Odisha news

ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି : ମନମୋହନ ସାମଲ

ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଡକ ଓ ପରିବହମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି

0

ଭୁବନେଶ୍ୱର,ତା.୧୩/୦୮: କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓଡିଶାର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ରାଜ୍ୟର ଗମନାଗମନ ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ । ଗତ ୪ ଦିନ ପୂର୍ବରୁ ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ବ୍ୟୟରେ ୬ଟି ନୂତନ ପ୍ରକଳ୍ପ ନିର୍ମାଣକୁ କ୍ୟାବିନେଟ ମଂଜୁରୀ ମିଳିଥିଲା । ଆଜି ରାଜ୍ୟରେ ଜାତୀୟ ରାଜପଥ ବିକାଶ ସକାଶେ ୨୧୬୫୦ କୋଟି ଟଙ୍କାର ଅନୁଦାନ ପାଇଁ ବାଟ ଫିଟିଛି । ଓଡିଶାର ବିକାଶକୁ କେହି ଅଟକାଇପାରିବେ ନାହିଁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀଠାରେ ମାନ୍ୟବର କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରି ୧୫ ହଜାର କୋଟି ଟଙ୍କାର ୪ଟି ବୃହତ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି । ଏଗୁଡିକ ହେଲା; ୬ ଲେନ ବିଶିଷ୍ଟ ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ପାଇଁ ୧୮ଶହ କୋଟି ଟଙ୍କା, ଚଣ୍ଡିଖୋଲ-ବଡବିଲ ଜାତୀୟ ରାଜପଥ ପାଇଁ ୧୦ ହଜାର କୋଟି, ୪ ଲେନ ବିଶିଷ୍ଟ ଖୋର୍ଦ୍ଧା-ନୟାଗଡ ଜାତୀୟ ରାଜପଥ-୫୪ ପାଇଁ ୧୧ ଶହ କୋଟି ଏବଂ ୪ ଲେନ ବିଶିଷ୍ଟ କେସିଙ୍ଗା – ଜୁନାଗଡ ଜାତୀୟ ରାଜପଥ-୨୬ ପାଇଁ ୧ ହଜାର କୋଟି ଟଙ୍କାକୁ ଅନୁମୋଦନ ମିଳିଛି । ଖୁବ ଶୀଘ୍ର ଏ ସମସ୍ତ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ ହେବ । ସେହିପରି ୨ ଲେନ ବିଶିଷ୍ଟ କୋରାପୁଟ-ପୋଡାମାରି ପ୍ରକଳ୍ପ ପାଇଁ ୨୫୦୦ କୋଟି ଟଙ୍କା, ସେତୁବନ୍ଧ ଯୋଜନାରେ ୨୫୦ କୋଟି, କେନ୍ଦ୍ରୀୟ ସଡକ ଓ ଭିତିଭୁମି ପାଂଠି ଅଧିନରେ ୫୦୦ କୋଟି ଏବଂ ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କା ମଂଜୁରୀ ମିଳିଛି । ଆଗାମୀ ଦିନରେ ମୋଟୁ – ତିରିଙ୍ଗି ଅଟଳ ଏକ୍ସପ୍ରେସ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ସମେତ ଝାରସୁଗୁଡା – ବାଲେଶ୍ୱର, ନୂଆପଡା – ଅସ୍ତରଙ୍ଗ, ବୃନ୍ଦାବାହା – ଗୋପାଳପୁର, ସମ୍ବଲପୁର – ସାତଭାୟା ଜାତୀୟ ରାଜପଥ, ବ୍ରହ୍ମପୁର – ଜୟପୁର, ଜୟପୁର – ରାଉରକେଲା, ରାଉରକେଲା – ଜଳେଶ୍ୱର, ଜଳେଶ୍ୱର – ବ୍ରହ୍ମପୁର ଗ୍ରାଣ୍ଡ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଓଡ଼ିଶାରେ ବିକାଶ ବାଧାପ୍ରାପ୍ତ ହେଉଥିଲା । ଆଜିର ଏହି ଐତିହାସିକ ନିଷ୍ପତି ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଓଡିଶାର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ରାଜ୍ୟବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Nalco

Leave A Reply