Odisha news

“ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ର ସେବାରେ ସମର୍ପିତ ଗୋଟିଏ ଜୀବନ” ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ବୁଦ୍ଧିଜୀବିଙ୍କ ମତ ‘ନରେନ୍ଦ୍ର ମୋଦି ହେଉଛନ୍ତି ଅଦ୍ୱିତୀୟ ରାଷ୍ଟ୍ରନେତା’

0

 ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେବା ସପ୍ତାହ ପାଳିତ
 ୱେବିନାର ମାଧ୍ୟମରେ ରାଜ୍ୟରେ ୨ଟି ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ
 ଗତ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଛି ସେବା ସପ୍ତାହ
 ୧୮ ଓ ୧୯ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇ ରାଜ୍ୟର ୨ଟି ସ୍ଥାନରେ ବୁଦ୍ଧିଜୀବୀ ସମ୍ମିଳନୀରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଓ ନାଗରିକମାନେ ଯୋଗଦାନ କଲେ

ଭୁବନେଶ୍ୱର, ତା.୧୯/୦୯: ଗତ କାଲି ଏବଂ ଆଜି ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ନେଇ ୱେବିନାର ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ୨ଟି ବୁଦ୍ଧିଜୀବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସମାଜର ପ୍ରମୁଖ ବୁଦ୍ଧିଜୀବୀ ଓ ପ୍ରବୃଦ୍ଧ ନାଗରିକମାନେ ଯୋଗଦାନ କରି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିରାମୟ ଓ ଦୀର୍ଘଜୀବନ କାମନା କରିଛନ୍ତି । ଗତ କାଲି ପ୍ରଥମ ଦିନର ସମ୍ମିଳନୀରେ ରାଜ୍ୟର ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ବରଗଡ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ, ମୟୁରଭଂଜ ଓ ଢେଙ୍କାନାଳ ପ୍ରମୁଖ ୯ଟି ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ ବୁଦ୍ଧିଜୀବୀ, ନାଗରିକ, ବ୍ୟକ୍ତିବିଶେଷମାନେ ଉପସ୍ଥିତ ରହି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ କର୍ତୃତ୍ୱକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବକ୍ଷେତ୍ର ବିଦ୍ୟାଭାରତୀ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା.ବାଂଚାନିଧି ପଣ୍ଡା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରକୃତ ରାଷ୍ଟ୍ରନାୟକ ବୋଲି ସମ୍ବୋଧନ କରିଥିଲେ । “ସବ୍କା ସାଥ୍, ସବ୍କା ବିକାଶ ଓ ସବ୍କା ବିଶ୍ୱାସ”କୁ ପାଥେୟ କରି ପ୍ରଧାନ ସେବକ ଭାବେ ଗତ ୬ ବର୍ଷ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତବର୍ଷକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । “ମନ୍କି ବାତ୍” କାର୍ଯ୍ୟକ୍ରମ ଦ୍ୱାରା ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଦେଶବାସୀଙ୍କ ସହ ଯୋଡି ହୋଇ ରହିବାର ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ । ଦେଶର ବହୁ ଜନ ଓ ଗରୀବକଲ୍ୟାଣ ଯୋଜନାର ଶୁଭାରମ୍ଭଠୁ ଆରମ୍ଭ କରି ଦେଶ ହିତ ଏବଂ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ କଠୋର ଓ ଦୃଢ ନିଷ୍ପତିକୁ ବିସ୍ତୃତ ଭାବେ ଡା.ପଣ୍ଡା ଆଲୋଚନା କରିଥିଲେ । ରାଷ୍ଟ୍ର ସେବାରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ନିଜ ସମଗ୍ର ଜୀବନକୁ ସମର୍ପିତ କରିଛନ୍ତି, ତାହା ସମସ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇଛି ବୋଲି ଡା.ପଣ୍ଡା କହିଛନ୍ତି । ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ସ୍ବାଗତ ଜଣାଇଥିଲେ ଏବଂ ଅନ୍ୟତମ ରାଜ୍ୟ ଉପସଭାପତି ବିଧାୟକ ନାଉରୀ ନାଏକ ଧନ୍ୟବାଦ ଜଣାଇଥିଲେ ।
ଆଜିର ଦ୍ୱିତୀୟ ଦିନର ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଏବଂ ସୁନାମଧନ୍ୟ ସାମ୍ବାଦିକ ଶ୍ରୀ ରାଜାରାମ ଶତପଥୀ ଯୋଗ ଦେଇଥିଲେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଭୂବନେଶ୍ୱର, ପୁରୀ, ଆସ୍କା, ଗଂଜାମ ଓ କନ୍ଧମାଳ ପ୍ରମୁଖ ୧୨ଟି ଲୋକସଭା ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀ, ନାଗରିକ ଓ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ମୁଦ୍ରା ଯୋଜନା, କୋଭିଡ୍-୧୯ ସମୟରେ ଗରୀବକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟକାରୀତା କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇଛନ୍ତି । ସେହିପରି ବର୍ଷ ବର୍ଷ ଧରି ଲାଗି ବିବାଦ ହୋଇ ରହିଥିବା ଧାରା ୩୭୦ ଉଚ୍ଛେଦ, ଟ୍ରିପଲ ତଲାକ ବ୍ୟବସ୍ଥା ଉଚ୍ଛେଦ, ଜାମ୍ମୁ କାଶ୍ମୀର ଓ ଲଦ୍ଦାଖକୁ ପୃଥକ ରାଜ୍ୟ ଘୋଷଣା, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ବିବାଦର ସୁସମାଧାନ କରି ଦେଶବାସୀଙ୍କ ମନ ଭିତରେ ଆଶାର ସଂଚାର ସୃଷ୍ଟି କରିଛନ୍ତି । ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ବର୍ତମାନ ଦେଶର ବିକାଶ ପାଇଁ ଏକ ନୂତନ ବାର୍ତା ସାଜିଛି । ସେହିପରି ଯୋଗକୁ ଆନ୍ତର୍ଜାତିକ ସ୍ତରରେ ପହଂଚାଇ ଦେଶବାସୀଙ୍କୁ ଗର୍ବାନ୍ୱିତ କରିଛନ୍ତି । ଆନ୍ତର୍ଜାତିକ ସ୍ତରରେ ଆଜି ପ୍ରତ୍ୟେକ ଦେଶବାସୀ ନିଜକୁ ଗର୍ବର ସହ ଭାରତୀୟ ବୋଲି ପରିଚୟ ଦେଇପାରୁଛି । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଭାରତବର୍ଷର ସୁନାମ ଓ ସମ୍ମାନ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବିଚାର ମୂଳରେ ଭାରତୀୟତା ଦୃଷ୍ଟିକୋଣ ପ୍ରତିଫଳିତ ହୁଏ ବୋଲି ଆଜିର ସମ୍ମିଳନୀରେ ମୁଖବକ୍ତା ଶ୍ରୀ ଶତପଥୀ ଉଦ୍ବୋଧନ ଦେଇ କହିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶୀନି ଅଧ୍ୟକ୍ଷତା କରିଥିବାବେଳେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟତମ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଶେଷରେ ଧନ୍ୟବାଦ ଜଣାଇଥିଲେ ।
ସେବା ସପ୍ତାହର ଶେଷ ଦିନ ଆସନ୍ତା କାଲି ସ୍ୱଚ୍ଛଭାରତ ଅଭିଯାନକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।

Leave A Reply