ଅଧ୍ୟାପକ ଶରତ କୁମାର ଦାସ , ରାଜନୀତି ବିଜ୍ଞାନ ବିଭାଗ : ଇତିମଧ୍ୟରେ ବିଶ୍ବର ସର୍ବପୁରାତନ ତଥା ସୁସ୍ଥ ଓ ପ୍ରଗତିଶୀଳ ଗଣତନ୍ତ୍ରର ମନ୍ତ୍ର ଫୁଙ୍କୁଥିବା ଆମେରିକାର ରାଜନୈତିକ ଦୃଶ୍ୟପଟରେ ଆସିଛି ଅନେକ ପରିବର୍ତ୍ତନ ।ଅପସରିଯାଇଛି କାଳରାତିର କଳାଦୃଶ୍ୟ। ଅନେକ ଆଶା ଓ ଭରସାକୁ ଜାବୁଡି ଧରି ଆବିର୍ଭାବ ହୋଇଛି ଏକ ନୂଆ ସକାଳ । ଆମେରିକା ଭଳି ଶକ୍ତିଶାଳୀ ଗଣତନ୍ତ୍ରରେ କଳଙ୍କର ଛିଟା ବୋଳିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଜଣେ କ୍ଷମତାଲୋଭୀ, ଆତ୍ମମୁଗ୍ଧ, ସ୍ବାର୍ଥନ୍ବେଷୀ, ଅହଙ୍କାରୀ ତଥା ଏକଛତ୍ରବାଦୀ ଶାସକଙ୍କର ଦିଶାହୀନ ଶାସନ ବ୍ୟବସ୍ଥାର ଅନ୍ତ ହୋଇଛି । ଦେଶର ୪୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଟ୍ରମ୍ପ ଯେ ନିଜର ସଂକୀର୍ଣ୍ଣ ତଥା ଖିଆଲି ମନର ନୀଚ ଅଭିପ୍ସାକୁ ଚରିତାର୍ଥ କରିବାକୁ ଯାଇ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ପାଦରେ ଦଳିମକଚି ଖିନଭିନ କରିଦେବେ ,ଏକଥା କାହାକୁ ବା ଜଣାଥିଲା !
ଗତ ଦୁଇମାସ ମଧ୍ୟରେ ଆମେରିକାର ସ୍ବର୍ଣ୍ଣିମ ଇତିହାସରେ ଯେଉଁସବୁ ଲଜ୍ଜା ଓ ଅପମାନର ଅଧ୍ୟାୟସବୁ ଯୋଡିହୋଇଗଲା ତାହା ଅବିଶ୍ବାସନୀୟ । ଲହୁଲୁହାଣ ହେଲା ସଂସଦ ରୂପକ ଗଣତନ୍ତ୍ରର ପବିତ୍ର ମନ୍ଦିର । ଜନାଦେଶ ହେଲା ବିକଳାଙ୍ଗ । ଗୁଳିଗୋଳାର ତୀବ୍ର ଆବାଜରେ ସ୍ତବ୍ଧ ହୋଇଗଲା ଆଇନ୍ ର ଶାସନ ଭଳି ଗଣତନ୍ତ୍ରର ଅନ୍ତଃସ୍ବର ।ଏବେବି ଗୁମୁରୀ ଗୁମୁରୀ କାନ୍ଦୁଛି ଲୋକମାନଙ୍କର,ଲୋକମାନଙ୍କ ଦ୍ବାରା ଓ ଲୋକମାନଙ୍କ ପାଇଁ ଶାସନ ବ୍ୟବସ୍ଥା । ପରିସ୍ଥିତି ଏମିତି ହେଲା ଯେ ଟ୍ରମ୍ପଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପର୍ଯ୍ୟନ୍ତ କଥାଗଲା।ଶାନ୍ତି,ସାମ୍ୟ,ମୁକ୍ତି,ଭ୍ ରାତୃତ୍ବ ,ସ୍ଥିରତା,ବିକାଶ ଓ ଉତ୍ତରଦାୟିତ୍ୱବୋଧ ଇତ୍ୟାଦି ମହତ୍ ଗୁଣାବଳୀଗୁଡିକୁ ସମ୍ମାନ ଦେଉଥିବା ଗଣତନ୍ତ୍ର ହୁଏତ କେଉଁଠି ନା କେଉଁଠି ବାଟହୁଡିଗଲା କହିଲେ ଅତ୍ୟୁକ୍ତି ହେବନାହିଁ ।
ଏବେ ଆମେରିକାର ଅସହାୟ ଗଣତନ୍ତ୍ର ନିଜ ସୁରକ୍ଷାର ସାହାରା ଖୋଜିବାରେ ସଫଳ ହୋଇଛି ଓ ନିଜର ହୃତ୍ ଗୌରବକୁ ଫେରି ପାଇବା ପାଇଁ ନୂଆ କରି ଉଦ୍ୟମ ଆରମ୍ଭ କରିଛି। ଦେଶର ୪୬ ତମ ରାଷ୍ଟ୍ରପତି ରୂପେ ଡେମୋକ୍ରାଟ ଦଳର ନବନିର୍ବାଚିତ ଜୋ ବାଇଡେନ ଏକ ବର୍ଣ୍ଣାଢ୍ୟ ପରିବେଶରେ ଶପଥ ଗ୍ରହଣ କରିଛନ୍ତି । ମାତ୍ର ସତ କହିବାକୁ ଗଲେ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବିପଦ ଟଳିନାହିଁ । କଡା ସୁରକ୍ଷା ବଳୟ ଭିତରେ ଜୋ ବାଇଡେନ ଯେଉଁଭଳି ଶପଥ ଗ୍ରହଣ କଲେ ତାହା ଆମେରିକା ଭଳି ଶକ୍ତିଶାଳୀ ଗଣତାନ୍ତ୍ରିକ ବ୍ୟବସ୍ଥାର ଅସହାୟତା ଏବେ ବି ବାଟରେ ପଡି ହାଟରେ ଗଡୁଛି । କାରଣ ଏବେବି ଟ୍ରମ୍ପଙ୍କ ବର୍ବରତାର କଳାଛାଇ ସମଗ୍ର ଆମେରିକାକୁ ଘେରି ରହିଛି । ଆମେରିକା ଇତିହାସରେ ଏଭଳି ଦିନ ବୋଧହୁଏ ଖୁବ୍ କମ୍ ଆସିଥିବ ଯେବେ ହିଂସା, ଉତ୍ତେଜନା, କର୍ଫ୍ଯୁ ଭଳି ପରିସ୍ଥିତିରେ ଅଭେଦ୍ଯ ସୁରକ୍ଷା ପ୍ରାଚୀର ମଧ୍ୟରେ କୌଣସି ରାଷ୍ଟ୍ରପତିଙ୍କର ଶପଥ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି । ସବୁଠାରୁ ବଡକଥା ହେଲା ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଉପରେ କଡା ନଜର ରଖାଯାଇଛି ଯେପରି ସେମାନଙ୍କ ମଧ୍ୟରୁ କେହି ବି କୌଣସି ସମୟରେ ଟ୍ରମ୍ପଙ୍କ ସମର୍ଥନରେ ବିଭ୍ରାଟ ସୃଷ୍ଟି ନ କରନ୍ତି ।
ଜୋ ବାଇଡେନ ଏଭଳି ଏକ ସମୟରେ ଶାସନ କ୍ଷମତା ହାତକୁ ନେଇଛନ୍ତି ଯେଉଁ ସମୟରେ କି ଆମେରିକା ଏକ ଭୀଷଣ ଗୃହ ସଙ୍କଟ ଦେଇ ଗତି କରୁଛି । ଆଭ୍ୟନ୍ତରିଣ ବିଶୃଙ୍ଖଳା ହେଉ ବା ପୃଥିବୀର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ହେଉ , ଏସବୁକୁ ପରିପକ୍ୱତାର ସହିତ ତାଙ୍କୁ ସମ୍ମୁଖୀନ ହେବାକୁ ପଡିବ । ତାଙ୍କ ଚତୁର୍ଦ୍ଦିଗରେ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅନେକ ଆହ୍ବାନ ରହିଛି । ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କୁ ନିଜର ପାରଦର୍ଶିତାର ପ୍ରମାଣ
ପ୍ରଦର୍ଶନ କରିବାକୁ ପଡିବା ସହିତ ଆମେରିକାକୁ ଲକ୍ଷ୍ଯସ୍ଥଳରେ ପହଂଚାଇବାକୁ ହେଲେ ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିବ ମଧ୍ୟ । ଟ୍ରମ୍ପ ଯେଉଁଭଳି ଭାବେ ଆମେରିକା ସମାଜରେ ବିଭେଦତା ଓ ବର୍ଣ୍ଣବୈଷମବାଦର ମଂଜି ପୋତିଛନ୍ତି, ତାହା କେବଳ ଆମେରିକା ନୁହେଁ ସମଗ୍ର ପୃଥିବୀ ପାଇଁ ଏକ ମସ୍ତବଡ ବିପଦ କହିଲେ ଅତ୍ୟୁକ୍ତି ହେବନାହିଁ । ସର୍ବପୁରାତନ ଗଣତନ୍ତ୍ର ଆମେରିକା ମାନବସମାଜର ଏକତା ପାଇଁ ଲଢି ପୃଥିବୀରୁ ବର୍ଣ୍ଣବୈଷମବାଦର ଚିହ୍ନ ବିଲୋପ କରିବାକୁ ଶପଥ ନେଇଥିବା ବେଳେ ଟ୍ରମ୍ପଙ୍କ ଚାରି ବର୍ଷର ଅପରିଣାମଦର୍ଶୀ ଶାସନ କାଳ ପୁନଶ୍ଚ ବର୍ଣ୍ଣବିଭେଦର ଚାରା ବପନ କରିଛି ଆମେରିକା ମାଟିରେ । ଏକ ସମୃଦ୍ଧ ଆମେରିକା ଗଠନ କ୍ଷେତ୍ରରେ ଯେଉଁ କୃଷ୍ଣକାୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ଉପରେ ଯେଉଁଭଳି ଅତ୍ୟାଚାର କରାଯାଉଛି ତାହା ସମଗ୍ର ବିଶ୍ବ ଦେଖୁଛି । ଏହା ଏକତା ଓ ମାନବାଧିକାର ସୁରକ୍ଷା ପାଇଁ ଏକ ପ୍ରଶ୍ନବାଚୀ ନୁହେଁ କି ? ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଏସମସ୍ତ ସମସ୍ୟା ପ୍ରତି ଅଧିକ ସଚେତନ ହେବା ସମୟର ଗୁରୁତ୍ବପୂର୍ଣ୍ଣ ଆହ୍ବାନ ।
ଟ୍ରମ୍ପ ତାଙ୍କ ସ୍ବେଚ୍ଛାଚାରୀ ରାଷ୍ଟ୍ରବାଦ ନାଁରେ ଆମେରିକା ଭଳି ଏକ ଶକ୍ତିଶାଳୀ ତଥା ବିକଶିତ ରାଷ୍ଟ୍ରକୁ ତଳିତଳାନ୍ତ କରିଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।ଗତବର୍ଷ କରୋନା ମହାମାରୀ ସହ ଲଢିବାରେ ଟ୍ରମ୍ପ ନିଜର ଦାୟିତ୍ବହୀନତାର ପରିଚୟ ଦେଇଛନ୍ତି । କରୋନା ମୁକାବିଲା କ୍ଷେତ୍ରରେ ତାଙ୍କର ଦାୟିତ୍ୱହୀନତା କାରଣରୁ ଆଜି ସମଗ୍ର ଆମେରିକା ସମାଜ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପୃଥିବୀର ସର୍ବବୃହତ ତଥା ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଥିବା ଆମେରିକା ମହାମାରୀର ସଠିକ ମୁକାବିଲା କରିପାରିଲା ନାହଁ । ଯାହାର କୁଫଳ ସ୍ବରୂପ ଆମେରିକା ଭଳି ସ୍ଥିର ଓ ସମୃଦ୍ଧ ଅର୍ଥନୀତି ଆଜି ଅବକ୍ଷୟମୁଖୀ ।ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଶିଳ୍ପୋଦ୍ଯୋଗଗୁଡିକର ଅବସ୍ଥା ଶୋଚନୀୟ । ଆମେରିକାକୁ ଏସବୁ ସଂକଟରୁ ମୁକୁଳେଇବା ପାଇଁ ଜୋ ବାଇଡେନ ନିଜର ବୁଦ୍ଧି, ବିବେକ, ଅଭିଜ୍ଞତା ଓ ସର୍ବୋପରି ନିଜର ପାରଦର୍ଶିତାକୁ ସତର୍କତାର ସହ ବିନିଯୋଗ କରିବାକୁ ପଡିବ ।
ଉଦାରବାଦୀ ଗଣତନ୍ତ୍ର ତଥା ମୁକ୍ତ ଅର୍ଥନୀତିରେ ବିଶ୍ବାସ ରଖୁଥିବା ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଯେମିତି ବଦଳିଗଲା ଟ୍ରମ୍ପଙ୍କ ଭଳି ଜଣେ କ୍ଷମତାଲିପସୁ ଅନଭିଜ୍ଞ ରାଜନେତାଙ୍କ ହାତରେ ଯେବେ ସେ ୨୦୧୭ ରେ ରାଷ୍ଟ୍ରପତି ରୂପେ ଶପଥ ନେଲେ । ସେ ଏପରି ଅନେକ ପଦକ୍ଷେପ ନେଲେ ଯେଉଁଥିରେକି ବିଶ୍ବରେ ଆମେରିକା ନିଜର ରାଜନୈତିକ ଅସ୍ତିତ୍ବ ହରାଇବାଭଳି ଜଣାପଡୁଛି । ଶାସନ ଗାଦିକୁ ଆସିଲା ପରେ ସେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପ୍ୟାରିସ୍ ଚୁକ୍ତିନାମାରୁ ଓହରିଗଲେ, ବିଭିନ୍ନ ଦେଶଗୁଡିକ ସହ ହୋଇଥିବା ବାଣିଜ୍ୟ ଚୁକ୍ତିନାମାଗୁଡିକୁ ଗୁରୁତ୍ୱ ଦେଲେ ନାହିଁ, ଇରାନ୍ ସହିତ ହୋଇଥିବା ଆଣବିକ ରାଜିନାମାକୁ ବାତିଲ କରିବା ସହିତ ବିଶ୍ବ ସ୍ବାସ୍ଥ୍ୟସଂଗଠନ ଭଳି ବିଶ୍ଵସ୍ତରୀୟ ସଂସ୍ଥାରୁ ଆମେରିକାକୁ ଓହାରେଇ ନେଲେ । ଅପରପକ୍ଷରେ ଭ୍ରମାତ୍ମକ ଜାତୀୟତା ଓ ମିଥ୍ୟା କୁ ନେଇ ରାଜନୀତି ଆରମ୍ଭ କରିଦେଲେ ।ଏପରିକି ଆମେରିକାର ବିଭିନ୍ନ ଜନଗୋଷ୍ଠୀ ମଧ୍ୟରେ ବିଭେଦ ସୃଷ୍ଟିକରି ଆମେରିକା ପାଇଁ ଏକ ବିପଦଜନକ ପରିସ୍ଥିତିକୁ ନିମନ୍ତ୍ରଣ କରିଛନ୍ତି ।
