ଭଞ୍ଜନଗର : ଭଞ୍ଜନଗରରୁ ରବିବାର ପୁଣି ୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ଜାରୀ କରିଥିବା ସୂଚନା ଆଧାରରେ ଜଣାପଡିଛି । ଏଥିରେ ୫ଜଣ କରୋନା ଯୋଦ୍ଧା ରହିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ତହସିଲଦାର ଦେଇଥିବା ସୂଚନା ଆଧାରରେ ଭଞ୍ଜନଗର ଏନଏସି ଇଲାକାରେ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ଗ୍ରାମାଞ୍ଚଳରୁ ୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତହସିଲଦାର ଆଲୋକ କୁମାର ପ୍ରଧାନଙ୍କ ସୂଚନା ପ୍ରକାରେ ଭଞ୍ଜନଗର ସହରର ସବଜେଲରୁ ପୁଣି ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ମାଲସାହିରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ବ୍ଲକର ଗାଲେରୀରୁ ୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଖୁପଦର, ତିଳିସିଙ୍ଗି, ଲେମ୍ଭେଇ, ଯୋଗୀମାରୀ, ଅଗଝୋଳ ଓ ବଡପଥରା ଗ୍ରାମରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ୱାବ ଟେଷ୍ଟରୁ ଅନ୍ୟ ୨ଜଣ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏବେ ପ୍ରତିଦିନ କରୋନା ଯୋଦ୍ଧାମାନେ ସଂକ୍ରମିତ ହେଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଏବେ ଜରୁରୀ ହୋଇପଡିଛିବୋଲି ଏଡିଏମ ବିଶାଲ ସିଂ ଚିନ୍ତାବ୍ୟକ୍ତ କରିଛନ୍ତି । ତେବେ ଭଞ୍ଜନଗରରେ ସଂକ୍ରମିତ ହାର ଧୀରେ ଧୀରେ କମୁଥିବା ଗତ କିଛିଦିନର ତଥ୍ୟରୁ ସ୍ପଷ୍ଟ ହୋଇଥିବାରୁ ଏହା ସ୍ଥାନୀୟ ଅଂଚଳବାସୀଙ୍କୁ ବେଶ ଆଶ୍ୱସ୍ତି ଆଣିଦେଇଛିବୋଲି ଏଡିଏମ ସିଂ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ଓ ଗୋଟିଏ ବାଇକ୍ରେ ୨ଜଣ ଯିବା ଉପରେ ପ୍ରଶାସନ ପ୍ରତିବନ୍ଧକ ଲଗାଇ ଏଥିପାଇଁ ଅମାନିଆଙ୍କ ଉପରେ ଭାରି ପଡୁଛନ୍ତି । ଆଜି ଭଞ୍ଜନଗର ଥାନା, ତହସିଲ ଷ୍ଟାପ୍ ଓ ଏନଏସି କର୍ମଚାରୀମାନେ ପୃଥକ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରି ପାଖାପାଖି ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି । ତେବେ ଜୋରିମାନା ଆଦାୟ ପ୍ରଶାସନର ମୁଖ୍ୟ ଲକ୍ଷ୍ୟନୁହଁ, କେବଳ ଲୋକ ସଚେତନତା ପାଇଁ ଏଭଳି କରିବାକୁ ପ୍ରଶାସନ ବାଧ୍ୟ ହେଉଛିବୋଲି ତହସିଲଦାର ଆଲୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।