ଭଂଜନଗର – ଗତ ୧୦ ତାରିଖ ସନ୍ଧ୍ୟାରେ ଭଂଜନଗର ଥାନା ଗୋଲାପଡା ନିକଟ ଶରଧାପୁର ଗାଁ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ପାଖରୁ ଜଣେ ମହିଳାଙ୍କ ଶବ ଉଧାର ହୋଇଥିଲା । ଏହି ଘଟଣାରେ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ପରେ, ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହା ସହ କିଛି ବିଦ୍ୟୁତ୍ ତାର ମଧ୍ୟ ଜବତ କରି ଘଟଣାର ପଛର କାରଣ ଖୋଜୁଛି ପୋଲିସ । ଥାନାଧିକାରୀ କୁମର ମୁଦୁଲି ଦେଇଥିବା ସୂଚନା ପ୍ରକାରେ,
ମୃତ ମହିଳା ଜଣକ, ଗୋଲାପଡା ଗ୍ରାମର ନୀଳାଞ୍ଚଳ ସାମଲ ଙ୍କ ସ୍ତ୍ରୀ ମିନତୀ ସାମଲ । ମିନତୀ ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ । ଘଟଣା ଦିନ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସମୟ ପରେ, ସେ ଘରକୁ ଫେରିନଥିଲେ । ସନ୍ଧ୍ୟା ରେ ସ୍ଥାନୀୟ ଲୋକେ ଜାଣିବାକୁ ପାଇଲେ, ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଶରଧାପୁର ଗାଁ ପୂର୍ବରୁ ଥିବା ଏକ କୁକୁଡ଼ା ଫାର୍ମ ବାହାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଛି । ସେତେବେଳକୁ ରାତି ପ୍ରାୟ ୯ ଟା ହୋଇ ସାରିଥିଲା । ଘଟଣା ସ୍ଥଳରେ ଭଂଜନଗର ପୋଲିସ ପହଞ୍ଚି ମୃତଦେହ କୁ ଜବତ କରି ଭଂଜନଗର ମେଡିକାଲ କୁ ଆଣିଥିଲା । ପରଦିନ ସକାଳେ ମୃତ ଦେହ ବ୍ୟବଛେଦ ପରେ, ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ମୃତକ ଙ୍କ ମା, ଚନ୍ଦ୍ରମଣି ପ୍ରଧାନ ଭଂଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନା କେଶ୍ ନଂ ୭୧୨/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ପରେ ପରେ ପୋଲିସ ଜାଣିବାକୁ ପାଇଥିଲା, କୁକୁଡ଼ା ଫାର୍ମ ଚାରିପଟେ ଲଗାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି, ମିନତୀ ଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସନ୍ଦେହ କରି ପ୍ରଥମ, ସେହି କୁକୁଡ଼ା ଫାର୍ମ ରେ କାମ କରୁଥିବା ଶଙ୍କର ପ୍ରଧାନ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା, ପୋଲିସ । ତେବେ ପୋଲିସ ଆଗରେ ସବୁ ସତକଥା ମାନି ଯାଇଥିଲା । କୁକୁଡ଼ା ଫାର୍ମ କୁ ଆଖପାଖ ଜଙ୍ଗଲିଆ ସ୍ଥାନରୁ ଆସୁଥିବା ହିଂସ୍ର ଜନ୍ତୁଙ୍କ ଦାଉରୁ, କୁକୁଡା ମାନଙ୍କୁ ସୁରକ୍ଷା ଦେବା ପାଇଁ ଫାର୍ମ ଚାରିପଟେ ସଂପୃକ୍ତ ମାଲିକ ବିଦ୍ୟୁତ୍ ତାର ବିଛାଇଥିଲେ । ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମିନତୀ ଙ୍କ ମୃତ୍ୟୁ ହୋଇଥିଲା । ଏହାପରେ, କାମ କରୁଥିବା ଶଙ୍କର, କୁକୁଡ଼ା ଫାର୍ମ ମାଲିକ ଙ୍କୁ ଏବିଷୟରେ ଜଣାଇଥିଲା । ମାଲିକର କଥା ପ୍ରକାରେ ଫାର୍ମ ଚାରିପଟରୁ ବିଦ୍ୟୁତ୍ ତାର ବାହାର କରି ନିକଟସ୍ଥ ଏକ ନାଳରେ ପକାଇ ଦେଇଥିଲେ । ସେହି ଆଧାରରେ ପୋଲିସ ତଦନ୍ତ କରି, କୁକୁଡ଼ା ଫାର୍ମରେ କାମ କରୁଥିବା ଶଙ୍କର ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା, ଥାନାଧିକାରୀ ସୂଚନା ଦେଇଛନ୍ତି । ସୂଚନା ଥାଉକି, ମୃତ ମହିଳାଙ୍କ ଗତ ୬ ବର୍ଷ ପୂର୍ବେ ବିବାହ ହୋଇଥିଲା । ତାଙ୍କର ଗୋଟିଏ କନ୍ୟା ସନ୍ତାନ ଟିଏ ଅଛି । ସ୍ବାମୀ ନୀଳାଞ୍ଚଳ କୌଣସି ଏକ ଦୁର୍ଘଟଣା କାରଣରୁ ତାଙ୍କର ମାନସିକ ଅବସ୍ଥା ଠିକ୍ ନାହିଁ । ଘରେ କନ୍ୟା ସନ୍ତାନ ସହ ଉଭୟେ ସ୍ବାମୀ, ସ୍ତ୍ରୀ ହିଁ ରହନ୍ତି । ରୋଜଗାର ଦାୟିତ୍ଵ, ମିନତୀ ଙ୍କ ଉପରେ । ସେଥିପାଇଁ ସେ, ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ । ଯାହା ରୋଜଗାର ହେଉଥିଲା, ସେଥିରେ ପରିବାର ଚଳୁଥିଲା । ଏବଂ ମିନତୀଙ୍କ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇଥିବା ସ୍ବାମୀ ଏବଂ ଛୋଟ ଝିଅର ଭବିଷ୍ୟତ କ’ଣ ହେବ , ତାକୁ ନେଇ ଚିନ୍ତାରେ ରହିଛନ୍ତି ମୃତ ମହିଳାଙ୍କ ବାପଘର ଏବଂ ଶାଶୁଘର ଲୋକେ । ତେବେ ଘଟଣା ଦିନ, ମିନତୀ କେଉଁ ପରିସ୍ଥିତିରେ ସେଠାକୁ ଗଲେ ଏବଂ କୁକୁଡ଼ା ଫାର୍ମ ନିକଟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ କେମିତି ଆସିଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।