ଟ୍ରମ୍ପ ତାଙ୍କ ଶାସନ କାଳରେ ଚୀନ,ଇରାନ , ଉତ୍ତରକୋରିଆ ଓ ରୁଷିଆ ଆଦି ବିଶ୍ଵସ୍ତରୀୟ ଶକ୍ତିମାନଙ୍କୁ ଦକ୍ଷତାର ସହିତ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ଏହି ଶକ୍ତିଗୁଡିକ ଆମେରିକା ପ୍ରତି ବିପଦ ସୃଷ୍ଟି କରିବାରେ ଯଥେଷ୍ଟ ସମ୍ଭାବନା ରହିଛି । ଚୀନ୍ ର ବାଣିଜ୍ୟିକ ବିସ୍ତାରବାଦ,ସାମରିକ ଶକ୍ତି ବୃଦ୍ଧି, ଦ୍ରୁତ ବିକାଶ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଆମେରିକା କେବେ ଚାହେଁ ନାହିଁ । ଆନ୍ତର୍ଜାତୀୟ ବଜାରରେ ଚୀନ ଏକ ମାନ୍ୟୁଫାକଚରିଂ ହବ୍ ହେଉ ଏକଥା ବି ଆମେରିକା ଚାହିଁବ ନାହିଁ । ତେଣୁ ଆମେରିକା ଚୀନ ପ୍ରତି ମୁକାବିଲାମୂଳକ ମନୋବୃତ୍ତି ସହ ଆନ୍ତର୍ଜାତିକ କ୍ଷେତ୍ରରେ ଏକ ନୂଆ ସମୀକରଣ ପାଇଁ କାର୍ଯ୍ୟ କରିବ।ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ ଏସବୁ ଦିଗ ପ୍ରତି ବିଶେଷ ଭାବେ ସଚେତନ ହେବା ଜରୁରୀ । ନିଜର ଦୂରଦୃଷ୍ଟି ତଥା ବିବେକାନୁମୋଦିତ ବିଚାରଧାରାକୁ ସର୍ବାଗ୍ରେ ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ଆମେରିକାର ଗଣତାନ୍ତ୍ରିକ ବିକାଶ ସହଜ ହୋଇ ପାରିବ ।
ତେବେ ଆମେରିକା ପାଇଁ ଖୁସିର ବିକ୍ଷୟ ହେଉଛି ଯେ ଏସମସ୍ତ ସମସ୍ୟାର ସଫଳ ସମାଧାନ ପାଇଁ ବାଇଡେନ ଙ୍କ ଭଳି ଯଣେ ଅଭିଜ୍ଞ ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କ ହାତରେ ଶାସନ କ୍ଷମତା ଅର୍ପଣ କରାଯାଇଛି । ଶପଥ ଗ୍ରହଣ ଉତ୍ସବରେ ” ଆମେରିକା ଇଜ୍ ବ୍ୟାକ୍” କହି ଦେଶବାସୀଙ୍କୁ ସମ୍ବୋଧନ କରିବା ନିଶ୍ଚିତ ରୂପେ ତାଙ୍କର ସକାରାତ୍ମକ ଚିନ୍ତାଧାରାର ପରିଚୟ ପ୍ରଦାନକରେ । ଏହା ସହ ଟ୍ରମ୍ପଙ୍କ ସବୁ ଜନ ବିରୋଧୀ
ଓ ବିବାଦୀୟ ନିଷ୍ପତ୍ତିଗୁଡିକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦ୍ବାରା କେତେପରିମାଣରେ ତାଙ୍କର ରାଜନୈତିକ ପ୍ରତିହିଂସା ପରାୟଣ ଭାବ ବା ନିଜର ସ୍ବାଧୀନ ବିଚାରଧାରା ନିହିତ ଅଛି, ତାହା ଆଦୌ ବଡକଥା ନୁହେଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଏହି ନିଷ୍ପତ୍ତି ଦ୍ବାରା ବାଇଡେନ ସମଗ୍ର ବିଶ୍ବରେ ଆମେରିକାର ଉଦାରବାଦୀ ଗଣତାନ୍ତ୍ରିକ ମୂଲ୍ୟବୋଧ ପୁନଃ ପ୍ରତିଷ୍ଠା କରି ନିଜର ହୃତ୍ ଗୌରବକୁ ଫେରିପାଇବାକୁ ଚେଷ୍ଟା କରିବେ ନିଶ୍ଚୟ ।
