ଭୋଗରାଇ : ଭୋଗରାଇ ବ୍ଲକ ବାରବାଟିଆ ହାଇସ୍କୁଲରେ ହୋଇଥିବା କ୍ୱାରେନ୍ଟାଇନ୍ ସେଣ୍ଟରରେ ଜଣେ ୪୬ ବର୍ଷୀୟ ପ୍ରବାସୀଙ୍କ ମୃତୁ୍ୟ ଘଟିବା ପରେ ଉତ୍ତ୍ୟକ୍ତ ଲୋକମାନେ କେନ୍ଦ୍ରରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ମାଡ଼ମାରିବା ସହ ତାଲାପକାଇଦେବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ ଭୋଗରାଇ, ତାଳସାରି ଓ କମର୍ଦ୍ଦାଥାନା ପୁଲିସ ଏକ ପ୍ଲାର୍ଟୁନ୍ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ସ୍ୱାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିଥିଲେ ।
ଘଟଣାରୁ ପ୍ରକାଶ କଣ୍ଟାବଣିଆ ଗ୍ରାମର ରମାକାନ୍ତ ଦାସ ଜଣେ ପ୍ରବାସୀ । ତାଙ୍କୁ ବାରବାଟିଆ କ୍ୱାରେନ୍ଟାଇନ୍ ସେଣ୍ଟରରେ ଗତ ୨୦ ତାରିଖ ଦିନ ରଖାଯାଇଥିଲା । ମଙ୍ଗଳବାର ରାତିରେ ସେ ଭଲଥିବା କଥା ଘରକୁ ଫୋନ କରି କୁଆଡ଼େ ଜଣାଇଥିଲେ । ବୁଧବାର ସକାଳେ ତାଙ୍କର ମୃତୁ୍ୟ ଘଟିଥିବା ଖବର ପ୍ରଚାରିତ ହେବାପରେ ତାଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ଉତ୍ତେଜିତ ହୋଇ କ୍ୱାରେନ୍ଟାଇନ୍ ସେଣ୍ଟରରେ ତାଲା ପକାଇଦେବା ସହିତ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଭୋଗରାଇ ପୁଲିସ ଏହି ଘଟଣାରେ ପୃଥକ୍ପୃଥକ୍ ଭାବେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ ।