ଚନ୍ଦନେଶ୍ୱର ମହାଦେବଙ୍କ ମହାନୀଳ ପର୍ବ ସମ୍ପନ୍ନ, ୫ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁ ସମାଗମ : ଚଡକ ମେଳା ଇତିହାସରେ ରେକର୍ଡ ସଂଖ୍ୟକ ଉପବିତ ଧାରୀ
ଭୋଗରାଇ : ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ଵପ୍ରସିଦ୍ଧ ଚଡକ ମେଳାର ୧ ୧ ଦିନରେ ଜୀଉଙ୍କ ମହାନୀଳ ଉତ୍ସବ ଚିରାଚରିତ ଧର୍ମୀୟ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉଦଯାପିତ ହୋଇଛି l ମହାନୀଳ ପର୍ବରେ ଚନ୍ଦନେଶ୍ୱର ପୀଠ ଶ୍ରଦ୍ଧାଳୁଙ୍କ ସନ୍ଦର୍ଶନ ଓ ଆରାଧନା ଲାଗି ଜନସମୁଦ୍ରରେ ପରିଣତ ହୋଇଥିଲା lଗୁରୁବାର ନିଶିବସାନରୁ ଅସଂଖ୍ୟ ଶୈବଭକ୍ତ ଦଳେ ଦଳେ ମନ୍ଦିରରେ ପୂଜାର୍ଚ୍ଚନା ଲାଗି ଭିଡ ଲଗାଇଥିଲେ l ଶ୍ରଦ୍ଧାଳୁମାନେ ହାତରେ ଡାଲାଧରି ସେଥିରେ ଥିବା ଫୁଲ, ଚନ୍ଦନ, ବେଲପତ୍ର, କ୍ଷୀର ସହ ପଇଡ଼ ଧରି ମନ୍ଦିରକୁ ପ୍ରବେଶ କରିଥିଲେ l ବେଳବଢ଼ୁଥିବାବେଳେ ଶୈବ ଭକ୍ତଙ୍କ ଭିଡ଼ ମଧ୍ୟ ବଢିଥିଲା l ଜଗନ୍ନାଥପୁର ଛକଠାରୁ ଚନ୍ଦନେଶ୍ୱର, ବଡ଼ର ଠାରୁ ଚନ୍ଦନେଶ୍ୱର ପର୍ଯ୍ୟନ୍ତ ରାସ୍ତା ରେ ଯାତ୍ରୀଙ୍କ ଲମ୍ବାଲାଇନ ଲାଗିଥିଲା l ଚଳିତ ବର୍ଷ ଜୀଉଙ୍କ ଠାରେ ଉପବିତଧାରୀଙ୍କ ସଂଖ୍ୟା ୭ ୫ ହଜାର ସରକାରୀ ପଞ୍ଜିକୃତ ହୋଇଥିବାବେଳେ ବେସରକାରୀଭାବେ ଏହା ଲକ୍ଷାଧିକ ହେବବୋଲି ଆକଳନ କରାଯାଇଛି lଯାହାକି ଚଡକ ମେଳା ଇତିହାସର ସମସ୍ତ ପୂର୍ବ ରେକଡ଼କୁ ଭଙ୍ଗ କରିଛି lପାଗ ଅନୁକୁଳ ଥିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ରେକର୍ଡ କରାଯାଇଛି l ବିଜୁପଟ୍ଟନାୟକ ଗୋଲେଇଠାରୁ ମନ୍ଦିର ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଆଗମନ ଓ ପ୍ରସ୍ଥାନ ନିମାନେ ବେରିକେଡ଼ କରାଯାଇଥିବାବେଳେ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା l କୂଳପାଉନଥିବା ଜଳଯନ୍ତ୍ର ଦେବତା ଗର୍ଭଗୃହକୁ ବହୁ ଭକ୍ତ ପୂଜାର୍ଚ୍ଚନା, ଗର୍ତ୍ତ ଗର୍ଭରେ ଜଳାଭିଷେକ ଲାଗି ଧସେଇ ପଶିଥିଲେ lଭକ୍ତଙ୍କ ଭାବାବେଗରେ ପୋଲିସ ଏକପ୍ରକାର ଅସହାୟ ହୋଇପଡ଼ିଥିଲେ l ଦୂରଦୂରାନ୍ତରୁ ହଜାରହଜାର ମାନସିକ ଶୈବ ଭକ୍ତ ଚନ୍ଦନେଶ୍ୱର ମନ୍ଦିରରେ ଜଳାଭିଷେକ ନିମନ୍ତେ ସୁଶୋଜ୍ଜିତ ବାହୁଙ୍ଗୀରେ ନଦୀରୁ ପବିତ୍ର ଜଳପାତ୍ର କାନ୍ଧରେ ଧରି ଖାଲିପାଦରେ ଚାଲିଚାଲି ଜୀଉଙ୍କ ମନ୍ଦିରକୁ ଆସିବା ଅପୂର୍ବ ଶୋଭା ଦୃଷ୍ଟିଗୋଚର ହୋଇଥିଲା l ନୀଳପର୍ବରେ ଜୀଉଙ୍କ ଠାରେ ଲାଗିଥିବା ପଞ୍ଚାମୃତ ପାନ କରି ଶୈବ ଭକ୍ତମାନେ ଦିନ ତମାମ ବ୍ରତ ପାଳନ କରିଥିଲେ lସମୁଦ୍ର ମନ୍ଥନବେଳେ ବାସୁକୀ ନାଗର ହଳାହଳ ବିଷକୁ ନୀଳକଣ୍ଠ ପାନ କରିଥିବାରୁ ତାଙ୍କୁ ନୀଳକଣ୍ଠ କୁହାଯାଏ lଐତିହାସିକ ତଥ୍ୟ ଅନୁଯାୟୀ ବ୍ରିଟିଶ ଅମଳରେ ଏହି ଅଞ୍ଚଳରେ ନୀଳଚାଷ କୃଷକ ମାନେ କରୁଥିବାରୁ ବ୍ରିଟିଶ ମାନେ ସୁନାର ଫସଲକୁ ଲୁଟିନେବା ଓ କୃଷକଙ୍କୁ ଅତ୍ୟାଚାରିତ କରୁଥିବାରୁ ବ୍ରିଟିଶ ହଟିଯାଉବୋଲି ଚନ୍ଦନେଶ୍ୱର ଜୀଉ ଙ୍କୁ କୃଷକ ମାନେ ଆରାଧନା କରିଥିଲେ ବୋଲି ରୋଚକ କାହାଣୀ ରହି ଆସିଛି l ଅପରାହ୍ନ ରେ ଜୀଉଙ୍କ ନୀଳପୋଖରୀ ରେ ନୀଳ ଉତ୍ସବ ଦର୍ଶନ ଲାଗି ପୋଖରୀ ହୁଡାରେ ଯାତ୍ରୀଙ୍କ ଭିଡ ଲାଗିଥିଲା ଜୀଉଙ୍କ ମୁଖ୍ୟ ସେବାୟତ ମୌରସୀ ତପନ କୁମାର ପଣ୍ଡା ଓ ଉପ ମୌରସୀ ବୁଦ୍ଧଦେବ ପଣ୍ଡା ସହ ଶ୍ରେଷ୍ଠ ଭକ୍ତ ପାଟଭକ୍ତ, ଦେଉଳିଆ ଓ ଶ୍ରୀବେକିଡ଼ିଙ୍କ ନିର୍ଦେଶକ୍ରମେ ଉପବିତଧାରୀ ଭକ୍ତ ମାନେ ନୀଳ ପୁଷ୍କରଣୀରୁ ୨ଟି ଠୁମ୍ବିକାଠ ଦ୍ବୟ କୁ ଜଳକ୍ରୀଡା କରି ଉତ୍ତୋଳନ କରି ମନ୍ଦିର ପରିସରରେ ରଖିଥିଲେ lପରେ ସନ୍ଧ୍ୟାରେ ଜୀଉଙ୍କ ଶ୍ରେଷ୍ଠ ୧ ୩ ଭକ୍ତ ଓ ବାଦ୍ୟକାର ମାନେ ୧ ୬ ପ୍ରକାର ବାଦ୍ୟ ବଜାଇ ଶୈବନୃତ୍ୟ ପ୍ରଦର୍ଶନ କରିଥିଲେ lମହାଦେବଙ୍କ ସମ୍ମୁଖ ନୀଳ ଉତ୍ସବ ମଞ୍ଚରେ ନୀଳଉତ୍ସବର ମାହାତ୍ମ୍ୟ ବିଷୟରେ ପଣ୍ଡିତ ଭାଷ୍ୟକାର ମାନେ କାନ୍ହୁ ଚରଣ ଶତପଥୀ, ମୌରସୀ ତପନ କୁମାର ପଣ୍ଡା, ଉପ ମୌରସୀ ବୁଦ୍ଧଦେବ ପଣ୍ଡା ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ lପରେ ମହାଦେବଙ୍କ ମହାଆଳତି ହେବାପରେ ଭକ୍ତଙ୍କ ସକାଶେ ଅର୍ଘ୍ୟ ଦାନ କରାଯାଇଥିଲା l ଗୁରୁବାର ପଶ୍ଚିମବଙ୍ଗ ସିନେତାରକା ତଥା ଟି ଏମ ସି ନେତ୍ରୀ ଜୁଲମାଲିଆ ଜୀଉଙ୍କ ଆଶିଷ ନେବା ସହ ଟି ଏମ ସି ନେତା ନନ୍ଦନ ପାଳ, ରାଜେନ୍ଦ୍ର ଜେନା, ସୁମିତା ପାଳ ଓ ମମତା ପାଳ ପ୍ରମୁଖ ଜୀଉଙ୍କ ମହାନୀଳ ଉତ୍ସବ ଦର୍ଶନ କରି ବିଭୋର ହୋଇଥିବାର ପ୍ରକାଶ କରିଛନ୍ତି j ପ୍ରସିଦ୍ଧ ମେଳାରେ ଅଦ୍ୟାବଧି ୩ ହଜାର ରୋଗୀଙ୍କୁ ପ୍ରାଥମିକ ଚିକତ୍ସା କରାଯାଇଥିବାର ଚିକତ୍ସାଧିକାରୀ ଡା କମଳାକାନ୍ତ ଜେନା ସୂଚନା ଦେଇଛନ୍ତି l ଅପର ପକ୍ଷରେ ଏସିଆର ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ୱର ଜୀଉ ଓ କୁମ୍ଭାରମୁଳୀ ଗ୍ରାମସ୍ଥ ଧବଳେଶ୍ୱର ମହାଦେବଙ୍କ ମହାନୀଳ ପର୍ବ ଉଦଯାପିତ ହୋଇଥିବାବେଳେ ଶୁକ୍ରବାର ମହାଦେବଙ୍କ ପ୍ରସିଦ୍ଧ ପାଟଉତ୍ସବ ଉଦଯାପିତ ହେବ l ନୀଳ ପର୍ବରେ ଜିଲା ଯୋଜନା ବୋର୍ଡ଼ ର ଅଧକ୍ଷ ତଥା ବିଧାୟକ ଅନନ୍ତ ଦାସ, ଜିଲା ଆରକ୍ଷୀ ଅଧୀକ୍ଷକ ସାଗରୀକା ନାଥ ସହ ବହୁ ପୋଲିସ ଅଧିକାରୀ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