ବିରଜାକ୍ଷେତ୍ର ୨୪/୧୦: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପାର୍ବଣ ଯାତ୍ରା ଓ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ସକାଳ ୮ଟା ୩୦ ମିନିଟରେ ମା’ଙ୍କ ପହଡ଼ ଖୋଲାଯାଇ ସ୍ନାନ ଓ ନାନାଦି ବେଶ କାର୍ଯ୍ୟ ଦିନ ୧୨ଟାରେ ସମାପନ କରାଯାଇଥିଲା । ଦିନ ୨ଟାରୁ ୪ ଟା ପର୍ଯ୍ୟନ୍ତ ତର୍ପଣ କାର୍ଯ୍ୟ ଆୟୋଜନ କରାଯାଇ ୪ଟାରେ ଶେଷ ହେବା ପରେ ୪ଟା ୩୦ ମିନିଟରେ ନିତି ଲାଗି କରାଯାଇଥିଲା । ସଂଧ୍ୟା ୫ଟାରେ ପହଡ଼ ଖୋଲା ହେବା ପରେ ୫ଟା ୩୦ ମିନିଟରେ ଆଜିର ରଥଯାତ୍ରା ଆୟୋଜନ କରାଯାଇଥିଲା । ଆଜି ଆଦ୍ୟଦୁର୍ଗାଙ୍କ ନିକଟରୁ ରଥଯାତ୍ରା ଆରମ୍ଭ କରାଯାଇ ମନ୍ଦିର ସମ୍ମୁଖକୁ ରଥକୁ ଅଣାଯାଇଥିଲା । ରଥରୁ ଆର୍ଶା ଦଣ୍ଡ, ଛତ୍ର, ତରାଶ ଅବତରଣ ପରେ ମନ୍ଦିର ପ୍ରବେଶ କରାଯାଇଥିଲା । ସଂଧ୍ୟା ଆଳତୀ କରାଯାଇଥିଲ ।
ଆଜି ଲାଖବିନ୍ଧା ଯାତ୍ରା ଥିବାରୁ ମନ୍ଦିର ପ୍ରଶାସନ ଓ ସେବାୟତ ପରିଷଦ ମଧ୍ୟରେ ଆଲୋଚନା କରାଯାଇ ରାତିର କାଯ୍ୟକ୍ରମ ସ୍ଥିର କରାଯାଇଥିଲା । ରାତି ୧୦ଟାରେ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଯାଜପୁର ଉପ-ଜିଲ୍ଳାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ମୁଣ୍ଡରେ ସିରିପା ଓ ଆର୍ଶା ସେବାୟତ ଦିଗାମ୍ବର ପାଣିଙ୍କ ମୁଣ୍ଡରେ ସିରିପା ବନ୍ଧା ହେବା ପରେ ଲାଖବିନ୍ଧା ଯାତ୍ରା ଆରମ୍ଭ କରାଯାଇଥିଲା । ନହରପଦା କୀର୍ତ୍ତନ ମଣ୍ଡଳୀଙ୍କ ଉପସ୍ଥିତିରେ ମା’ଙ୍କ ବିଜୟ ପ୍ରତିମାକୁ ରଥରୁ ଅବତରଣ କରାଯାଇଥିଲା । ଛାତ୍ର ସେବାୟତ ସୁଶାନ୍ତ ରଣା, ରବିନ୍ଦ୍ର ରଣା, ତରାଶ ସେବାୟତ ଶିବ ପ୍ରସାଦ ରଣା ଉପସ୍ଥିତ ହେବା ପରେ କୋଭିଡ଼ କଟକଣା ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପରିÿଧାନ କରି ପ୍ରଥା ଓ ପରମ୍ପରା ଅନୁଯାୟୀ ବିରଜା ହାଇସ୍କୁଲ ଛକ ଦେଇ ଲାଖବିନ୍ଧା ପଡ଼ିଆକୁ ଯାତ୍ରା କରାଯାଇଥିଲା ।
ଉକ୍ତ ସ୍ଥାନରେ ବିଭିନ୍ନ ପୂଜା କରାଯିବା ସହିତ ଲାଖବିନ୍ଧା କାର୍ଯ୍ୟ ସମାପନ କରାଯାଇଥିଲା । ଶେଷରେ ଉପସ୍ଥିତ ଥିବା ଜମିଦାର ଗୋପାଳ କୃଷ୍ଣ ପତିଙ୍କ ମୁଣ୍ଡରେ ସିରିପା ଓ ଲାଖ ସେବାୟତ ଗୋପାଳ ଚନ୍ଦ୍ର ପାଣିଙ୍କ ମୁଣ୍ଡରେ ସିରିପା ବନ୍ଧା ଯାଇଥିଲା । ସମସ୍ତ କାର୍ଯ୍ୟ ସମାପନ ପରେ ନହରପଦା ଗ୍ରାମ ଦେଇ ମା’ଙ୍କ ବିଜୟ ପ୍ରତିମାକୁ ଅଣାଯାଇଥିଲା । ୧୪୪ ଧାରା ଜାରି ଥିବାରୁ ଗ୍ରାମବାସୀମାନେ ବାହାରକୁ ନ ଆସି ନିଜ ଦୁଆର ପିଣ୍ଡାରେ ରହି ମାଆଙ୍କୁ ଦର୍ଶନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ମୁକ୍ତିମଣ୍ଡପ ସେବାୟତ ପରିଷଦର ସଭାପତି ଦେବୀ ପ୍ରସାଦ ପାଣି, ବିରଜା ପ୍ରସାଦ ରଣା, ଅଜୟ କୁମାର ରଣା, ବିଜୟ କେତନ ବିଶୋଇ, ଦେବାଶିଷ ରଣା, ପ୍ରଶାନ୍ତ ବିଶୋଇ, ଅଶୋକ ବିଶୋଇ, ନିତ୍ୟାନନ୍ଦ ରଣା, ସନ୍ତୋଷ ବେହେରା, ପ୍ରମୁଖ ପରିଚାଳନା କରିଥିଲେ । ପୁଲିସ ପ୍ରଶାସନ ତରଫରୁ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ରଂଜନ ଚକ୍ରଙ୍କ ନେତୃତ୍ୱରେ ୪ ପ୍ଲାଟୁନ ପୁଲିସ କର୍ମଚାରୀ ଉପସ୍ଥିତ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ ।
ରଥଯାତ୍ରା ଶେଷରେ ଟ୍ରଷ୍ଟବୋର୍ଡ଼ ତରଫରୁ ସେବାୟତ ମାନେ ରଥ ଦାଣ୍ଡରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ସହକାରୀ ଜିଲ୍ଳାପାଳ ଅନୁପ କୁମାର ବେହେରା, ଯାଜପୁର ଏସଡ଼ିପିଓ ନିହାର ରଂଜନ ନାୟକ, ଅତିରିକ୍ତ ଜିଲ୍ଳାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମା’ ବିରଜାଙ୍କ ରଥଯାତ୍ରା ଓ ଦୁର୍ଗାତ୍ସୋବ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବାରୁ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ଯାଜପୁର ବାସୀ, ସେବାୟତ ଓ ପୋଲିସ ପ୍ରଶାସନକୁ ବିଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।