କଣାସ : ଆଜି ସକାଳ ୧୦ ଘଟିକା ସମୟରେ ପୁରୀ ଠାରେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ସାମ୍ବାଦିକ ବନ୍ଧୁ ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା କହିଛନ୍ତି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ କେବଳ ଭୂଗୋଳରେ ସୀମିତ ନୁହେଁ, ଏହା ହେଉଛି ଏକ ମହାଭାବ। ଓଡିଆ ଅସ୍ମିତା, ଜାତୀୟତା, ସଂସ୍କୃତ ଓ ଅଭିଳାଷର ପୂଣ୍ୟ ଭୂମି, ଚିର ପ୍ରେରଣାର ଭୂମି। ପଞ୍ଚସଖାଙ୍କ ପବିତ୍ର ସାଧନାର ଭୂମି। ସେହି ଭୂମିର ସେବା କରିବାର ସୁଜୋଗ ପାଇବା ମୋ ଜୀବନର ସବୁଠୁ ବଡ଼ ଓ ମାହାର୍ଘ ଉପଲବ୍ଧି। ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମତେ ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇବା ସହ ଆପଣ ମାନଙ୍କର ଆର୍ଶୀବାଦ ଓ ସଦିଚ୍ଛା କାମନା କରୁଛି ।ପଞ୍ଚସଖାଙ୍କ ଶପଥ, ‘ଜନ୍ମ ବେଳେ ଆମ ମାଟି ଯେ ପରି ଅଛି, ତାଙ୍କୁ ଉନ୍ନତ ଦେଖି ସଂସାର ଛାଡ଼ିବା’ ପ୍ରତ୍ୟେକ ଓଡିଆଙ୍କ ପାଇଁ ଜୀବନ ସଂହିତ ହେବା ଉଚିତ ବୋଲି ମୁଁ ବିଚାର କରେ ଏବଂ ସେହି ଆଧାରରେ ସତ୍ୟବାଦୀ – କଣାସର ମୋର ସଂକଳ୍ପ ଭୈାତିକ ବିକାଶ ସହ ସାଂସ୍କୃତିକ ବିକାଶକୁ ମୁଁ ମୋ କର୍ମମୟ ଜୀବନରେ ପ୍ରାଥମିକତା ଦେଇ ଆସିଛି। ଆମ ସଂସ୍କୃତିକ ସଂପଦ ଅନନ୍ୟ, ଅନୁପମ, ସମଗ୍ର ଓଡ଼ିଆ ଜାତିର ପରିଚିତର ଆଧାର। ଏହାର, ବିକାଶ ସଂରକ୍ଷଣ ବ୍ୟାଖ୍ୟାନ କୁ ଗୁରୁତ୍ଵ ଦେବା ଏହି ସମୟର ଆହ୍ୱାନ ଓ ଆବଶ୍ୟକତା ଭିତ୍ତିରେ ଆଧୁନିକ କରଣ ଓ ନବୀକରଣ କରାଯିବ। ଓଡିଆ ଜାତିର ତୀର୍ଥକ୍ଷେତ୍ର ଉତ୍କଳ ମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ ଧାରା ସଂପ୍ରସାରିତ, ଅର୍ଥପୂର୍ଣ୍ଣ ଓ ମହିମା ମଣ୍ଡିତ କରିବା ମୋ’ର ସଂକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ପ୍ରଗତିର ମହାପର୍ବ ଚାଲିଛି। ପ୍ରଗତିର ଗତିକୁ ତ୍ବରାନ୍ବିତ କରିବା ଓ ବିକାଶକୁ ପୂର୍ବବର୍ତ୍ତୀ ସ୍ତରକୁ ନେବା ଦରକାର। ଜଳସେଚନ, ଜଳନିଷ୍କାସନ ଓ ପାନୀୟ ଜଳ ସମସ୍ୟା ଆମକୁ ଆକ୍ରାନ୍ତ କରେ । ଏହି ଜଳ ଯନ୍ତ୍ରଣାର ମୁକ୍ତି ପାଇଁ ଆବଶ୍ୟକ ଏକ ଦୀର୍ଘମିଆଦି ଦୂରଦୃଷ୍ଟି ସଂପର୍ଣ୍ଣ ରୋଡ଼ ମ୍ୟାପ। ତଥା ମୋ ସଂକଳ୍ପର ଶୀର୍ଷକ ସନ୍ନିହିତ ଅନ୍ୟାନ୍ୟ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ସହ କୃଷି, କୃଷକ ଓ ଗ୍ରାମର ବିକାଶ, ରୂପାନ୍ତରକୁ ଅଗ୍ରାଧିକାର ପ୍ରଦାନ କରିବି। ସତ୍ୟବାଦୀ ମାଟି ପ୍ରେମ ଓ ବିଦ୍ରୋହର ମାଟି, ସ୍ଵାଧୀନତା ଓ ସଂଗ୍ରାମର ମାଟି। ସାରା ଓଡ଼ିଶାକୁ ମାର୍ଗଦର୍ଶନ କରାଉଥିବା ମାଟି ପଞ୍ଚସଖାଙ୍କ ଠୁ ପ୍ରାଣନାଥ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକେ ପ୍ରାତଃ ସ୍ମରଣୀୟ ବରପୁତ୍ରଙ୍କ କର୍ମ ଭୂମି ଓ ଜନ୍ମ ଭୂମି, ସେହିମାନଙ୍କ ଆଦର୍ଶକୁ ଧ୍ୟେୟ କରିବାରେ ଜୀବନର ସାର୍ଥକତା ଅଛି ବୋଲି ମୁଁ ବିଶ୍ୱାସ କରେ। ପ୍ରଭୁ ସାକ୍ଷୀ ଗୋପିନାଥ, ମା’ ଦକ୍ଷୀଣ କାଳି, ବରାଳ ବାଲୁଙ୍କେଶ୍ୱର, ମା’ ଜାଗୁଳାଇ, ମା’ କୁଞ୍ଜେଶ୍ୱରୀ, ମା’ ମଙ୍ଗଳା, କରମଳା ଗାଦୀ, ମା’ ଭଗବତୀଙ୍କ ଅପାର କରୁଣାରୁ ସତ୍ୟବାଦୀ ଓ କଣାସର ଇତିହାସ ଓ ଐତିହ୍ୟ ପରିପୃଷ୍ଟ। ମୁଁ ସତ୍ୟବାଦୀର ପ୍ରଗତି ପାଇଁ ଆର୍ଶୀବାଦ କାମନା କରିଛି।
ମୁଁ ଆଶା କରୁଛି, ସତ୍ୟବାଦୀର ଜନସାଧାରଣଙ୍କ ସକ୍ରିୟ ସହଯୋଗ ଓ କ୍ରିୟାଶୀଳ ସଂପୃକ୍ତି ମାଧ୍ୟମରେ ସତ୍ୟବାଦୀର ସର୍ବାଙ୍ଗିନ ବିକାଶ ତ୍ବରାନ୍ବିତ ହୋଇ ପାରିବ। ବିକାଶର ମହା ପ୍ରବାହରେ ମୁଁ ନିଜକୁ ଅର୍ପଣ କରିବା ସହ ସାମୁହିକ ଲକ୍ଷ୍ୟ ହାସଲ ପାଇଁ ଆପଣଙ୍କର ସହଯୋଗ କାମନା କରୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ ସତ୍ୟବାଦୀ ବ୍ଲକ ବିଜୁ ଜନତା ଦଳର ସଭାପତି ପ୍ରମୋଦ ରାଉତରାୟ, ବ୍ଲକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରକାଶ କୁମାର ପ୍ରଧାନ, କଣାସ ବ୍ଲକ ବିଜୁ ଜନତା ଦଳର ସଭାପତି ସୁରେଶ କୁମାର ସାହୁ, ପୂର୍ବତନ ଅଧ୍ୟକ୍ଷ ସୁସୀଲ କୁମାର ରାଉତ ଏବଂ ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।