ଏକଦା ହେନେରୀ କିସିଂଜର କହିଥିଲେ,” ଆମେରିକା ଏକ ବାସ୍ତବବାଦୀ ଦେଶ ଏବଂ ଏହା ଜାତୀୟ ସ୍ବାର୍ଥ ସହ ବିଶ୍ବ ସ୍ବାର୍ଥକୁ ମଧ୍ୟ ଗୁରୁତ୍ୱ ଦେଇଥାଏ ।” ସୁତରାଂ ବାଇଡେନ ସାମ୍ପ୍ରତିକ ପରିସ୍ଥିତିରେ ପ୍ରଥମେ ରାଷ୍ଟ୍ରୀୟ ସାର୍ଥ ପ୍ରତି ବିଶେଷ ଧ୍ୟାନ ଦେଇ ପାରନ୍ତି । ତେବେ ଆମେରିକାର ଉଦାରବାଦୀ ଗଣତନ୍ତ୍ରର ବିଚାରଧାରା ତାଙ୍କୁ ସମଗ୍ର ବିଶ୍ବର ସ୍ବାର୍ଥ ଉଦ୍ଦେଶ୍ୟରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବା ଆଦୌ ନୂଆ କଥା ନୁହେଁ ।
ତେବେ ଏ ସବୁପରିସ୍ଥିତିରେ ପୃଥିବୀର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପ୍ରତି ଆମେରିକାରର କିଭଳି ଦୃଷ୍ଟିଭଙ୍ଗୀ ରହିବ ତାହା ଦେଖିବାକୁ ବାକି ରହିଲା । ଅବଶ୍ୟ ଡେମୋକ୍ରାଟମାନଙ୍କର ଭାରତ ପ୍ରତି ଆଗରୁ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରହିବା ସ୍ବାଗତଯୋଗ୍ଯ । ଏହି ଚିନ୍ତାଧାରା ହୁଏତ ଆମେରିକା ଓ ଭାରତ ମଧ୍ୟରେ ଥିବା ବାଣିଜ୍ୟିକ ଓ କୁଟନୈତିକ ସମ୍ପର୍କର ଭିତ୍ତିଭୂମିକୁ ସୁଦୃଢ କରିବାର ଆଶାକରାଯାଏ ।
ପରିଶେଷରେ ଏହା କୁହାଯାଇପାରେ ଯେ ଗଣତନ୍ତ୍ର ତଥା ଶାନ୍ତିର ଶକ୍ତି ନିକଟରେ ହିଂସାର ତାଣ୍ଡବ ସର୍ବଦା ପରାଜୟ ସ୍ବୀକାର କରେ । ଏହାର ପ୍ରମାଣ ସ୍ବୟଂ ଆମେରିକା । ଯେତେ ଶକ୍ତିଶାଳୀ ନିଜକୁ ଭାବୁଥିଲେ ମଧ୍ୟ ଟ୍ରମ୍ପ ଶେଷରେ ଗଣତନ୍ତ୍ରର ମୂଲ୍ୟବୋଧ ନିକଟରେ ନତମସ୍ତକ ହୋଇ କ୍ଷମତା ହସ୍ତାନ୍ତର କରି ହ୍ବାଇଟ ହାଉସ୍ ତ୍ୟାଗ କରିଛନ୍ତି । ଜନାଦେଶକୁ ଅନ୍ୟାୟ ଓ ହିଂସ୍ର ଭାବରେ କବ୍ଜା କରିବାର ତାଙ୍କ ସଂକୀର୍ଣ୍ଣ ମାନସିକତା ମଧ୍ୟ ହାର୍ ମାନିଛି । ବାଇଡେନ ନିଶ୍ଚୟ ରୂପେ ଏ ଦିଗ ପ୍ରତି ଧ୍ୟାନ ଦେଇ କାର୍ଯ୍ୟକରିବାର ଆଶାକରାଯାଏ।ଯାହାଫଳରେ କେବଳ ଆମେରିକାର ନୁହେଁ ସମଗ୍ର ବିଶ୍ବର ମଙ୍ଗଳ ହେବ-ଏଥିରେ ଦ୍ବିମତ ହେବାର କୌଣସି ଅବକାଶ ନାହିଁ ।