁ ୧୧.୨୫% ସଂରକ୍ଷଣ ଲାଗୁ କରିବା ଦ୍ୱାରା ଏହି ସମାଜର ଅନେକ ଛାତ୍ରୀଛାତ୍ର ଲାଭବାନ ହୋଇପାରିଛନ୍ତି। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ମୁଖ୍ୟମନ୍ତ୍ରୀ ଯେଉଁ ଅନୁଦାନ ଦେଇଛନ୍ତି, ସେଥିରେ ଗରିବ ଶ୍ରେଣୀର ପିଲାମାନେ ଶିକ୍ଷାଲାଭ କରିପାରୁଛନ୍ତି। ନୂଆପଡ଼ାରେ ଜିଲ୍ଲାରେ ବିଗତ ସରକାର ସମୟରେ ସବୁବେଳେ ଚାଷୀମାନଙ୍କ ପ୍ରତି ଅନ୍ୟାୟ କରାଯାଉଥିଲା। ମାତ୍ର ବିଜେପି ସରକାର ଆସିବା ପରେ ଧାନ କୁଇଂଟାଲର ସହାୟକ ମୂଲ୍ୟ ବୃଦ୍ଧି କରାଯାଇ ୩୧୦୦ ଟଙ୍କା କରାଗଲା। ଏବେ ନୂଆପଡା ଜିଲ୍ଲାରେ ଏକ ବଡ଼ ଶୀତଳଭଣ୍ଡାର କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି । ‘ବିକଶିତ ନୂଆପଡ଼ା’ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେବା ସହ ଜିଲ୍ଲାର ସାମଗ୍ରିକ ବିକାଶ ଦାୟିତ୍ୱ ନିଜେ ନେଇଛନ୍ତି। ଏହି ଜିଲ୍ଲାକୁ ବିକଶିତ କରିବା ପାଇଁ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ସେଥିରୁ ଚାଷ ଓ ଜଳସେଚନ ପାଇଁ କେବଳ ୬୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଘୋଷଣା କରିଛନ୍ତି।
ବିଗତ ସରକାର ସମୟରେ ଯାଦବ ସମ୍ପଦାୟ ପ୍ରତି ସବୁବେଳେ ଅନ୍ୟାୟ ହେଉଥିଲା। ସେମାନଙ୍କୁ ସବୁବେଳେ ଠକି ଦିଆଯାଉଥିଲା। ମାତ୍ର ମୋହନ ମାଝୀଙ୍କ ସରକାର ଆସିବା ପରେ ଯାଦବ ସମ୍ପଦାୟର ଦୁଃଖ ଦୂର ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମାଝୀ ଯାଦବମାନଙ୍କ ପାଇଁ ୨ ଏକର ଜାଗାରେ ଏକ ବଡ଼ ଭବନ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି। ନୂଆପଡ଼ାକୁ ବରଗଡ଼ ଜିଲ୍ଲା ସହ ରେଳ ଜରିଆରେ ସଂଯୋଗ କରିବା ପାଇଁ ମୋହନ ମାଝୀ କେନ୍ଦ୍ର ସରକାରଙ୍କୁ ଜମି ଯୋଗେଇ ଦେଇଛନ୍ତି। ଦୀର୍ଘଦିନରୁ ଦାବି ହୋଇ ଆସୁଥିବା ଖରିଆର୍ ରୋଡ୍‌କୁ ମ୍ୟୁନିସିପାଲ୍‌ଟି ଏବଂ କୋମନା, ସିନାପଲ୍ଲୀ ଏନ୍‌ଏସି କରିବା ପାଇଁ ଘୋଷଣା କରିଛନ୍ତି। ନୁଆପଡ଼ାକୁ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନିଶ୍ଚୟ ପୂରଣ ହେବ ବୋଲି ଶ୍ରୀ ବାଗ୍ କହିଛନ୍ତି।
ଉତ୍କଳ ଯାଦବ ମହାସଭାର ଉପସଭାପତି ତଥା କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଲ କହିଛନ୍ତି, ବିଜେଡି କେବଳ ଲୋକଙ୍କୁ ଠକିବା ଶିଖିଛିି, ମାତ୍ର ବିଜେପି ସରକାର ବିକାଶ କରୁଛି। ବିଜେପି ସରକାର ସମୟରେ ସବୁ ଗାଁକୁ ପକ୍କା ରାସ୍ତା କରିବାକୁ ଯୋଜନା କରାଯାଇଥିଲା ବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପକ୍କା ସଡ଼କ ଯୋଜନାକୁ ଦ୍ୱିଗୁଣିତ କରିଛନ୍ତି। ସବୁ ଗାଁରେ ୨୪ ଘଂଟା ବିଦ୍ୟୁତ୍ ସୁବିଧା ପହଁଚାଇବା ସହ ପିଇବା ପାଣି ବ୍ୟବସ୍ଥା, ଗରିବ କଲ୍ୟାଣ ଯୋଜନାରେ ୧୫ କିଲୋ ଲେଖାଏଁ ଚାଉଳ ଯୋଗାଇ ଦିଆଯାଉଛି। ନୂଆପଡ଼ା ଜିଲ୍ଲାର ଦାୟିତ୍ୱ ନିଜେ ମୁଖ୍ୟମନ୍ତ୍ରୀ ନେଇଥିବାରୁ ଆଗାମୀ ଦିନରେ ଏହି ଜିଲ୍ଲା ଆଉ ପଛୁଆ ଭାବେ ପରିଗଣିତ ନ ହୋଇ ଓଡ଼ିଶାର ୧ ନମ୍ବର ଜିଲ୍ଲା ହେବ। ଏଥିପାଇଁ ନୂଆପଡ଼ାବାସୀ ସରକାରଙ୍କ ସାଙ୍ଗରେ ରହି ନୂଆପଡ଼ାର ବିକାଶ ପାଇଁ ମନସ୍ଥ କରିସାରିଛନ୍ତି ବୋଲି ନିଆଲ କହିଛନ୍ତି।

Leave A Reply